ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ଅଚଳ
ଭୁବନେଶ୍ୱର,୪ା୯ (ତଥ୍ୟ): ଗୁରୁଦିବସରୁ ଓଡିଆ ବିଶ୍ୱବିଦ୍ୟାଳୟ ସାକ୍ଷୀଗୋପାଳରେ କାର୍ଯ୍ୟକ୍ଷମ ହେଉଥିବାବେଳେ ଅନ୍ୟ ପକ୍ଷରେ ଶିକ୍ଷକ ମରୁଡି ସହିତ ଭିତ୍ତିଭୂମି ଅଭାବରୁ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଏଯାବତ୍ ଛାତ୍ରଛାତ୍ରୀଙ୍କ ନାମାଙ୍କନ ଆରମ୍ଭ ହୋଇପାରି ନାହିଁ । କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ କଟକଣା ଯୋଗୁଁ ଆଠବର୍ଷ ଧରି ଚାଲି ଆସୁଥିବା ମୁକ୍ତ ବିଶ୍ୱବିଦ୍ୟାଳୟ ସୁପ୍ତ ହେବାକୁ ଯାଉଥିବାବେଳେ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ କିନ୍ତୁ ଖୁସିର ଖବର ଦେଉଛି ।
୨୦୧୪ ରେ ବିଧାନସଭାରେ ଓଡିଶା ମୁକ୍ତ ବିଦ୍ୟାଳୟ ଆଇନ୍ ଅଣାଯାଇଥିଲା । ତଦନୁଯାୟୀ ୨୦୧୫ ମସିହାରେ ସମ୍ବଲପୁରର ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜରେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା । ଇତି ମଧ୍ୟରେ ଗଙ୍ଗାଧର ମେହେର କଲେଜ ବିଶ୍ୱବିଦ୍ୟାଳୟ ହୋଇ ସାରିଲାଣି । ଓଡିଆ ବିଶ୍ୱବିଦ୍ୟାଳୟ ଲାଗି କୁଳପତି ନିଯୁକ୍ତି କରାଯାଇଥିଲେ ମଧ୍ୟ ଏହାର ବହୁ ପ୍ରଶାସନିକ ପଦବୀ ସମେତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ଖାଲିପଡିଛି । ଏମିତିକି ଏବେ ଏହି ବିଶ୍ୱବିଦ୍ୟାଳୟ ଲାଗି ପରୀକ୍ଷା ନିୟନ୍ତ୍ରକ ମଧ୍ୟ ନାହାନ୍ତି । ଏଭଳି ସ୍ଥିତିରେ ମୁକ୍ତ ବିଶ୍ୱବିଦ୍ୟାଳୟ ଲାଗି ୟୁଜିସିରୁ ଯେଉଁ ଅନୁମୋଦନ ମିଳିଥିଲା ତାହାର ଅବଧି ଗତବର୍ଷରୁ ସରିଗଲାଣି । ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ନାକ୍ ମାନ୍ୟତା ପାଇଁ ଆବେଦନ ବି କରିପାରୁ ନାହିଁ ।
ଏହି ବିଶ୍ୱବିଦ୍ୟାଳୟ ଲାଗି ସମ୍ବଲପୁର ଉପକଣ୍ଠରେ ସରକାର ଜମି ଯୋଗାଇଦେବା ସହ ଅର୍ଥ ବରାଦ କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟ ବନ୍ଦ ରହିବାରୁ ଅର୍ଦ୍ଧନିର୍ମିତ ସୌଧଟି ଭୂତକୋଠି ଭଳି ପଡିଛି । ମୁକ୍ତ ବିଶ୍ୱବିଦ୍ୟାଳୟରେ ହଜାର ହଜାର ଛାତ୍ରଛାତ୍ରୀ ସ୍ନାତକ ଓ ସ୍ନାତକତ୍ତର ଶ୍ରେଣୀରେ ନାମାଙ୍କନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଇତି ମଧ୍ୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କର୍ମନିଯୁକ୍ତି ବି ପାଇ ସାରିଲେଣି । ଅଥଚ ଚଳିତ ଶିକ୍ଷାବର୍ଷରେ ଭିତ୍ତିଭୂମି ଅଭାବ ଦର୍ଶାଇ ସ୍ନାତକ ଓ ସ୍ନାତକତ୍ତର ଶ୍ରେଣୀରେ ନାମାଙ୍କନ ସ୍ଥଗିତ ରହିଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଇ ନଥିବାରୁ ଏବର୍ଷ ଏଠାରେ ପାଠପଢିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ହଜାର ହଜାର ଆଶାୟୀ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି ।
୨୦୧୮ ମସିହାରେ ସାକ୍ଷୀଗୋପାଳରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ଏଥିଲାଗି ଜମି ଅଧିଗ୍ରହଣ ସହ ନିର୍ମାଣ କାର୍ଯ୍ୟ ଚାଲିଛି । ଆଗାମୀ କିଛି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ସାକ୍ଷୀଗୋପାଳରେ ଥିବା ପାନ୍ଥନିବାସ ଓ ଉକ୍ରଳମଣି ସ୍ମୃତି କଲେଜ ପରିସରକୁ ନୂଆ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟବହାର କରାଯାଉଛି । ଇତି ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଲାଗି କୁଳପତି ନିଯୁକ୍ତି ସରିଥିବାବେଳେ ଅନ୍ୟ ଶିକ୍ଷାନୁଷ୍ଠାନରୁ ଡେପୁଟେସନରେ ଆଣି କିଛି ଶିକ୍ଷକ ଓ ଅଣଶିକ୍ଷକଙ୍କୁ ମଧ୍ୟ ମୁତୟନ କରାଯାଇଛି । ତେବେ ଓଡିଆ ବିଶ୍ୱବିଦ୍ୟାଳୟ ଲାଗି ନିୟମିତ ଶିକ୍ଷକ ନିଯୁକ୍ତି ଉପରେ ବୁଦ୍ଧିଜୀବୀ ମହଲ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମଧ୍ୟ ଆଇନଗତ ସମସ୍ୟା ଯୋଗୁଁ ଶିକ୍ଷକ ନିଯୁକ୍ତି ଦୀର୍ଘବର୍ଷ ଧରି ହୋଇପାରୁ ନାହିଁ । ରାଜ୍ୟ ସରକାର ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍ରେ ସଂଶୋଧନ ଆଣି ଶିକ୍ଷକ ନିଯୁକ୍ତି ଦାୟିତ୍ୱ ରାଜ୍ୟ ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରିଥିଲେ । ଏହାର ବିରୋଧ କରି ୟୁଜିସି ଏବେ ସୁପ୍ରିମ୍କୋର୍ଟରେ ମାମଲା ଲଢୁଛି । ଏହି ବିବାଦ ଯୋଗୁଁ ସବୁ ବିଶ୍ୱବିଦ୍ୟାଳୟରେ ସାଂଘାତିକ ଅବସ୍ଥା । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଏବେ ପାୟ ୧୨୦୦ ଶିକ୍ଷକ ପଦବୀ ଖାଲି ପଡିଛି । ଅନେକ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟର ପ୍ରଫେସର ନାହାନ୍ତି । କେନ୍ଦ୍ର ସରକାରଙ୍କ କୋରାପୁଟ ସ୍ଥିର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ଅତି ଉକ୍ରଟ ।