ଜଟଣୀ ଖାସ୍ମାହାଲ ଜମି ସମସ୍ୟାର ସମାଧାନ
ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି
ଭୁବନେଶ୍ୱର, ୪ା୯(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିଦେ୍ର୍ଦଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ସମୟରେ ଜମିଜମା ସମ୍ପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ । ଜଟଣୀ ତହସିଲ୍ରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା । ଏ ସମସ୍ୟା ସମ୍ପର୍କରେ ଜନସାଧାରଣ ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏହା ଦ୍ୱାରା ୫୩୭ ପରିବାର ଉପକାର ପାଇବେ ।
ସେହିପରି ଭୁବନେଶ୍ୱର ତହସିଲ୍ରେ ପତିତ ଜମିର ସ୍ୱତ୍ୱ ନେଇ ଦୀର୍ଘ ୬ଠ ବର୍ଷ ଧରି ସମସ୍ୟା ଲାଗି ରହିଛି । ଏ ସମ୍ପର୍କରେ ବିଭିନ୍ନ ରାଜସ୍ୱ ଅଦାଲତରେ ୧୦୫୪୩ଟି ମାମଲା ଚାଲିଛି । ଏହି ପତିତ ଜମି ସମ୍ପର୍କରେ ଗଠିତ ରାଜସ୍ୱ ବିଭାଗର ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ଏସ୍ଓପି ଭିତ୍ତିରେ ଏ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ ଯେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ସମୟାନୁଯାୟୀ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଚଳିତ ସେପ୍ଟେମ୍ବର ମଧ୍ୟ ଭାଗରେ ମୁଖମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ।