କଲେଜିୟମ୍ ବ୍ୟବସ୍ଥା: ଓକିଲଙ୍କ ଭିନ୍ନ ମତ

ଭୁବନେଶ୍ୱର,୧ା୯(ତଥ୍ୟ): ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଘେନି ଓଡିଶା ହାଇକୋର୍ଟ ଓକିଲମାନଙ୍କ ମଧ୍ୟରେ ଭିନ୍ନମତ ରହୁଛି । କିଛି ଓକିଲ ବର୍ତ୍ତମାନର କଲେଜିୟମ ପ୍ରଥା ଚାଲୁରଖି ସେହି ମାଧ୍ୟମରେ ବିଚାରପତି ନିଯୁକ୍ତି କରାଯିବା ଠିକ୍‌ ବୋଲି କହୁଥିବାବେଳେ ଆଉ କିଛି ଓକିଲଙ୍କର ମତ ହେଉଛି କଲେଜିୟମ ପ୍ରଥାକୁ ଉଚ୍ଛେଦ କରି ସର୍ବଭାରତୀୟ ବିଚାର ବିଭାଗୀୟ ଅଧିକାରୀ କ୍ୟାଡର ସୃଷ୍ଟିହେବା ଆବଶ୍ୟକ । ଓଜେଏସ୍‌ ଭଳି ବିଭିନ୍ନ ରାଜ୍ୟର ବିଚାର ବିଭାଗୀୟ ଅଧିକାରୀ ଯେଭଳି ନିଯୁକ୍ତି ହେଉଛନ୍ତି ସୁପ୍ରିମ୍‌କୋର୍ଟଙ୍କ ତତ୍ୱାବଧାନରେ ୟୁପିଏସ୍‌ସି ଦ୍ୱାରା ସର୍ବଭାରତୀୟ ପରୀକ୍ଷା କରାଯାଇ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ପଦବୀ ଲାଗି ପ୍ରାର୍ଥୀ ଚୟନ କରଯିବା ଆବଶ୍ୟକ ।
ତେବେ ପ୍ରତ୍ୟକ୍ଷ ନିଯୁକ୍ତି ସହିତ ଜିଲ୍ଲା ଜଜ୍‌ମାନଙ୍କ ମଧ୍ୟରୁ ବି ପଦୋନ୍ନତି ଭିତ୍ତିରେ କିଛି ପ୍ରତିଶତ ହାଇକୋର୍ଟ ବିଚାରପତି ପଦବୀ ପୂରଣ କରାଯିବା ସପକ୍ଷରେ ସଂଖ୍ୟାଧିକ ଆଇନ୍‌ଜୀବୀ ମତ ଦେଉଛନ୍ତି ।
ବର୍ତ୍ତମାନର କଲେଜିୟମ ବ୍ୟବସ୍ଥାରେ ହାଇକୋର୍ଟର ଏକ ବିଚାରପତି ମଣ୍ଡଳୀ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀମାନଙ୍କ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥାଏ । ରାଜ୍ୟ ସରକାରଙ୍କ ସହ ବିଚାର ବିମର୍ଶ ସଂଗେ ସଂଗେ ପୁଲିସ୍‌ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାରକରି ରାଜ୍ୟପାଳ ଏହା ଉପରେ ମୋହର ବସାଇଥାନ୍ତି । ସୁପ୍ରିମ୍‌କୋର୍ଟର କଲେଜିୟମ ରାଜ୍ୟଗୁଡିକରୁ ହାଇକୋର୍ଟ ସୁପାରିଶ୍‌ରେ ଆସିଥିବା ତାଲିକା ଉପରେ ବ୍ୟାପକ ବିଚାର ଆଲୋଚନା କରିବାପରେ ଯେଉଁମାନଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରୁଛନ୍ତି ସେଥିରୁ କେନ୍ଦ୍ର ଯାହାଙ୍କୁ ଉଚିତ୍‌ ମନେ କରୁଛି ତାଙ୍କ ନାମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଉଛି ଏବଂ ଏହାପରେ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଉଛି ।
ବିଭିନ୍ନ ସ୍ତରରେ ଛାନ୍‌ଭିନ ହୋଇ କଲେଜିୟମର ସୁପାରିଶ୍‌ ଆଧାରରେ ପ୍ରଥମେ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥାଏ ଏବଂ ସମ୍ପୃକ୍ତ ବିଚାରପତିଙ୍କ କାର୍ଯ୍ୟ ସନ୍ତୋଷଜନକ ରହିଲେ ପରେ ତାଙ୍କୁ ନିୟମିତ କରାଯାଇଥାଏ । ଅତୀତରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ ଅନେକ ହାଇକୋର୍ଟ ବିଚାରପତିଙ୍କୁ ନିୟମିତ ନକରି ବିଦା କରାଯିବାର ନଜିର ରହିଛି । ଏମିତିକି ଓଡିଶା ହାଇକୋର୍ଟରେ ବି ଏଭଳି ଜଣେ ବିଚାରପତିଙ୍କୁ ଜିଲ୍ଲା ଜଜ୍‌ ପାହ୍ୟାକୁ ଫେରାଇ ଦିଆଯିବା ପରେ ସେ ଚାକିରି ଛାଡିଥିବାର ବି ଉଦାହରଣ ଅଛି ।
ବିଶେଷକରି ଅସ୍ଥାୟୀ ବା ଅତିରିକ୍ତ ବିଚାରପତିମାନଙ୍କ ବିଚାର ପ୍ରକ୍ରିୟା, ସେମାନଙ୍କ ଆଦେଶନାମା ବା ରାୟ, ମୋକଦ୍ଦମା ଫଏସଲା ହାର, ନିରପେକ୍ଷତା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ନଜର ଥାଏ । ଯେଉଁମାନେ ଏ କ୍ଷେତ୍ରରେ ପଛୁଆ ପଡିଯାଆନ୍ତି ସେମାନଙ୍କ ନିୟମିତ ହେବା ବିଳମ୍ବିତ ହୁଏ କିମ୍ବା ସେମାନଙ୍କୁ ବି ବିଦା କରାଯାଇପାରେ ବୋଲି କଲେଜିୟମ ସପକ୍ଷବାଦୀ ଓକିଲମାନେ ମତ ଦେଉଛନ୍ତି । ସ୍ୱ ପୃଷ୍ଠା: ୫
କଲେଜିୟମ ବ୍ୟବସ୍ଥା:…
ଅନ୍ୟ ପକ୍ଷରେ ଆଉଏକ ଗୋଷ୍ଠିର ଯୁକ୍ତି ହେଉଛି ଯେ ଖୋଲା ବିଜ୍ଞାପନ ଆଧାରରେ ଆଇଏଏସ୍‌, ଆଇପିଏସ୍‌ ଭଳି ଜାତୀୟ ବିଚାର ବିଭାଗୀୟ ସେବା କ୍ୟାଡର ଲାଗି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଗଲେ ସେଥିରେ ଅଧିକ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତି ହାଇକୋର୍ଟ ବିଚାରପତି ହେବାର ସୁଯୋଗ ପାଇବେ । କଲେଜିୟମ ପ୍ରଥାରେ ପାତର ଅନ୍ତର ଓ ପରିବାରବାଦ କରାଯାଉଥିବା ଘେନି ଯେଉଁ ଅଭିଯୋଗ ଉଠୁଛି ତାହା ପ୍ରତିଯୋଗିତାମୂଳକ ପରୀକ୍ଷା ଭିତ୍ତିରେ ବିଚାରପତି ଚୟନ କରାଗଲେ ଆଉ ଉଠିବନାହିଁ ଏବଂ ବିଚାରପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇପାରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *