ଅଭିବୃଦ୍ଧି ହାର ୭.୮%

ନୂଆଦିଲ୍ଲୀ, ୩୧ା୮: ଆର୍ଥôକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରିମାସ (ଏପ୍ରିଲ-ଜୁନ୍)ରେ ଭାରତର ଅର୍ଥ ବ୍ୟବସ୍ଥା ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଏହି ବିକାଶ ହାର ଏବେ ଅନ୍ୟ ସବୁ ଦେଶ ତୁଳନାରେ ଅଧିକ । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ପ୍ରଥମ ତ୍ରିମାସର ଜିଡିପି ହାର ଗୁରୁବାର ସନ୍ଧ୍ୟାରେ ପ୍ରକାଶ କରାଯାଇଛି । ରିପୋର୍ଟ ଅନୁଯାୟୀ ସେବା ଓ ଉତ୍ପାଦନ କାରଣରୁ ଏପ୍ରିଲ-ଜୁନ୍ ତ୍ରିମାସରେ ଭାରତର ଅର୍ଥ ବ୍ୟବସ୍ଥା ଗତ ବର୍ଷକ ଭିତରେ ସବୁଠାରୁ ଦ୍ରୁତ ବେଗରେ ବୃଦ୍ଧି ପାଇଛି । (୨୦୨୨-୨୩ ଆର୍ଥôକ ବର୍ଷର ପ୍ରଥମ ତ୍ରିମାସରେ ମୋଟ୍ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ଥିଲା ୧୩.୧% ।) ଏହା ପୂର୍ବରୁ ମାର୍ଚ୍ଚ ତ୍ରିମାସରେ ଦେଶର ଅଭିବୃଦ୍ଧି ହାର ୬.୧% ସ୍ତରରେ ଥିଲା । ଡିସେମ୍ବର ତ୍ରିମାସରେ ୪.୫ ପ୍ରତିଶତ ଜିଡିପି ରେକର୍ଡ କରାଯାଇଥିଲା । ଜୁନ୍ ତ୍ରିମାସରେ କୃଷି କ୍ଷେତ୍ରରେ ସର୍ବାଧିକ ପ୍ରଗତି ଘଟିଛି । କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩.୫ ପ୍ରତିଶତ ଯାହାକି ଗତବର୍ଷ ୨.୪ ପ୍ରତିଶତରେ ସୀମିତ ଥିଲା । ତେବେ ଆଗାମୀ ୬ ମାସ ଭିତରେ ଜିଡିପି ଅଭିବୃଦ୍ଧି କମିବା ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ଏପରି ଆଶଙ୍କାର ମୂଳ କାରଣ ବର୍ତ୍ତମାନର ଉଚ୍ଚ ମୁଦ୍ରାସ୍ଫୀତି ଓ ମୌସୁମୀ ବର୍ଷାରେ ବିଭ୍ରାଟ ।
କରୋନା ମହାମାରୀ ପରଠାରୁ ପୃଥିବୀ ସାରା ମାନ୍ଦାବସ୍ଥା ଜାରି ରହିଥିବାବେଳେ ଭାରତର ଅଭିବୃଦ୍ଧି ହାରରେ ଅଗ୍ରଗତି ନେଇ ବିଭିନ୍ନ ରେଟିଂ ଏଜେନ୍ସି ପୂର୍ବରୁ ସକରାତ୍ମକ ଆକଳନ କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଜୁନ୍ ତ୍ରିମାସରେ ଦେଶର ଅର୍ଥବ୍ୟବସ୍ଥା ୮ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା । ଆଇଏମ୍ଏଫ୍ ୨୦୨୩ ପାଇଁ ଭାରତର ଅଭିବୃଦ୍ଧି ହାର ୫.୯ ପ୍ରତିଶତ ଆକଳନ କରିଥିଲା । କିନ୍ତୁ ପରେ ସଂଶୋଧନ କରି ୬.୧ ପ୍ରତିଶତ ହେବ ବୋଲି କହିଥିଲା । ଏ କ୍ଷେତ୍ରରେ ଚୀନ୍ ଭାରତଠାରୁ ବହୁ ପଛରେ ପଡିଛି । ଆମେରିକାର ବିକାଶ ହାର ଜୁନ୍ ତ୍ରିମାସରେ ୨.୧ ଥିବାବେଳେ ଚୀନ୍ ୬.୩ ପ୍ରତିଶତ ହାସଲ କରିଛି । ବ୍ରିଟେନ୍ର ଅର୍ଥ ବ୍ୟବସ୍ଥା ଏହି ତ୍ରିମାସରେ ୦.୪ ପ୍ରତିଶତ ହାରରେ ବଢିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *