ଏବର୍ଷ କମିପାରେ ଧାନ ଅମଳ

ପ୍ରତିକୂଳ ପାଣିପାଗ
ଭୁବନେଶ୍ୱର,୨୮ା୮(ତଥ୍ୟ): ବୃଷ୍ଟିପାତରେ ଅନିୟମିତତା ସହ ତାପମାତ୍ରାରେ ବିଭ୍ରାଟ ଯୋଗୁ ଚଳିତବର୍ଷ ଓଡ଼ିଶାରେ ଧାନ ଉତ୍ପାଦନ କମିବା ଆଶଙ୍କା ରହିଛି । କେବଳ ଧାନ ନୁହେଁ ଡାଲି, ତୈଳବୀଜ ସମେତ ଅନ୍ୟାନ୍ୟ ପନିପରିବା ଉତ୍ପାଦନ ମଧ୍ୟ କମିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଓଡ଼ିଶାରେ ୨୦୨୦-୨୧ବର୍ଷରେ ୧୬୬ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ଧାନ ଉତ୍ପାଦନ ହୋଇଥିଲା । ଚାଉଳ କ୍ଷେତ୍ରରେ ଇତି ମଧ୍ୟରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହେବା ସହ ଅନ୍ୟ ରାଜ୍ୟକୁ ଚାଉଳ ଯୋଗାଉଛି । ୨୦୨୨-୨୩ର ଖରିଫ ଋତୁରେ ଫେବୃୟାରୀ ସୁଦ୍ଧା ଚାଷୀମାନଙ୍କ ଠାରୁ ପ୍ରାୟ ୬୦ଲକ୍ଷ ମେଟ୍ରିକ୍‌ଟନ୍‌ ଧାନ ସଂଗୃହୀତ ହୋଇଥିବାବେଳେ ବର୍ତ୍ତମାନର ଧାନ ଫସଲ ପାଇଁ କେଉଁ ଚାଷୀ କେତେ ଧାନ ମଣ୍ଡିରେ ଦେବେ ସେଥିଲାଗି ଇତିମଧ୍ୟରେ ପଞ୍ଜୀକରଣ ଚାଲିଛି ।
ସାଧାରଣତଃ କାଳବୈଶାଖୀ ପ୍ରଭାବରେ ଚୈତ୍ର, ବୈଶାଖ ଓ ଜ୍ୟେଷ୍ଠ ମାସରେ ବିକ୍ଷୀପ୍ତ ଭାବେ ବର୍ଷା ହୋଇଥାଏ ଏବଂ ଆଷାଢ ମାସରୁ ମୋ÷ସୁମୀ ବର୍ଷା ସହିତ ଲଘୁଚାପଜନିତ ବୃଷ୍ଟିପାତ ବି ହୋଇଥାଏ । ଶ୍ରାବଣ ମାସରେ ସର୍ବାଧିକ ବର୍ଷା ହୋଇଥାଏ । ଚାଷୀମାନେ ଶ୍ରାବଣ ଓ ଭାଦ୍ରବ ମାସରେ ରୁଆ ବେଉଷଣ କାମ ସାରିଥାନ୍ତି । ବର୍ଷାପରେ ନଦୀମାନଙ୍କରେ ଜଳସ୍ତର ବଢିବା ଯୋଗୁ ଜଳଭଣ୍ଡାର ସମୃଦ୍ଧ ହୋଇଥାଏ ଓ ନିଅଣ୍ଟିଆ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକସ୍ଥଳେ କେନାଲରେ ପାଣି ଛଡାଯାଇଥାଏ ।
ଏବେ ଶ୍ରାବଣମାସ ଶେଷ ହେବାକୁ ଯାଉଛି । ଆଷାଢ ଓ ଶ୍ରାବଣ ମାସରେ ଯେତେଦିନ ବର୍ଷା ହେବା କଥା ତାହା ହୋଇନାହିଁ । ଅନେକ ଅଞ୍ଚଳରେ ଏବେବି କାଦୁଅ କରିବା ପାଇଁ ବିଲରେ ପାଣିନାହିଁ । ଏହାଛଡା ବେଳେବେଳେ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ଖରା, ଗୁଳୁଗୁଳି ଓ ଉଷ୍ମ ତାପମାତ୍ରା ରହୁଥିବାରୁ ଚାଷବାସ କାମ ଠିକଣାଭାବେ ହୋଇପାରୁନାହିଁ । ଅବଶ୍ୟ କେତେକ ଅଞ୍ଚଳରେ ଅତ୍ୟଧିକ ବର୍ଷାଯୋଗୁ ଧାନତଳି ବି ନଷ୍ଟ ହୋଇଯାଇଛି ।
ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀମାନେ ପାଣିପାଗର ଅନିୟମିତତା ଘେନି ଉଦ୍‌ବେଗ ପ୍ରକାଶ କରୁଛନ୍ତି । ଏମିତିକି ଅନେକ ଚାଷୀ ପରିସ୍ଥିତି ଦେଖି ଏବର୍ଷ ଚାଷ କରିବାକୁ ରାଜି ନଥିବା ଖବର ବିଭିନ୍ନ ଜିଲ୍ଲାରୁ ଆସୁଛି । ଫଳରେ ବିଗତବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ପଡିଆ ପଡୁଥିବା ଚାଷ ଜମିର ପରିମାଣ ଅଧିକ ହୋଇପାରେ । ତେବେ ଭାଦ୍ରବ ମାସରେ ଯଦି ଠିକଣା ବର୍ଷା ହୁଏ ତା’ହେଲେ ପରିସ୍ଥିତି କିଛିଟା ସୁଧାର ଆସିପାରିବ ବୋଲି ବିଭିନ୍ନ ଜିଲ୍ଲାର ଅଗ୍ରଣୀ ଚାଷୀମାନେ ଆଶାବାଦୀ ଅଛନ୍ତି ।
ପନିପରିବା ଚାଷକୁ ବେଉଷାଭାବେ ଗ୍ରହଣ କରିଥିବା ଆଉ କେତେକ ଚାଷୀ କହୁଛନ୍ତି ଯେ, ତାପମାତ୍ରା ଓ ପାଣିପାଗର ଅନିୟମିତତା ଯୋଗୁ ବାଇଗଣ, ଜହ୍ନି, ଭେଣ୍ଡି, କାକୁଡ଼ି, ଟମାଟୋ ଆଦି ପନିପରିବା ଚାଷ ଭଲ ହେଉନାହିଁ । ଏଥିଯୋଗୁ ବ୍ୟାପକ ପୋକ ଲାଗି ପରିବା ଗଛ ନଷ୍ଟ ହେଉଥିବାରୁ ବହୁସ୍ଥଳରେ ଅତ୍ୟଧିକ ପରିମାଣର କୀଟନାଶକ ପ୍ରୟୋଗ କରିବାକୁ ଚାଷୀମାନେ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତି ଲାଗିରହିଲେ ଆଗାମୀ ଦିନରେ ପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇପାରେ ।
ପାଣିପାଗ ଓ ତାପମାତ୍ରାର ଲଗାତର ଅନିୟମିତତା ଯୋଗୁ ଗରମ ବଢୁଥିବାବେଳେ ଏବର୍ଷ ରାଜ୍ୟରେ ଶୀତର ପ୍ରକୋପ କିଭଳି ରହିବ ସେଥିଘେନି ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଶୀତ ଦିନରେ ଶୀତର ପ୍ରକୋପ ନରହିଲେ ତାହାବି ପନିପରିବା ସହିତ ଡାଲି ଓ ତୈଳବୀଜ ଚାଷ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଜିଲ୍ଲା ଓ ବ୍ଲକସ୍ତରରେ କୃଷି ଅଧିକାରୀମାନେ ଚାଷୀମାନଙ୍କୁ ଅଧିକ ପରିମାଣର ମାଣ୍ଡିଆ ଜାତୀୟ ଶସ୍ୟ ଚାଷ ଲାଗି ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଉଛନ୍ତି । ପାଣିପାଗ ଓ ତାପମାତ୍ରା ସ୍ଥିତିରେ ପରିବର୍ତ୍ତନ ନ ଆସିଲେ ଆଗାମୀ ଦିନରେ ତାହା କେବଳ ଓଡ଼ିଶା କାହିଁକି ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ପୋଷଣ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *