ପୁଅ ଆଗରେ ବାପାକୁ ଟାଣିନେଲା କୁମ୍ଭୀର

ରାଜନଗର, ୩୧ା୮ (ଆପ୍ର): ଗୁରୁବାର ବ୍ରାହ୍ମଣୀ ନଦୀ କୂଳରୁ ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର । ପୁଅର ଆଖି ସାମ୍ନାରେ ବାପାଙ୍କୁ କୁମ୍ଭୀର ଟାଣି ନେଉଥିବା ବେଳେ ପୁଅ ବାପାକୁ ରକ୍ଷା କରିବା ପାଇଁ କୁମ୍ଭୀରକୁ ପ୍ରତିଆକ୍ରମଣ କରିଥିଲେ ମଧ୍ୟ କୁମ୍ଭୀର କବଳରୁ ବାପାକୁ ରକ୍ଷା କରିପାରିନାହାଁନ୍ତି । ରିପୋର୍ଟ ଲେଖାହେବା ଯାଏଁ ତାଙ୍କର ଖୋଜ ଖବର ମିଳିପାରିନାହିଁ ।
ରାଜନଗର ବ୍ଲକ ରାଜପୁର ପଞ୍ଚାୟତ ରାଜପୁର ଗାଁର ଅଭୟ ରାଉତ (୬୦ବର୍ଷ) ମଇଁଷି ରଖି ପରିବାର ପ୍ରତିପୋଷଣ କରନ୍ତି । ନଦୀ କୂଳରେ ଅଭୟଙ୍କ ଘର ହୋଇଥିବା ବେଳେ ନଦୀ ସେପଟେ ଥିବା ବିଲରେ ମଇଁଷି ରଖନ୍ତି । ଆଜି ଦିନ ପ୍ରାୟ ୧୦ ଟା ସମୟରେ ଅଭୟ ଖାଇ ସାରି ଡଙ୍ଗା ଯୋଗେ ନଦୀର ଆରପାଶ୍ୱର୍କୁ ଯାଇଥିଲେ । ଡଙ୍ଗାରେ ତାଙ୍କର ବଡପୁଅ ଅନିଲ କୁମାର ରାଉତ ଓ ଗାଁର ବିଭୂତି ସ୍ୱାଇଁ ଥିଲେ । ନଦୀର ଆର ପାଶ୍ୱର୍ରେ ପହଁଚିବା ପରେ ଅଭୟ ପ୍ରଥମେ ଡଙ୍ଗାରୁ ଓହ୍ଲାଇ ନଈ କୂଳରେ ଗୋଡ ଧୋଉଥିଲେ । ଏହି ସମୟରେ ହଠାତ୍ ଏକ ବିରାଟକାୟ କୁମ୍ଭୀର ଅଭୟଙ୍କୁ ଆକ୍ରମଣ କରିଥିଲା । ବଂଚାଅ ବଂଚାଅ ବୋଲି ଅଭୟଙ୍କ ଚିତ୍କାର ଶୁଣି ଡଙ୍ଗାରେ ଥିବା ପୁଅ ଅନିଲ ଡଙ୍ଗାରେ ଥିବା ବାଡିରେ କୁମ୍ଭୀରକୁ ବାଡେଇଥିଲା । ମାତ୍ର ବାଡିଟି ସରୁ ଥିବାରୁ ତାହା ଭାଙ୍ଗି ଯାଇଥିଲା । ସେ ସମୟରେ କୁମ୍ଭୀର ପ୍ରଥମେ ଅଭୟଙ୍କୁ ଛାଡି ଦେଇଥିଲା । ତା’ପରେ ପୁଣି କୁମ୍ଭୀରଟି ପୁନଃର୍ବାର ଆକ୍ରମଣ କରି ଅଭୟଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ପୁଅ ଆଗରେ ବାପାକୁ କୁମ୍ଭୀର ଟାଣି ନେଇଥିଲେ ମଧ୍ୟ ବାପାକୁ ଉଦ୍ଧାର ପାଇଁ ଉଦ୍ୟମ କରି ମଧ୍ୟ ବଞ୍ଚାଇ ପାରିନଥିଲା । ସେମାନଙ୍କ ଚିତ୍କାର ଶୁଣି ନଦୀ ଏପଟେ ଥିବା ଗାଁ ଲୋକେ ଭୁଟୁଭୁଟି ଓ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ । ଖବରପାଇ ରାଜନଗର ରେଂଜ ଅଫିସର ଚିତ୍ତରଂଜନ ବେଉରାଙ୍କ ନେତୃତ୍ୱରେ ବନବିଭାଗ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ରିପୋର୍ଟ ଲେଖାହେବା ଯାଏଁ ଅଭୟଙ୍କ ପତ୍ତା ମିଳିପାରିନାହିଁ । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ନଦୀରେ ଆମେ ସବୁବେଳେ କାରବାର କରିଥାଉ । ପୂର୍ବରୁ ନଦୀରେ କେବେ କୁମ୍ଭୀରକୁ ଦେଖିନଥିଲୁ । ଗାଁଟି ନଦୀ କୂଳରେ ଅବସ୍ଥିତ ଥିବାରୁ ନଦୀର ଜୁଆର ଘର ନିକଟକୁ ଯାଏ । ଆଜି କୁମ୍ଭୀର ଟାଣିନେବା ପରେ ଆମେ କିପରି ଚଳପ୍ରଚଳ କରିବୁ, ସେ ନେଇ ପ୍ରଶ୍ନ କରିଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବଉଳା କୁମ୍ଭୀର ବର୍ଷାଦିନେ ଜୁଆର ସମୟରେ ଉପର ମୁଣ୍ଡକୁ ଉଠି ଆସିଥାନ୍ତି । ରାଜନଗରରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିବା ବେଳେ ଗତ ଅଢେଇ ମାସରେ କେନ୍ଦ୍ରାପଡାରେ ଚାରି ଚାରି ଜଣଙ୍କ ଜୀବନ ଗଲାଣି । ବନବିଭାଗ ପକ୍ଷରୁ ନଦୀ କୂଳକୁ ଓ ନଦୀ ମଧ୍ୟକୁ ନ ଯିବା ପାଇଁ ଡାକବାଜି ଯନ୍ତ୍ର, ପ୍ରାଚୀର ପତ୍ର ଓ ସଚେତନତା ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଏହାସତ୍ୱେ ମଧ୍ୟ ଲୋକମାନେ ନଦୀ ମଧ୍ୟକୁ ଯିବା କାରଣରୁ କୁମ୍ଭୀର ଆକ୍ରମଣରେ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି ।
ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ରାଜନଗରର ଭିତରକନିକା । ରାଜନଗର ପାଇଁ ଭିତରକନିକା ପରିଚୟ ଆଣି ଦେଇଥିବା ବେଳେ ଏବେ ଭିତରକନିକାର କୁମ୍ଭୀର ରାଜନଗର ପାଇଁ ଆତଙ୍କର କାରଣ ହେଲାଣି । କ୍ରମାଗତ ଭାବେ କୁମ୍ଭୀର ଆକ୍ରମଣ ଓ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟଣା ଏବେ ସବୁ ମହଲରେ ଉଦ୍ବେଗର କାରଣ ହୋଇଛି । ପାଣି ଭିତରେ କୁମ୍ଭୀର ଆତଙ୍କ ସୃଷ୍ଟି କରୁଥିବା ବେଳେ ରାସ୍ତା ଉପରେ ବି କୁମ୍ଭୀର ବୁଲିଲେଣି । କେବଳ ନଦୀ ନୁହେଁ, ଭେଡା ମଧ୍ୟରେ ଥିବା ନାଳରେ କୁମ୍ଭୀର ଆତଙ୍କ ସୃଷ୍ଟି ହେଲାଣି । ରାଜନଗର ଲୋକେ ଏବେ ପାଣିକୁ ଦେଖି ମଧ୍ୟ ଡରିବା ଆରମ୍ଭ କଲେଣି । ପେଣ୍ଠ ବେଳାଭୂମି ରାସ୍ତାର ଖଣ୍ଡାମରା-ପେଣ୍ଠ ରାସ୍ତାରେ ୪ଫୁଟ ଲମ୍ବର ବଉଳା କୁମ୍ଭୀର ନିଦ୍ୱର୍ନ୍ଦ୍ୱରେ ବୁଲୁଥିଲା । କିଛି ଯୁବକ ରାସ୍ତା ଉପରେ କୁମ୍ଭୀରକୁ ଦେଖି ଗୋଡାଇବା ପରେ କୁମ୍ଭୀରଟି ନାଳ ମଧ୍ୟକୁ ଚାଲି ଯାଇଥିଲା । ରାସ୍ତା ଉପରେ କୁମ୍ଭୀରକୁ ଦେଖି ଲୋକଙ୍କ ମନରେ ଭୟ ଯାଇନଥିବା ବେଳେ ଗୁରୁବାର ଘଟିଛି ଏଭଳି ଅଘଟଣ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *