ୱାନ୍ ନେସନ୍, ୱାନ୍ ଇଲେକ୍ସନ୍

୧୮ରୁ ୨୨ ସଂସଦର ବିଶେଷ ଅଧିବେଶନ
ନୂଆଦିଲ୍ଲୀ, ୩୧ା୮: କେନ୍ଦ୍ର ସରକାର ସେପ୍ଟେମ୍ବର ୧୮ରୁ ୨୨ ଯାଏ ଲୋକସଭା ଓ ରାଜ୍ୟସଭାର ବିଶେଷ ଅଧିବେଶନ ଡାକିଛନ୍ତି । ପାଞ୍ଚ ଦିନିଆ ଅଧିବେଶନର ଏଜେଣ୍ଡା ସରକାର ସାର୍ବଜନୀନ କରି ନାହାନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବା କଥା ବି ସରକାର କହି ନାହାନ୍ତି । ଅଧିବେଶନ ସଂସଦର ନୂଆ ବିଲଡିଂରେ ବସିବ କି ପୁରୁଣାରେ, ସେ କଥା ମଧ୍ୟ ସ୍ପଷ୍ଟ ହୋଇନି । ଲୋକସଭା ଓ ରାଜ୍ୟସଭାର ଯୁଗ୍ମ ଅଧିବେଶନ ମଧ୍ୟ ବସିବାର କାର୍ଯ୍ୟକ୍ରମ ନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବା ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି: ସଂସଦର ବିଶେଷ ଅଧିବେଶନ (୧୭ତମ ଲୋକସଭାର ୧୩ତମ ଅଧିବେଶନ ଓ ରାଜ୍ୟସଭାର ୨୬୧ତମ ଅଧିବେଶନ) ସେପ୍ଟେମ୍ବର ୧୮ରୁ ୨୨ ଯାଏ ଡକା ଯାଉଛି । ଏଥିରେ ୫ଟି କାର୍ଯ୍ୟ ଦିବସ ରହିବ । ଅମୃତ କାଳରେ ବସିବାକୁ ଯାଉଥିବା ଅଧିବେଶନରେ ଗଠନମୂଳକ ଆଲୋଚନା ଓ ବିତର୍କ ହେବ ବୋଲି ଆଶା ।
ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଟ୍ୱିଟ୍ ପରେ ଆଗୁଆ ଲୋକସଭା ନିର୍ବାଚନ ବା ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ସରକାର ଏପରି ଅଧିବେଶନ ଡାକିଥିବା ଚର୍ଚ୍ଚା ଆରମ୍ଭ ହୋଇଛି । କେହି କେହି ଅଧିବେଶନର ଏଜେଣ୍ଡାରେ ଅମୃତକାଳର ଉତ୍ସବ ଓ ଭାରତକୁ ଗୋଟିଏ ବିକଶିତ ରାଷ୍ଟ୍ର ଭାବେ ଗଢିବା ପ୍ରସ୍ତାବ ମଧ୍ୟ ସାମିଲ ହୋଇପାରେ ବୋଲି ମତ ଦେଉଛନ୍ତି । ଆଉ କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୟୁସିସି ଓ ମହିଳା ଆରକ୍ଷଣ ବିଲ୍ ବି ବିଶେଷ ଅଧିବେଶନରେ ଆସିପାରେ । ଗତ ୧୦ ବର୍ଷରେ ପ୍ରଥମ ଥର ପାଇଁ ଏପରି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।
ତେବେ ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନରେ ଗୋଟିଏ ଦେଶ – ଗୋଟିଏ ନିର୍ବାଚନ ବିଲ୍ ଆଣିବେ । ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ କରିବା ପ୍ରସ୍ତାବ ଅନେକ ଥର ମିଳିଛି । ଏହାର ସମ୍ଭାବ୍ୟ ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଆଇନ କମିଶନ ପୂର୍ବରୁ ତର୍ଜମା କରିଛନ୍ତି । ଏବେ ସରକାର ପ୍ରସ୍ତାବକୁ ବାସ୍ତବ ରୂପ ଦେବାକୁ ବିଲ୍ ଆଣିବେ । ଯଦି ବିଲ୍ ସଂସଦରେ ଆସି ପାରିତ ହୋଇଯାଏ, ତା’ହେଲେ ଲୋକମାନେ ଗୋଟିଏ ଦିନରେ ବିଧାନସଭା ଓ ଲୋକସଭା ପାଇଁ ଲୋକମାନେ ଭୋଟ ଦେବେ । ବର୍ତ୍ତମାନ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଧାର୍ଯ୍ୟ କାର୍ଯ୍ୟକାଳ ପରେ ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଲୋକସଭା ପାଇଁ ଅନ୍ୟ ସମୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହାକୁ ସାଧାରଣ ଭାବେ ଦୁଇ-ପର୍ଯ୍ୟାୟ ନିର୍ବାଚନ କୁହାଯାଉଛି । ସରକାର ଗୋଟିଏ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ପକ୍ଷପାତୀ ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ୧୯୮୩ରେ ନିର୍ବାଚନ ଆୟୋଗହିଁ ପ୍ରଥମେ ୱାନ୍ ନେସନ୍, ୱାନ୍ ଇଲେକ୍ସନ୍ ପ୍ରସ୍ତାବ ଦେଇଥିଲେ । ଗତ ୫ ବର୍ଷ ହେଲା ବିଜେପି ଏହା ଉପରେ ପ୍ରସ୍ତୁତି ଚଳାଇଆସୁଛି । କୁହାଯାଉଛି ଯେ ଏକସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଲେ ବିକାଶ କାର୍ଯ୍ୟ ବାରମ୍ବାର ଅଟକିବ ନାହିଁ, ନିର୍ବାଚନ ଖର୍ଚ୍ଚ କମିବ, ସୁରକ୍ଷା ବାହିନୀ ମୁତୟନ ବାବଦ ବିପୁଳ ବ୍ୟୟ ମଧ୍ୟ ହ୍ରାସ ପାଇବ ଏବଂ ନିର୍ବାଚନୀ ଭ୍ରଷ୍ଟାଚାରରେ ପୂର୍ଣ୍ଣଚ୍ଛେଦ ପଡିବ । ୨୦୧୯ ନିର୍ବାଚନରେ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଆଗାମୀ ସାଧାରଣ ନିର୍ବାଚନରେ ଏହା ୮୦ ହଜାର କୋଟିକୁ ଟପିପାରେ । ୧୯୬୭ ପର୍ଯ୍ୟନ୍ତ ଦେଶରେ ୱାନ୍ ନେସନ୍, ୱାନ୍ ଇଲେକ୍ସନ୍ ନୀତିରେ ନିର୍ବାଚନ ହୋଇଆସୁଥିଲା । ଏହି ପ୍ରସ୍ତାବକୁ ବିରୋଧୀ ଦଳମାନେ ଏବେ ତୀବ୍ର ବିରୋଧ କରୁଛନ୍ତି । ପ୍ରଥମେ ଆପ୍ ଏହା ବିରୋଧରେ ସ୍ୱର ଉଠାଇଥିଲା । ବିରୋଧୀଙ୍କ ମତରେ ରାଜ୍ୟ ଓ ଦେଶର ପ୍ରସଙ୍ଗ ଭିନ୍ନ ଭିନ୍ନ ହୋଇଥିବାରୁ ଏକସଙ୍ଗେ ନିର୍ବାଚନ କରାଗଲେ ଭୋଟରଙ୍କ ରାୟ ପ୍ରଭାବିତ ହେବ ।
ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକର ପ୍ରଥମ ଦିନରେ ହିଁ ସରକାର ସଂସଦର ବିଶେଷ ଅଧିବେଶନ ଘୋଷଣା କରିଥିବାରୁ ରାଜନୈତିକ ମହଲରେ ହଲ୍ଚଲ୍ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ସଂସଦର ଯେତେ ବିଶେଷ ଅଧିବେଶନ ହୋଇଛି ସେଥିରେ କୌଣସି ନା କୌଣସି ବିଶେଷ ଏଜେଣ୍ଡା ଥିବା ଏବଂ ସରକାର ତାହା ଘୋଷଣା କରିଥିବାର ନଜିରି ରହିଛି । କିନ୍ତୁ ଏଥର ଏଜେଣ୍ଡା ସାର୍ବଜନୀନ କରିନାହାନ୍ତି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରେମ ଶୁକ୍ଳା କହିଛନ୍ତି, ଏପର୍ଯ୍ୟନ୍ତ ଦଳ ଭିତରେ ଏପରି କୌଣସି ଆଲୋଚନା ହୋଇନାହିଁ । ଯଦି ଏ ସମ୍ବନ୍ଧୀୟ ବିଲ୍ ଆସିବାକୁ ଥିବ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିଜେ ଜଣାଇବେ ।
ଏଜେଣ୍ଡା ଯାହା ଥାଉ ନା କାହିଁକି ଏହି ଅଧିବେଶନରେ ୪ଟି ପ୍ରସଙ୍ଗ ଉପରେ ଗୃହରେ ଖୁବ୍ ହଙ୍ଗାମା ହୋଇପାରେ । ସେଗୁଡିକ ହେଲା, ଚୀନ୍ର ନୂଆ ମାନଚିତ୍ର, ମଣିପୁର ହିଂସା, ଅଡାନୀ-ହିଣ୍ଡନବର୍ଗ ଓ ମହଙ୍ଗା ପ୍ରସଙ୍ଗ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *