ସେପ୍ଟେମ୍ବର ୨ରେ ମିଶନ ସୂର୍ଯ୍ୟ
ବେଙ୍ଗଲୁରୁ, ୨୮ା୮: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ମିଶନ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ କରିବ । ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି, ସେପ୍ଟେମ୍ବର ୨ ତାରିଖ ଭାରତୀୟ ୧୧ଟା ୫୦ ମିନିଟରେ ଆଦିତ୍ୟ ଏଲ୍-୧ ଲଞ୍ଚ୍ ହେବ । ଲଞ୍ଚ୍ ପରେ, ଏହା ଇଲିପ୍ଟିକାଲ୍ କକ୍ଷପଥକୁ ଯିବ ଏବଂ ଏହା ପରେ ଲାଙ୍ଗ୍ରେଜ୍ ପଏଣ୍ଟ (ଏଲ୍-୧) ପଏଣ୍ଟକୁ ଯାତ୍ରା କରିବ । ଏଲ୍-୧ରେ ପହଞ୍ଚôବାକୁ ଲାଗିବ ୪ ମାସ । ସୂର୍ଯ୍ୟ ଉପରେ ଅଧ୍ୟୟନ ପାଇଁ ଏହା ହେବ ପ୍ରଥମ ଭାରତୀୟ ମହାକାଶ ଅଭିଯାନ । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଉପରେ ଗବେଷଣା କରିବ ଆଦିତ୍ୟ ଏଲ୍-୧ । ଏହି ମିଶନର ମୋଟ୍ ବଜେଟ୍ ପ୍ରାୟ ୩୭୮ କୋଟି ଟଙ୍କା । ସୋଲାର କରୋନା (ସୂର୍ଯ୍ୟର ସବୁଠୁ ବାହ୍ୟ ଭାଗ) ଏବଂ ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଲାଙ୍ଗ୍ରେଜ୍ ପଏଣ୍ଟ (ଏଲ୍-୧)ରେ ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ଆଦିତ୍ୟ ଏଲ-୧କୁ ଡିଜାଇନ୍ କରାଯାଇଛି । ଆଦିତ୍ୟ ମହାକାଶଯାନ ସାଙ୍ଗରେ ୭ଟି ପେଲୋଡ୍ ନେବ । ଆଦିତ୍ୟ ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରି ଲାଙ୍ଗ୍ରେଜ୍ ପଏଣ୍ଟରେ ରହି ସୌର ଚୁମ୍ବକୀୟ ପ୍ରବାହ, ସୂର୍ଯ୍ୟର ବାତାବରଣ ଓ ପୃଥିବୀ ଉପରେ ଏହାର ପ୍ରଭାବ ଅନୁଧ୍ୟାନ କରିବ । ଲାଙ୍ଗ୍ରେଜ୍ ପଏଣ୍ଟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ଏହି ପଏଣ୍ଟରେ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରାୟ ସମାନ । ଲାଙ୍ଗ୍ରେଜ୍ ପଏଣ୍ଟରେ ଗ୍ରହଣର ପ୍ରଭାବ ନ ଥାଏ । ଏହି ସ୍ଥାନରୁ ସୂର୍ଯ୍ୟଙ୍କୁ ବିନା କୌଣସି ବାଧାରେ ଦେଖି ହେବ ।
ଏହି ମିଶନ ଭାରତ ପାଇଁ ଐତିହାସିକ କାରଣ ପୂର୍ବରୁ ଭାରତ ମଙ୍ଗଳ ଓ ଚନ୍ଦ୍ରକୁ ଯାନ ପଠାଇ ସଫଳତା ହାସଲ କରିଛି । ସୋଲାର ମିଶନ ଲଞ୍ଚ୍ ପରେ ସୂର୍ଯ୍ୟ ନିକଟକୁ ମହାକାଶ ଯାନ ପଠାଇବାରେ ଭାରତ ହେବ ଚତୁର୍ଥ ଦେଶ । ପୂର୍ବରୁ ଜର୍ମାନୀ, ୟୁରୋପୀୟ ସ୍ପେସ୍ ଏଜେନ୍ସି ଓ ଆମେରିକା ସୋଲାାର ମିଶନ ଲଞ୍ଚ୍ କରିଛନ୍ତି ।
ସୋଲାର ମିଶନ ଲଞ୍ଚ୍ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ମଧ୍ୟ ଡାକିଛି । ଶ୍ରୀହରିକୋଟାରେ ନିର୍ମିତ ଲଞ୍ଚ୍ ଭୁ୍ୟ ଗ୍ୟାଲେରିରେ ବସି ଲୋକେ ଏହା ଦେଖିବେ । ଏଥିଲାଗି ଇସ୍ରୋ ୱେବ୍ସାଇଟ୍ ଜରିଆରେ ରେଜିଷ୍ଟ୍ରେସନ୍ କରିବାକୁ ହେବ ।