ଜେଲ୍ ଗଲେ ଟ୍ରମ୍ପ୍
ଆଟ୍ଲାଣ୍ଟା, ୨୫ା୮: ୨୦୨୦ ମସିହାର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳକୁ ନିଜ ସପକ୍ଷରେ ନେବା ଲାଗି ଷଡଯନ୍ତ୍ର କରିଥିବା ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୁରୁବାର ସନ୍ଧ୍ୟାରେ ଆଟ୍ଲାଣ୍ଟା ଜେଲ୍ରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରାଯାଇଥିଲା । ଜେଲ୍ରେ ୨୨ ମିନିଟ୍ ରହିବା ପରେ ତାଙ୍କୁ ୨ ଲକ୍ଷ ଆମେରିକୀୟ ଡଲାରର ମୁଚାଲିକାରେ ମୁକ୍ତ କରିଦିଆଯାଇଛି । ଟ୍ରମ୍ପ୍ ଗିରଫ ହେବା ପରେ ଜେଲ୍ କର୍ତ୍ତୃପକ୍ଷ ତାଙ୍କ ମଗ୍ଶଟ୍ (ଗିରଫ ବେଳର ଫଟୋଗ୍ରାଫ୍) ଜାରି କରିଛନ୍ତି । ତା ସହିତ ଟ୍ରମ୍ପ୍ଙ୍କ କଏଦୀ ନମ୍ବର (ପି୦୧୧୧୩୫୮୦୯), ଉଚ୍ଚତା (୬ ଫୁଟ୍ ୩ ଇଞ୍ଚ୍), ଓଜନ (୫୭ କେଜି), କେଶ ରଙ୍ଗ (ବ୍ଲଣ୍ଡ୍ ବା ଷ୍ଟ୍ରବେରି ରଙ୍ଗ) ଓ ଆଖି (ନିଳ ରଙ୍ଗ)ର ବର୍ଣ୍ଣନା ଥିବା ରିପୋର୍ଟ ପ୍ରକାଶ କରାଯାଇଥିଲା । ଜେଲ୍ କର୍ତ୍ତୃପକ୍ଷ ଟ୍ରମ୍ପ୍ ରହିଥିବା ଜେଲ୍ କୋଠରୀକୁ ଯାଇ ତାଙ୍କ ଟିପ ଚିହ୍ନ ସଂଗ୍ରହ କରିଥିଲେ । ଏହା କୋର୍ଟ ଓ ପୁଲିସ୍ ରେକର୍ଡର ଅଂଶବିଶେଷ ହେବ । ପୂର୍ବତନ ରାଷ୍ଟ୍ରପତି ଗିରଫ ହୋଇ ଜେଲ୍ ଯିବା ଓ ମଗ୍ଶର୍ଟ ଜାରି ହେବା ଆମେରିକା ଇତିହାସରେ ପ୍ରଥମ ଘଟଣା ।
ଜେଲ୍ରୁ ମୁକୁଳିବା ପରେ ଟ୍ରମ୍ପ୍ ବିମାନ ଯୋଗେ ନୁ୍ୟ ଜର୍ସି ଫେରିଯାଇଥିଲେ । ଫେରିବା ପୂର୍ବରୁ ସେ ସାମ୍ବାଦିକମାନଙ୍କୁ କହିଥିଲେ, ତାଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆସିଛି ସେ ସବୁ ସତ୍ୟର ଅପଳାପ ।
ଟ୍ରମ୍ପ୍ ନୁ୍ୟ ଜର୍ସିରୁ ଆଟଲାଣ୍ଟା ଯାଉଥିବାବେଳେ ସେ ତାଙ୍କ ସମର୍ଥକମାନଙ୍କ ଉଦେ୍ଦ୍ୟଶରେ ବାର୍ତ୍ତା ଦେଇ କହିଥିଲେ, କୌଣସି ଅପରାଧ କରି ନ ଥିବା ସତ୍ତ୍ୱେ ମୋତେ ଗିରଫ କରାଯାଉଛି । ବାର୍ତ୍ତା ପ୍ରଚାରିତ ହେବା ପରେ ତାଙ୍କର ଅନେକ ସମର୍ଥକ ଆଟଲାଣ୍ଟା ଜେଲ୍ ବାହାରେ ଜମା ହୋଇ ବିକ୍ଷେଭ ପ୍ରଦର୍ଶନ କରିଥିଲେ ।
ଏଥରକୁ ମିଶାଇ ଟ୍ରମ୍ପ୍ ଚଳିତବର୍ଷ ୪ ଥର ଆତ୍ମସମର୍ପଣ କଲେଣି । ବହୁ ମାମଲା ସତ୍ତ୍ୱେ ଟ୍ରମ୍ପ୍ ଆଗାମୀ ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।