୮ ମିଟର ଗଡ଼ିଲା ରୋଭର ପ୍ରଜ୍ଞାନ

ବେଙ୍ଗଲୁରୁ, ୨୫ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପଠାଇଥିବା ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଗଡିବା ଆରମ୍ଭ କରିଛି । ଇସ୍ରୋ ପକ୍ଷରୁ ଶୁକ୍ରବାର ଟ୍ୱିଟ୍ କରି ଏ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି । ଇସ୍ରୋ ଲେଖିଛି, ରୋଭର ପ୍ରଜ୍ଞାନ ପ୍ରାୟ ୮ ମିଟର ସଫଳତାର ସହ ଗଡିଛି । ରୋଭର ପେଲୋଡ୍ ଏଲ୍ଆଇବିଏସ୍ ଓ ଏପିଏକ୍ସଏସ୍କୁ ଚାଲୁ କରାଯାଇଛି । ପ୍ରୋପଲସନ୍ ମଡୁ୍ୟଲ୍, ଲାଣ୍ଡର ମଡୁ୍ୟଲ୍ ଓ ରୋଭରରେ ଥିବା ସବୁ ପେଲୋଡ୍ ସ୍ୱାଭାବିକଭାବେ କାମ କରୁଛି ।
ଲାଣ୍ଡର ବିକ୍ରମ ୪ଟି ପେଲୋଡ୍ ଉପରେ କାମ କରିବ । ସେଗୁଡିକ ହେଲା ରମ୍ଭା, ଚେଷ୍ଟ୍, ଇଲ୍ସା ଓ ଲେଜର ରେଟ୍ରୋ ରିଫ୍ଲେକ୍ଟର ଆରେ (ଏଲ୍ଆର୍ଏ) । ରମ୍ଭା ପେଲୋଡ୍ ଚନ୍ଦ୍ରପୃଷ୍ଠକୁ ସୂର୍ଯ୍ୟରୁ ଆସୁଥିବା ପ୍ଲାଜ୍ମା କଣିକାଗୁଡିକର ଘନତ୍ୱ, ମାତ୍ର ଓ ପରିବର୍ତ୍ତନ ବିଶ୍ଳେଷଣ କରିବ । ସେହିପରି ଚେଷ୍ଟ୍ ଚନ୍ଦ୍ରପୃଷ୍ଠର ତାପମାତ୍ରା ଯାଞ୍ଚ କରିବ । ଇଲ୍ସା ଅବତରଣ କ୍ଷେତ୍ର ଆଖପାଖର ଭୂକମ୍ପ ଗତିବିଧି ବିଶ୍ଳେଷଣ କରିବା । ଏଲ୍ଆର୍ଏ ପେଲୋଡ୍କୁ ଚନ୍ଦ୍ରର ଡାଓନେମିକ୍ସ ବିଶ୍ଳେଷଣ ଲାଗି ପଠାଯାଇଛି । ଅଲ୍ଫା ପାର୍ଟିକଲ୍ ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏପିଏକ୍ସଏସ୍) ଚନ୍ଦ୍ରପୃଷ୍ଠର ରାସାୟନିକ ଗଠନ ଓ ଖଣିଜ ଦ୍ରବ୍ୟର ଅଧ୍ୟୟନ କରିବ । ଗୁରୁବାର ଲାଣ୍ଡର ଉପକରଣ ଇଲ୍ସା, ରମ୍ଭା ଓ ଚେଷ୍ଟ୍କୁ ଚାଲୁ କରାଯାଇଥିଲା ।
ଚନ୍ଦ୍ରଯାନ-୨ର ଅର୍ବିଟର ହାଇରିଜୋଲେସନ୍ କ୍ୟାମେରା (ଓଏଚ୍ଆର୍ସି) ଚନ୍ଦ୍ରଯାନ-୩ର ଲାଣ୍ଡର ଅବତରଣର ଫଟୋଚିତ୍ର ପଠାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *