ବିନାନୁମତିରେ ହେଉଥିଲା ମରାମତି

ବାହାନଗା ମାମଲାରେ ସିବିଆଇର ବୟାନ
ଭୁବନେଶ୍ୱର, ୨୫ା୮(ବୁ୍ୟରୋ): ବାହାନଗା ବଜାର ଷ୍ଟେସନ୍ ନିକଟବର୍ତ୍ତୀ ଯେଉଁ ସ୍ଥାନରେ ଟ୍ରେନ ଦୁର୍ଘଟଣା ଘଟି ୨୯୬ ଜଣଙ୍କ ଜୀବନ ଯାଇଥିଲା, ତା’ର ଅତି ନିକଟରେ ଗୋଟିଏ ଲେଭଲ କ୍ରସିଂର ମରାମତି କାମ ବିନାନୁମତିରେ ଚାଲିଥିଲା । ଏକଥା ଭୁବନେଶ୍ୱରସ୍ଥିତ ସିବିଆଇ ସ୍ପେଶାଲ କୋର୍ଟଙ୍କୁ ଜଣାଇଛି । ଗିରଫ ବରିଷ୍ଠ ସେକ୍ସନ୍ ଇଞ୍ଜିନିୟର (ସିଗ୍ନାଲ ଇନ-ଚାର୍ଜ) ଅରୁଣ କୁମାର ମହାନ୍ତଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସିବିଆଇ କୋର୍ଟଙ୍କୁ କହିଛି ଯେ ବାହାନଗା ବଜାର ଷ୍ଟେସନ ନିକଟ ଲେଭଲ କ୍ରସିଂ ଗେଟ୍ ନମ୍ବର ୯୪ର ମରାମତି ଅରୁଣଙ୍କ ଦ୍ୱାରା ହେଉଥିଲା ।ଏଥିପାଇଁ ସିନିୟର ଡିଭିଜନାଲ ସିଗ୍ନାଲ ଓ ଟେଲିକମ୍ ଇଞ୍ଜିନିୟରଙ୍କ ଅନୁମତି ନିଆଯାଇ ନଥିଲା । ମରାମତି ପାଇଁ ଆବଶ୍ୟକ ସର୍କିଟ ଡାଇଗ୍ରାମକୁ ମଧ୍ୟ ଅନୁମୋଦନ ମିଳି ନଥିଲା । ଲେଭଲ କ୍ରସିଂ ଗେଟ ନମ୍ବର ୭୯ର ସର୍କିଟ ଡାଇଗ୍ରାମକୁ ବାହାନଗା ବଜାର ରେଳ ଷ୍ଟେସନର ଉତ୍ତର ଗୁମଟୀର ୱାୟରିଂ କାମବେଳେ ମଧ୍ୟ ବ୍ୟବହାର କରାଯାଇଥିଲା । ଗେଟ୍ ନମ୍ବର ୯୪ର ଅପରେସନକୁ ୧୧୦ ଭୋଲ୍ଟ ଏସିରୁ ୨୪ ଭୋଲ୍ଟ ଡିସିକୁ ପରିବର୍ତ୍ତନ କରିବା ପାଇଁ ଏପରି କରାଯାଇଥିଲା । ଗେଟ ନମ୍ବର ୯୪ର ମରାମତି କାମକୁ ଅରୁଣ ସିଧାସଳଖ ତଦାରଖ କରୁଥିଲେ । ଏହାର ପରିଣାମ ମଧ୍ୟ ତାଙ୍କୁ ଜଣାଥିଲା । ଅରୁଣଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ ଯେଉଁ ଲେଭଲ କ୍ରସିଂ ଗେଟ୍ ଉପରେ ପ୍ରଶ୍ନ ଉଠାଯାଉଛି, ତାହା ବେଶ କିଛି ଦିନ ହେବ ଠିକ ଭାବେ କାମ କରୁ ନଥିଲା । ତଥାପି ଅରୁଣଙ୍କ ଉପରେ ଥିବା ଅଧିକାରୀମାନେ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ । ତଦାରଖ କାମ କିଛି ଅଲଗା ଲୋକଙ୍କ ଉପରେ ବିଶ୍ୱାସ କରି ଛଡ଼ା ଯାଇଥିଲା । ତେଣୁ ଦୁର୍ଘଟଣା ପାଇଁ ଅରୁଣ ଦାୟୀ ନୁହନ୍ତି ।
ଦୁଇ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ଅରୁଣଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *