ଚନ୍ଦ୍ରରେ ଜୟ ହିନ୍ଦ୍

ଦକ୍ଷିଣ ମେରୁ ନିକଟରେ
ଯଥାସମୟରେ ଅବତରଣ
ଲାଣ୍ଡରରୁ ପୃଥକ୍ ହେଲା ରୋଭର ପ୍ରଜ୍ଞାନ
ଚନ୍ଦ୍ରପୃଷ୍ଠରେ ୧୪ ଦିନ କରିବ ଗବେଷଣା
୪୦ ଦିନରେ ପ୍ରାୟ ୪ ଲକ୍ଷ କିମି ଯାତ୍ରା
ଅପାର ସଫଳତାରେ ଦେଶ ଗୌରବାନ୍ୱିତ
ଦକ୍ଷିଣ ଆଫ୍ରିକାରୁ ସିଧା
ପ୍ରସାରଣ ଦେଖିଲେ ମୋଦି
ବଧେଇ ଜଣାଇଲେ
ନାସା, ରୁଷ ଓ ୟୁରୋପର ସ୍ପେସ୍ ଏଜେନ୍ସି
ସେପ୍ଟେମ୍ବରରେ ଲଞ୍ଚ୍ ହେବ ଆଦିତ୍ୟ-ଏଲ୍୧
ବେଙ୍ଗଲୁରୁ, ୨୩ା୮: ୪୦ ଦିନରେ ପ୍ରାୟ ୪ ଲକ୍ଷ କିଲୋମିଟର ଅତିକ୍ରମ କରି ବୁଧଭାର ଚନ୍ଦ୍ରର ଦକ୍ଷିଣ ମେରୁରେ ନିର୍ଦ୍ଧାରିତ ସମୟରେ ସୁରୁଖୁରୁରେ ଅବତରଣ କରିଛି ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ ସିରିଜର୍ ତୃତୀୟ ସଂସ୍କରଣ ଚନ୍ଦ୍ରଯାନ-୩ । ବଡ଼ବଡ଼ ଦେଶ ଯେଉଁ ସ୍ଥାନକୁ ଯିବା ପାଇଁ ସାହସ କରିନାହାଁନ୍ତିି, ସେଠାରେ ଉଡ଼ିଛି ଭାରତର ତ୍ରିରଙ୍ଗା । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ଅବତରଣ କରାଇ ମହାକାଶ ଅନୁସନ୍ଧାନ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି ଭାରତୀୟ ମହାକାଶ ଗବେଷଣା ସ୍ଥଂସ୍ଥା ଇସ୍ରୋ । ଦୁଇଟି ପରୀକ୍ଷଣ ବିଫଳ ହେବା ପରେ ଇସ୍ରୋର ତୃତୀୟ ପ୍ରଚେଷ୍ଟା ସଫଳ ହୋଇଛି । ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରି ପାଦ ଥାପିଛି । ଅପରାହ୍ନ ୫ଟା ୪୪ରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧, ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ୩୦ କିଲୋମିଟର ଉଚ୍ଚତାରୁ ଖସି ୧୯ ମିନିଟ୍ ଭିତରେ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ସକ୍ଷମ ହୋଇଛି । ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା, ନିଜର ଅବତରଣ ବେଗ କମ୍ କରିବା ଓ ସୁରକ୍ଷିତ ଭାବେ ସଫ୍ଟ ଲ୍ୟାଣ୍ଡିଂ କରିବା ଆଦି ସବୁ କିଛି ସ୍ୱଂୟ·ଳିତ ଢଙ୍ଗରେ ଶେଷ ହୋଇଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ, ସଫ୍ଟ ଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭର ପ୍ରଜ୍ଞାନକୁ ବାହାର କରାଯାଇଛି । ଏହାକୁ ଆଗାମୀ ୧୪ ଦିନ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଗଡ଼ାଇ ଇସ୍ରୋ ବୈଜ୍ଞାନିକମାନେ ବିଭିନ୍ନ ତଥ୍ୟ ହାସଲ କରିବେ । ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ।
ଚନ୍ଦ୍ରଯାନ-୨ର ଆଂଶିକ ବିଫଳତାରୁ ଶିକ୍ଷା ଲାଭ କରି ଇସ୍ରୋ ଚନ୍ଦ୍ରଯାନ-୩ ତିଆରି କରିଥିଲା । ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇ ଥିଲା । ଏହାକୁ ସବୁପ୍ରକାର ତ୍ରୁଟିର ତକ୍ରାଳ ସମାଧାନ ପାଇଁ ସକ୍ଷମ କରାଯାଇଥିଲା । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ସମୁଦାୟ ୪୦ ଦିନ ଲାଗିଛି । ପ୍ରଥମେ ଅଣ୍ଡାକୃତି ଏବଂ ପରେ ବୃତ୍ତାକାର ଗତିରେ ଘୁରିବା ପରେ ସଫଳ ଅବତରଣ କରିଛି ଚନ୍ଦ୍ରଯାନ-୩ ।
ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ଧାର୍ଯ୍ୟ କରାଯାଇଥିଲା । ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା । ବହୁ ଉଚ୍ଚ ମାନର ଯାନ୍ତ୍ରିକ ପ୍ରଯୁକ୍ତି ନିୟୋଜିତ ହୋଇଥିଲା । ଚନ୍ଦ୍ରଯାନ-୩ରେ ପାଖାପାଖି ୪୦୦ କମ୍ପାନୀର ବହୁ ଉଚ୍ଚ ମାନର ଯନ୍ତ୍ରପାତି ଖଞ୍ଜା ଯାଇଥିଲା । ଭୁବନେଶ୍ୱରର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ମଧ୍ୟ ଟେକ୍ନୋଲଜି ଯୋଗାଇଥିଲା ।
ଚନ୍ଦ୍ରରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବା ଆଶା କରାଯାଉଛି । ସେଠାରେ ଥିବା ଜଳ ପାନୀୟ ଭାବରେ ବ୍ୟବହାର ହୋଇପାରିବ କି ନାହିଁ, ସେଥିରୁ ଅମ୍ଳଜାନ ପ୍ରସ୍ତୁତ କରାଯାଇ ପାରିବ କି ନାହିଁ ଏଭଳି ବିଭିନ୍ନ ଦିଗ ଉପରେ ଇସ୍ରୋ ଅନୁସନ୍ଧାନ କରିବ । ମୁନ୍ ମିଶନ୍ ମହାସାଗରର ଉତ୍ପତ୍ତି ବିଷୟରେ ମଧ୍ୟ ସୂଚନା ଦେଇପାରେ ।
ମୁନ୍ ମିଶନର ସଫଳତା ପରେ ଇସ୍ରୋର ଅନେକ ପ୍ରୋଜେକ୍ଟ ରହିଛି । ସୂର୍ଯ୍ୟ ଉପରେ ଅନୁସନ୍ଧାନ କରିବାକୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୍୧ ଉତକ୍ଷେପଣ ଓ ପରେ ମାନବଯୁକ୍ତ ଗଗନଯାନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *