୧୭ ଶ୍ରମିକଙ୍କ ମୃତୁ୍ୟ

ଭୁଶୁଡ଼ିଲା ରେଲୱେ ଓଭରବ୍ରିଜ୍
ଆଇଜୋଲ, ୨୩ା୮: ମିଜୋରାମର ସୈରାଙ୍ଗ ନିକଟରେ ବୁଧବାର ଏକ ବଡ଼ ଅଘଟଣ ଘଟି ୧୭ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ନିର୍ମାଣାଧୀନ ରେଲ୍ୱେ ଓଭରବ୍ରିଜ୍ ଭୁଶୁଡ଼ିବା ଯୋଗୁ ଏହି ଅଘଟଣ ଘଟିଛି । ଭାଙ୍ଗିପଡିଥିବା ଓଭରବ୍ରିଜ୍ ତଳେ କେତେକ ଶ୍ରମିକ ପୋତି ହୋଇପଡିଥିବାରୁ ମୃତୁ୍ୟ ସଂଖ୍ୟା ଆହୁରି ବଢିପାରେ ।
ସୈରାଙ୍ଗରୁ ଆଇଜୋଲ ପର୍ଯ୍ୟନ୍ତ ରେଳ କନେକ୍ଟଭିଟି ବ୍ରିଜ ନିର୍ମାଣ କରାଯାଉଛି । ଏହି କାମରେ ପ୍ରାୟ ୪୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଠାତ୍ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ୧୭ ଶ୍ରମିକ ଆଖିବୁଜିଥିଲେ ।
ଜଣେ ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ସୁଦ୍ଧା ମୋଟ ୧୭ ମୃତଦେହ ଉଦ୍ଧାର କରାଯାଇଛି, ଅନେକ ଶ୍ରମିକ ନିଖୋଜ ଅଛନ୍ତି । ତେଣୁ ଆଗକୁ ମୃତକଙ୍କ ସଂଖ୍ୟା ବଢିିପାରେ । ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
କିଛି ବର୍ଷ ହେବ ଏହି ବ୍ରିଜ କାମ ·ଲିଥିଲା । ପୂର୍ବତନ ସୀମାନ୍ତ ରେଲୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଡି କହିଛନ୍ତି, ଆମେ ଏ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଠିକ ଭାବେ ଜାଣି ପାରିନୁ ।
ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।
ଏହି ଅଘଟଣ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *