ବ୍ରାହ୍ମଣୀରେ ହେବ ପଣ୍ୟ ପରିବହନ
ନୂଆଦିଲ୍ଲୀ, ୨୩ା୮: ସଡ଼କ ଓ ରେଳପଥରେ ପଣ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ ପ୍ରଦୂଷଣ ମଧ୍ୟ ବଢ଼ୁଛି । ତେଣୁ ଜଳପଥରେ ପଣ୍ୟ ପରିବହନ ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଓଡ଼ିଶାର ବ୍ରାହ୍ମଣୀ ନଦୀରେ ହେବାକୁ ଯାଉଛି ନଦୀ ଜଳପଥ ପ୍ରକଳ୍ପ । ବାଣିଜ୍ୟ କାରବାରକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର ଏଭଳି ଏକ ଯୋଜନା ଉପରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ପ୍ରକଳ୍ପରେ ନିବେଶ ହେବ ୧୨ ହଜାର କୋଟି । ଓଡ଼ିଶାର ୪ ପ୍ରମୁଖ ଶିଳ୍ପ କ୍ଲଷ୍ଟରରୁ ପାରାଦୀପ ଏବଂ ଧାମରାକୁ ସାମଗ୍ରୀ ପରିବହନ ଲାଗି ଏଭଳି ଏକ ପ୍ରକଳ୍ପ ହାତକୁ ନିଆଯାଉଛି ।
ଜଳପଥ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୧୧ ନିୟୁତ ଟନ୍ ପଣ୍ୟ ପରିବହନ ହେବ । ୨୦୩୦ ବେଳକୁ ଏହା ୨୩ ନିୟୁତ ଟନ୍ ବୃଦ୍ଧି ହେବାରରେ ସମ୍ଭାବନା ରହିଛି । ଇଞ୍ଜିନିୟରିଂ, ପ୍ରୋକୁ୍ୟରମେଣ୍ଟ ଏବଂ କନ୍ଷ୍ଟ୍ରକସନ (ଇପିସି) ମଡେଲରେ ଏହି ଭିତ୍ତିଭୂମି ପ୍ରକଳ୍ପକୁ ପରିଚାଳନା କରାଯିବ । ଏଥିପାଇଁ ଏକ ସ୍ପେଶାଲ ପରପୋଜ ଭେଇକିଲ (ଏସ୍ପିଭି) ଗଠନ ହେବ । ରାଷ୍ଟ୍ରାୟ କୋଲ୍ ଇଣ୍ଡିଆ ଲିମିଟେଡ (ସିଆଇଏଲ), ଭାରତୀୟ ନଦୀ ଜଳପଥ କର୍ତ୍ତୃପକ୍ଷ (ଆଇଡବ୍ଲ୍ୟୁଏଆଇ), ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାର ମିଳିତ ଭାବେ ଏସ୍ପିଭିରେ ସାମିଲ ହେବାର ଯୋଜନା ରହିଛି ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ।
ସୂଚନା ମୁତାବକ ଏହି ଜାତୀୟ ଜଳପଥ-୫ର ଲମ୍ବ ୫୮୮ କିଲୋମିଟର ହେବ । ନଦୀଗର୍ଭରେ ୩୭୧ କିମି ଓ ୨୧୭ କିମି କେନାଲ ରହିବ । ବ୍ରାହ୍ମଣୀ କୂଳରେ ଥିବା ତାଳଚେର ସହରରୁ ଜଳପଥରେ କୋଇଲା ଆସି ପାରାଦୀପ ଓ ଧାମରାରେ ପହଞ୍ଚିବ । ବର୍ଷସାରା ନଦୀରେ ପାଣି ରହିବା ପାଇଁ ତାଳଚେରରୁ ଯୋକାଡିଆ ମଧ୍ୟରେ ୫ଟି ବ୍ୟାରେଜ୍ ନିର୍ମାଣ କରାଯିବ । ପ୍ରତି ୨୬ କିଲୋମିଟର ବ୍ୟବଧାନରେ ଏହି ବ୍ୟାରେଜ୍ ରହିବ । ପଣ୍ୟ ଜାହାଜ ଯାତାୟତ ବେଳେ ଏହି ବ୍ୟାରେଜ୍ ଗେଟ୍ ଖୋଲିବ ଓ ପରେ ବନ୍ଦ ହେବ । ତାଳଚେର ସହ ସୁକିନ୍ଦା, ଡୁବୁରୀ ଅଞ୍ଚଳରୁ ଲୁହାପଥର, କ୍ରୋମାଇଟ୍ ମଧ୍ୟ ବନ୍ଦରକୁ ପରିବହନ କରାଯିବ । ଧାମରା ସହ ପାରାଦୀପକୁ ମଧ୍ୟ ଜଳପଥରେ ସଂଯୋଗ କରାଯିବାର ଯୋଜନା ରହିଛି
ଜାତୀୟ ଜଳପଥ ୫ (ଏନଡବ୍ଲ୍ୟୁ୫)କୁ କାର୍ଯ୍ୟକ୍ଷମ କରାଇବା ଦିଗରେ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ଦିଗରେ ଏହି ଅଂଶୀଦାରମାନେ ମିଳିତ ହୋଇ କାମ କରିବେ । ଏସ୍ପିଭି ଗଠନକୁ ଅଂଶୀଦାର କମ୍ପାନିର ବୋର୍ଡ ଏବଂ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଞ୍ଜୁରି ମିଳିସାରିଛି । ଏହି ପ୍ରକଳ୍ପ ବିକାଶ ଦିଗରେ ରାଜ୍ୟ ସରକାର ଆବଶ୍ୟକୀୟ ସବୁ ପ୍ରକାରର ସହାୟତା ଯୋଗାଇଦେବେ ବୋଲି ଅଧିକାରୀ କହିଛନ୍ତି । ପ୍ରକଳ୍ପ ଲାଗି ବୃହତ ପୁଞ୍ଜି ଆବଶ୍ୟକ ଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗ ମଧ୍ୟ ଆବଶ୍ୟକ ରହିଛି । ତେବେ ପ୍ରସ୍ତାବିତ ପ୍ରକଳ୍ପର ସଫଳ କାର୍ଯ୍ୟାନୁଷ୍ଠାନ ଦିଗରେ ବିଭିନ୍ନ ଚ୍ୟାଲେଞ୍ଜ ରହିଛି । ଜଳପଥ ବିକାଶ ଲାଗି ନଦୀଗର୍ଭର ଖନନ, ବିଭିନ୍ନ ସ୍ଥାନରେ ନଦୀର ଗଭୀରତାକୁ ଖାପ ଖୁଆଇବା ଭଳି ନାଭିଗେସନ ଲକ୍ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଏହା ମଧ୍ୟରେ ସାମିଲ ରହିଛି । ଏସ୍ପିଭିରେ ଅଂଶଧନ ଅନୁସାରେ କମ୍ପାନିଗୁଡ଼ିକ ଅର୍ଥ ପ୍ରଦାନ କରିବେ । ବନ୍ଦର ଓ ନୌପରିବହନ ମନ୍ତ୍ରାଳୟ ମୁତାବକ, ଜଳପଥ ପରିବହନ ଅପେକ୍ଷାକୃତ ଶସ୍ତା । ଏହା ଦ୍ୱାରା ବୃହତ ପରିମାଣର ପଣ୍ୟ ପରିବହନ ହୋଇପାରିବ । ତେବେ ଦେଶର ମୋଟ ପରିବହନ କ୍ଷେତ୍ରରେ ଜଳପଥର ଅଂଶ ମାତ୍ର ୨ ପ୍ରତିଶତ ରହିଛି । କେନ୍ଦ୍ର ସରକାର ମାରିଟାଇମ ଇଣ୍ଡିଆ ଭିଜନ ୨୦୩୦ରେ ଏହାକୁ ୫ ପ୍ରତିଶତକୁ ବଢ଼ାଇବା ଦିଗରେ ଲକ୍ଷ୍ୟ ରଖିଛନ୍ତି ।ବିଶେଷଜ୍ଞଙ୍କ କହିବା ମୁତାବକ, କେନ୍ଦ୍ର ସରକାରଙ୍କ ଏହା ଏକ ମହତ୍ୱାକାଂକ୍ଷୀ ଯୋଜନା । ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଯୋଗଦାନ ଦେବ । ମାତ୍ର ପ୍ରକଳ୍ପରେ ବୃହତ ନିବେଶ ହେଉଥିବାରୁ ପ୍ରାରମ୍ଭରେ ଏହି ଜଳପଥ ବ୍ୟବହାର କ୍ଷେତ୍ରରେ ବିମାନ ବନ୍ଦର ଭଳି ଦେୟ ଭରିବାକୁ ପଡ଼ିବ । ସେହିଭଳି ନିବେଶ ଅର୍ଥ ଉଠାଇବା କେନ୍ଦ୍ର ସରକାରଙ୍କ ଲାଗି କଷ୍ଟକର ହେବ । ଜଳପଥ ଲାଗି ସବୁ ସମୟରେ ନଦୀରେ ଜଳ ରହିବା ମଧ୍ୟ ଏକ ପ୍ରମୁଖ ଆବଶ୍ୟକତା । ଏଭଳି ଯୋଜନା କାର୍ଯ୍ୟକାରୀ ହେଲେ ଏହା ଅନ୍ୟ ରାଜ୍ୟଗୁଡିକ ଲାଗି ଉଦାହରଣ ପାଲଟିବ । ଜଳପଥରେ ଯାତ୍ରା ନେଇ ଲୋକଙ୍କୁ ଉତ୍ସାହିତ କରିବା ସହ ହସ୍ପିଟାଲିଟି କ୍ଷେତ୍ରର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ । ଓଡ଼ିଶା ଏବେ ଦ୍ରୁତ ଅଭିବୃଦ୍ଧି ପଥରେ ବଢ଼ୁଥିବାବେଳେ ଏହା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ତେବେ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ଶୀଘ୍ର କାର୍ଯ୍ୟକାରୀ କରାଇବା ଦିଗରେ ଅଂଶୀଦାରଙ୍କ ଉଦ୍ୟମ ମଧ୍ୟ ଜରୁରୀ ବୋଲି ବିଶେଷଜ୍ଞ ଉଲ୍ଲେଖ କରିଛନ୍ତି ।