ମୁଖ୍ୟମନ୍ତ୍ରୀ ସ୍ରିମ୍ ସ୍କିମ୍ର ଶୁଭାରମ୍ଭ
ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
ଭୁବନେଶ୍ୱର, ୨୨ା୮(ବୁ୍ୟରୋ): ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, “ଚିଫ୍ ମିନିଷ୍ଟର୍ସ ସ୍କିମ୍ ଫର ରିମ୍ବର୍ସମେଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ଟୁ ଏମ୍ଏସ୍ଏମଇ (ସିଏମ୍-ଏସ୍ଆରଆଇଏମ୍) ଯୋଜନା । ଏହି ଯୋଜନା ଅଧୀନରେ ଉତ୍ପାଦନ ଆରମ୍ଭ କରିଥିବା ଏମ୍ଏସ୍ଏମ୍ଇ ୟୁନିଟଗୁଡ଼ିକୁ ସରକାର ·ରିଟି ବର୍ଗରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ । ମଙ୍ଗଳବାର ଏ ସମ୍ପର୍କରେ ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଉତ୍ପାଦନ ଆରମ୍ଭ କରିଥିବା ୟୁନିଟ୍ ଗୁଡିକ ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।
କାର୍ଯ୍ୟଶୈଳୀ ପୁଞ୍ଜିଋଣ ଉପରେ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୧୦୦% ଅର୍ଥ ଫେରସ୍ତ ଦିଆଯିବ । ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଋଣ କରିଥିବା ଏମ୍ଏସ୍ଏମ୍ଇ ୟୁନିଟଗୁଡ଼ିକୁ ସରକାର ୭୫% ଅର୍ଥ ଫେରସ୍ତ ଦେବେ । ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ଋଣକରି କାମ ଆରମ୍ଭ କରିଥିବା କମ୍ପାନୀଙ୍କୁ ୫୦% ଏବଂ ୧ କୋଟିରୁ ୩ କୋଟି ଟଙ୍କା ଋଣ ଉପରେ ୨୫% ଅର୍ଥ ଫେରସ୍ତ ମିଳିବ । ଏ ସମ୍ପର୍କରେ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରିକରାଯିବ ବୋଲି କୁହାଯାଇଛି । ଏମ୍ଏସ୍ଏମ୍ଇ ୟୁନିଟଗୁଡ଼ିକୁ ବ୍ୟାଙ୍କ ଋଣ ଉପରେ ସବ୍ସିଡି ପ୍ରଦାନ କରିବା ପାଇଁ ଗତ ବଜେଟ ଅଧିବେଶନରେ ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ । ଏହି କ୍ରମରେ ସେମାନଙ୍କୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ (ୱାର୍କିଂ କ୍ୟାପିଟାଲ) ଉପରେ ୨୫%ରୁ ୧୦୦% ପର୍ଯ୍ୟନ୍ତ ସବ୍ସିଡି ମିଳିବ ବେଲି କୁହାଯାଇ ଥିଲା । ଏବାବଦରେ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡିକୁ ୧୫୦ କୋଟିରୁ ୨୦୦ କୋଟି ଟଙ୍କା ଦେବେ ।
ବୃହତ ଶିଳ୍ପାନୁଷ୍ଠାନ ତୁଳନାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଦେଶ ଓ ରାଜ୍ୟର ଆର୍ଥିକ ବିକାଶରେ ଏମ୍ଏସ୍ଏମ୍ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନେଇଛନ୍ତି । ଗତବର୍ଷ ଡିସେମ୍ବରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ବିକାଶ ନୀତି-୨୦୨୨କୁ ଅନୁମୋଦନ କରାଯାଇଛି । ଏହି ନୀତି ଏମ୍ଏସ୍ଏମ୍ଇର ପ୍ରଗତି ନିମନ୍ତେ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଘୋଷଣା କରୁଛି ଯାହା ଏହି ଉଦ୍ୟୋଗର ଅଭିବୃଦ୍ଧି କରିବା ସହିତ ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧିରେ ସହାୟକ ହେବ । ସେହିପରି ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ବିଭାଗ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି), ଭୁବନେଶ୍ୱର ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ (ଏଫ୍ଆଇଇଓ) ସହିତ ରାଜ୍ୟ ସରକାର କାମ କରୁଚନ୍ତି । ସାଧାରଣତଃ ରପ୍ତାନି ପୂର୍ବରୁ ଉତ୍ପାଦ ପରୀକ୍ଷଣ, ଦେଶ ଅନୁସାରେ ପ୍ରମାଣପତ୍ର ଯୋଗାଡ଼ ଆଦି କାର୍ଯ୍ୟ ପାଇଁ ଏମ୍ଏସ୍ଏମଇ ୟୁନିଟ୍ ନିଜ ପକେଟରୁ ଖର୍ଚ୍ଚ କରୁଥିବା ୭/୮ ପ୍ରକାର ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ । ୨୦୨୨-୨୩ ଆର୍ଥିକ ବର୍ଷରେ ୪୪୪ଟି ଏମ୍ଏସ୍ଏମଇ ୟୁନିଟ୍କୁ ସରକାର ୪୯ କୋଟି ଟଙ୍କା ସହାୟତା ଦେଇଥିବା ବେଳେ ୨୦୧୭-୧୮ରୁ ଏପର୍ଯ୍ୟନ୍ତ ୨୫୦୦ ୟୁନିଟ୍କୁ ୨୮୦ କୋଟି ଟଙ୍କା ସହାୟତା ଦିଆଯାଇଛି । ଅପରପକ୍ଷେ ରାଜ୍ୟ ସରକାର ଷ୍ଟାର୍ଟଅପ୍ ସଂସ୍ଥାଙ୍କୁ ସହାୟତା ବାବଦରେ ୧୮.୬୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟରେ ଉତ୍ତମ ଗମନାଗମନ ଓ ପରିବହନ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଆମଦାନୀ ଓ ରପ୍ତାନି ଉପରେ ପଡୁଛି । ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟ, ପ୍ରସାଧନ ସାମଗ୍ରୀ, ସାମୁଦ୍ରିକ ଖାଦ୍ୟ, ହସ୍ତଶିଳ୍ପ ଓ ହସ୍ତକଳା ଭଳି ବିଭିନ୍ନ କ୍ଷେତ୍ରରୁ ରପ୍ତାନି ବୃଦ୍ଧି ପାଉଛି ।