୮ ବର୍ଷ ହେଲା ଫେରାର ଥିବା ବିଡିଓ ଦିଲ୍ଲୀରୁ ଗିରଫ
କୋରାପୁଟ, ୨୧ା୮(ଆପ୍ର): ଏକାଧିକ ଦୁର୍ନୀତି ମାମଲାରେ ଜଡ଼ିତ ଥାଇ ୮ ବର୍ଷ ହେଲା ଫେରାର ଥିବା କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଗିରଫ କରିଛି । ରମେଶଙ୍କୁ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଜୟପୁର ଅଣାଯାଇ ସ୍ଥାନୀୟ ସ୍ପେଶାଲ କୋର୍ଟରେ ହାଜର କରାଯିବ । ରାଜ୍ୟ ସରକାର ତାଙ୍କୁ ପଳାତକ ଘୋଷଣା କରିଥିଲେ ।
ରମେଶ ସାହୁଙ୍କ ନାମରେ ପ୍ରାୟ ୩୪ ଲକ୍ଷ ଟଙ୍କାର ହେରଫେର ନେଇ ୭ ମାମଲା ରୁଜୁ କରାଯାଇଥିଲା । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ୍ ତାଙ୍କ ଦୁର୍ନୀତିର ତଦନ୍ତ କରୁଥିଲା l୨୦୧୫ରୁ ସେ ଫେରାର ଥିଲେ । ତାଙ୍କୁ ଧରିବା ଲାଗି ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ କରାଯାଇଥିଲା । ଅନେକ ସମୟରେ ସେ ଠିକଣା ବଦଳାଉଥିଲେ । ଦିଲ୍ଲୀ, ଆସାମ, ବିହାର ଆଦି ସ୍ଥାନରେ ସେ ଆତ୍ମଗୋପନ କରୁଥିବା ଭିଜିଲାନ୍ସ ଟିମ୍କୁ ସୂଚନା ମିଳିଥିଲା । ଗତମାସରେ ଆସମର ଜୋରହାଟରେ ରମେଶ ଆତ୍ମଗୋପନ କରିଥିଲେ । ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ଲାଗି ଉଦ୍ୟମ କରିଥିବାବେଳେ ସେ ଦିଲ୍ଲୀ ପଳାଇ ଆସିଥିଲେ ।
ସୂଚନାଯୋଗ୍ୟ, ଆଠ ବର୍ଷ ତଳେ ରମେଶ ଚନ୍ଦ୍ର ସାହୁ ନାରାୟଣପାଟଣା ବ୍ଲକ୍ରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ । ୨୦୧୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ନାରାୟପାଟଣାର ବିଡିଓ ଭାବେ ରହିଥିଲେ । ସେହି ସମୟରେ ବ୍ଲକ୍ର ଉନ୍ନୟନମୂଳକ କାର୍ଯ୍ୟର ୩୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ନାମରେ ସରକାରଙ୍କ ତରଫରୁ ସାତଟି ମାମଲା ରୁଜୁ ହୋଇଥିଲା । ଏଥି ସହ କିଛି ପଂ·ୟତ ନିର୍ବାହୀ ଅଧିକାରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ବେଳେ ସେମାନେ କିଛି ଟଙ୍କା ପୈଠ କରି ଦୋଷମୁକ୍ତ ହୋଇଥିଲେ ।