ଦ୍ୱିତୀୟ ଡିବୁଷ୍ଟିଂ ସଫଳ
୨୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ ଲାଣ୍ଡିଂ
ବେଙ୍ଗଲୁରୁ, ୨୦ ।୮: ଇସ୍ରୋର ମୁନ୍ ମିଶନ ଚନ୍ଦ୍ରଯାନ-୩ ବର୍ତ୍ତମାନ ସୁଦ୍ଧା ସମସ୍ତ ଲକ୍ଷ୍ୟ ପୂରଣ କରିଛି । ରବିବାର ସକାଳେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହେବାର କିଛି ଘଣ୍ଟା ପରେ ଲ୍ୟାଣ୍ଡିଂ ସମୟ ସ୍ପଷ୍ଟ ହୋଇଛି । ଯାନର ବେଗ କମାଇବା ପାଇଁ ଡିବୁଷ୍ଟିଂ କରାଯାଇଥିଲା । ଅଗଷ୍ଟ ୨୩ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ କହିଛି । ପ୍ରଥମେ ଏହା ଅପରାହ୍ନ ୫:୪୫ ରେ ଲ୍ୟାଣ୍ଡିଂ କରିବ ବୋଲି କୁହାଯାଇଥିଲା ।
ଚନ୍ଦ୍ରର ନିକଟତର ହେବାରେ ଲାଗିଛି ଭାରତର ତୃତୀୟ ମିଶନ ଚନ୍ଦ୍ରଯାନ-୩ । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ଠାରୁ ମାତ୍ର ୨୫ କିମି ଦୂରରେ ରହିଛି । ଦୁଇ ଦିନ ତଳେ ଲାଣ୍ଡର ପ୍ରଥମ ଡିବୁଷ୍ଟିଂ ହୋଇଥିଲା । ଗୁରୁବାର ପ୍ରପଲସନ ମଡୁ୍ୟଲରୁ ଅଲଗା ହୋଇଥିଲା ଲାଣ୍ଡର । ପ୍ରପଲସନ ମଡୁ୍ୟଲ ଚନ୍ଦ୍ର ଚାରିପଟେ ମାସ ମାସ ଘୂରିବ । ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର ‘ବିକ୍ରମ’ରୁ ରୋଭର୍ ‘ପ୍ରଜ୍ଞାନ’ ବାହାରି ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରୁ ତଥ୍ୟ ଯୋଗାଇବ । ତେବେ ଇସ୍ରୋ ବୈଜ୍ଞାନିକମାନେ ଏହାକୁ ୨୮ ଦିନ ପର୍ଯ୍ୟନ୍ତ ବଢ଼ାଇବା ଯୋଜନା କରୁଛନ୍ତି । ସେଥିପାଇଁ ଲ୍ୟାଣ୍ଡର ଓ ରୋଭର୍କୁ ଚାର୍ଜ କରାଇବା ଲାଗି ଉଚ୍ଚପ୍ରଯୁକ୍ତି ବିକଶିତ କରାଯାଇଛି । ଚନ୍ଦ୍ରଯାନ-୨ ତୁଳନାରେ ୩ର ସେନ୍ସରକୁ ଖୁବ୍ ଉନ୍ନତ କରାଯାଇଛି । ଏଥିରେ ଗୋଟିଏ ଦୁଇଟି ଅତିରିକ୍ତ ସେନ୍ସର୍ ରଖାଯାଇଛି ।