ଲାଣ୍ଡିଂ ପୂର୍ବରୁ ଲୁନା-୨୫ କ୍ରାସ୍

ରୁଷର ମୁନ୍ ମିଶନ୍ ଫେଲ୍
ନୂଆଦିଲ୍ଲୀ, ୨୦ ।୮: ଚନ୍ଦ୍ରପୃଷ୍ଠର ଲାଣ୍ଡିଂର ୨୪ ଘଣ୍ଟା ପୂର୍ବରୁ ରୁଷର ମହାକାଶ ଯାନ ଲୁନା-୨୫ କ୍ରାସ୍ ହୋଇଛି । ଲୁନା-୨୫କୁ ଅଗଷ୍ଟ-୧୦ରେ ଲଞ୍ଚ କରିଥିଲା ରୁଷ । ଭାରତର ଚନ୍ଦ୍ରଯାନ-୩ର ଦୁଇ ଦିନ ପୂର୍ବରୁ (ଅଗଷ୍ଟ ୨୧ରେ) ଏହା ଅବତରଣ କରିବାର ଥିଲା । ଶନିବାର ଏହି ମହାକାଶ ଯାନରେ କିଛି ତ୍ରୁଟି ଦେଖାଦେଇଥିଲା । ରବିବାର ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇ ୮୦୦ କେଜି ଓଜନର ଲୁନା-୨୫ ଲାଣ୍ଡର କ୍ରାସ୍ ହୋଇଯାଇଛି । ଫଳରେ ରୁଷର ଚନ୍ଦ୍ରଯାତ୍ରା ବିଫଳ ହୋଇଛି । ଭୁଲ୍ କକ୍ଷକୁ ଚାଲିଯିବା ଫଳରେ ଏଭଳି ବିଭ୍ରାଟ ଘଟିଲା ।
ଚନ୍ଦ୍ରପୃଷ୍ଠକୁ ଧକ୍କା ଦେବା ପରେ ଯାନ ସହ ସମ୍ପର୍କ ନଷ୍ଟ ହୋଇଯାଇଥିବା ସୂଚନା ଦେଇଛି ରୁଷର ସ୍ପେଶ ଏଜେନ୍ସି ରସ୍କସ୍ମସ୍ ।
ସୋଭିଏତ୍ ଯୁଗର ସମ୍ମାନ ଫେରିପାଇବା ଆଶାରେ ୪୭ ବର୍ଷ ପରେ ରୁଷ୍ ଏହି ମୁନ୍ ମିଶନ୍ ଆରମ୍ଭ କରିଥିଲା । ମହାକାଶକୁ ଯାନ ପଠାଇବାରେ ସୋଭିଏତ୍ ରୁଷ୍ ଥିଲା ପ୍ରଥମ ରାଷ୍ଟ୍ର । ୧୯୫୭ରେ ରୁଷ୍ର ସ୍ପୁତନିକ୍-୧ କୃତ୍ରିମ ଉପଗ୍ରହର ସଫଳ ଉତ୍କ୍ଷେପଣ କରାଯାଇଥିଲା । ୧୯୭୬ ପରେ ଲୁନା-୨୫ ଥିଲା ରୁଷର ପ୍ରଥମ ଚନ୍ଦ୍ର ଅଭିଯାନ । ଏହି ମହାକାଶଯାନ ଚନ୍ଦ୍ରରେ ପ୍ରାୟ ବର୍ଷେ କାଳ ରହି ସେଠାରୁ ନମୁନା ସଂଗ୍ରହ ସହିତ ମୃତ୍ତିକା ବିଶ୍ଳେଷଣ କରିବ ବୋଲି ରୁଷ କହିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ସୋଭିଏତ୍ ଯୁଗରେ ଚନ୍ଦ୍ର ଅଭିମୁଖେ ଯାଇଥିବା ଲୁନା-୨୪ ମିଶନ୍ ସଫଳ ହୋଇଥିଲା । ସୋଭିଏତ୍ ରୁଷ୍ ଭାଗଭାଗ ହୋଇଯିବା ପରେ ରୁଷ୍ ଆଉ ଦୁଇ ଥର ମୁନ୍ ମିଶନ୍ ଉଦ୍ୟମ କରି ବିଫଳ ହୋଇଥିଲା । ଲୁନା-୨୫ ପାଇଁ ୨୦୧୦ ଦଶକରୁ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଉଛି । ୟୁକ୍ରେନ୍ ଯୁଦ୍ଧରେ ବିପୁଳ ଆର୍ଥିକ କ୍ଷତି ସତ୍ତ୍ୱେ ରୁଷ୍ ଆମେରିକା ଓ ଚୀନ୍ ପରି ମହାଶକ୍ତି ତଥା ଭାରତ ସହ ମହାକାଶରେ ପ୍ରତିଯୋଗିତା ପାଇଁ ଲୁନା-୨୫ ପଠାଇଥିଲା । ଏହି ମିଶନ୍ ପାଇଁ ରୁଷ୍ର ମହାକାଶ ଏଜେନ୍ସି ବିପୁଳ ଅର୍ଥ ବ୍ୟୟ କରିଥିଲା । ଲୁନା-୨୫ର ବଜେଟ୍ କେତେ ଥିଲା ତାହା ଯଦିଓ ପ୍ରକାଶ କରାଯାଇନାହିଁ, ମିଡିଆ ରିପୋର୍ଟ ଅନୁଯାୟୀ ଏ ବାବଦରେ ରୁଷ ପ୍ରାୟ ୨୦ କୋଟି ଡଲାର (୧୬ ଶହ ୬୩ କୋଟି ୧୪ ଲକ୍ଷ ଟଙ୍କା) ଖର୍ଚ୍ଚ କରିଛି । ଏହାବାଦ୍ ମହାକାଶ ଯାନର ବିଶେଷ ଡିଜାଇନ୍, ଫଙ୍କସାନିଲିଟି ଆଦି ପାଇଁ ବିପୁଳ ଅର୍ଥ ବ୍ୟୟ କରାଯାଇଥିଲା । ଏହାର ବିଫଳତାର କାରଣ ଜାଣିବା ଲାଗି ଏକ ସ୍ୱତନ୍ତ୍ର ଆନ୍ତଃବିଭାଗୀୟ କମିଶନ ଗଠନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *