୨ ଲକ୍ଷ ଟନ୍ ପିଆଜ କିଣିବ କେନ୍ଦ୍ର
ନୂଆଦିଲ୍ଲୀ, ୨୦ ।୮: କେନ୍ଦ୍ର ସରକାର ଚଳିତ ବର୍ଷ ପିଆଜର ବଫର୍ ଷ୍ଟକ୍ ୫ ଲକ୍ଷ ଟନ୍କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଅଧିକ ୨ ଲକ୍ଷ ଟନ୍ ପିଆଜ କିଣିବା ଉଦ୍ୟମ ହେଉଛି । ଶନିବାର ପିଆଜ ରପ୍ତାନୀ ଉପରେ ୪୦% ଶୁଳ୍କ ଲଗାଇବା ଘୋଷଣା କରାଯାଇଥିଲା ।
ଚଳିତ ଆର୍ଥିକ ବର୍ଷରେ ପିଆଜ ବଫର୍ ଷ୍ଟକ୍ ଲକ୍ଷ୍ୟ ଥିଲା ୩ ଲକ୍ଷ ଟନ୍ । ଏହି ୩ ଲକ୍ଷ ଟନ୍ ପୂର୍ବରୁ ସରକାର କିଣିସାରିଛନ୍ତି । ଯେଉଁସବୁ ରାଜ୍ୟରେ ପିଆଜ ଦର ବେକାବୁ ହେବା ଆଶଙ୍କା ଅଛି, ସେଠାକୁ ବଫର୍ ଷ୍ଟକ୍ରୁ ପିଆଜ ଯୋଗାଇ ଦିଆଯାଉଛି । ତେବେ ଦେଶସାରା ପିଆଜ ଦାମ୍୧୯ ପ୍ରତିଶତ ବଢ଼ିଥିବା ଦୃଷ୍ଟିରୁ ଆଉ ୨ ଲକ୍ଷ ଟନ୍ କିଣି ବଫର୍ ଷ୍ଟକ୍ ମାତ୍ରା ବଢ଼ାଇବା ପାଇଁ ସ୍ଥିର କରାଯାଇଛି । ଉପଭୋକ୍ତା ମାମଲା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, ଭାରତୀୟ ରାଷ୍ଟ୍ରୀୟ ସହକାରୀ ଉପଭୋକ୍ତା ସଂଘ (ଏନ୍ସିସିଏଫ୍) ଓ ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ମହାସଂଘ (ନାଫେଡ୍)କୁ ଅତିରିକ୍ତ ୨ ଲକ୍ଷ ଟନ୍ ପିଆଜ କିଣିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ଗତ ଆର୍ଥିକ ବର୍ଷରେ ବଫର୍ ଷ୍ଟକ୍ ଆକାରରେ ରଖାଯାଇଥିଲା ୨ ଲକ୍ଷ ୫୧ ହଜାର ଟନ୍ ପିଆଜ । ରବିବାର ବଫର୍ ଷ୍ଟକ୍ରୁ ବଜାରକୁ ୧୪ ଶହ ଟନ୍ ପିଆଜ ଛଡ଼ାଯାଇଛି । ଖୁଚୁରା ବଜାରରେ କିଲୋ ପିଛା ୨୫ ଟଙ୍କା ଦରରେ ପିଆଜ ଯୋଗାଇବା ଲକ୍ଷ୍ୟ ରଖାଯାଇଛି ।