ସିଡବ୍ଲୁ୍ୟସିରେ ବିଦ୍ରୋହୀ ଜି-୨୩ ନେତା
ନୂଆଦିଲ୍ଲୀ, ୨୦ ।୮: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ଆସନ୍ତା ବର୍ଷର ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ତା’ର ନୂଆ ଟିମ୍ ଗଢ଼ିଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ନୂଆ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁ୍ୟସି) ଘୋଷଣା କରିଛନ୍ତି । ସେଥିରେ ସୋନିଆ ଗାନ୍ଧି, ମନମୋହନ ସିଂହ, ରାହୁଳ ଗାନ୍ଧି ଓ ଖଡ଼ଗେଙ୍କ ମୋଟ ୩୯ ଜଣଙ୍କୁ ସାମିଲ କରାଯାଇଛି । ସିଡବ୍ଲୁ୍ୟସିରେ ସନ୍ତୁଳନ ରକ୍ଷା ପାଇଁ ଆନନ୍ଦ ଶର୍ମା ଓ ଶଶୀ ଥରୁର୍ ସମେତ ବିଦ୍ରୋହୀ ଜି-୨୩ ଗୋଷ୍ଠୀର କେତେକ ନେତାଙ୍କୁ ମଧ୍ୟ ସ୍ଥାନିତ କରାଯାଇଛି ।
ନୂଆ କମିଟିରେ ପ୍ରିୟଙ୍କା ଗାନ୍ଧି, ଏକେ ଆଣ୍ଟୋନି, ଅମ୍ବିକା ସୋନି, ଅଧୀର ରଞ୍ଜନ ଚୌଧୁରୀ, ଦିଗ୍ବିଜୟ ସିଂହ, ପି ଚିଦାମ୍ବରମ୍, ଚରଣଜିତ୍ ସିଂହ ଚନ୍ନି ପ୍ରମୁଖ ଅଛନ୍ତି । ଏହାଛଡ଼ା କମିଟିରେ ୩୨ ଜଣ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ, ୯ ବିଶେଷ ଆମନ୍ତ୍ରିତ ସଦସ୍ୟ, ଯୁବ କଂଗ୍ରେସ, ଏନ୍ଏସ୍ୟୁଆଇ, ମହିଳା କଂଗ୍ରେସ ଓ ସେବା ଦଳର ଅଧ୍ୟକ୍ଷମାନଙ୍କୁ ରଖାଯାଇଛି । ୪ ଜଣ ଏକ୍ସ-ଅଫିସିଓ ସଦସ୍ୟ ନୂଆ କମିଟିରେ ରହିଛନ୍ତି । ଏହିପରି ସିଡବ୍ଲୁସି ତାଲିକାରେ ସିଡବ୍ଲୁସି ସଦସ୍ୟ, ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ, ବିଶେଷ ଆମନ୍ତ୍ରିତ ସଦସ୍ୟ, ମହାସଚିବ ଓ ପ୍ରଭାରୀଙ୍କୁ ମିଶାଇ ମୋଟ ୮୪ ଜଣଙ୍କ ନାମ ରହିଛି । ଦିଗ୍ବିଜୟ ସିଂହ କଂଗ୍ରେସ ଅଧ୍ୟକ୍ଷ ରେସ୍ରେ ଥିଲେ । ପରେ ଖଡ଼ଗେଙ୍କ ନାମ ଉପରେ ସହମତି ସୃଷ୍ଟି ହେବାରୁ ଦିଗ୍ବିଜୟ ସେଥିରୁ ଓହରିଗଲେ । କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ କମଳନାଥଙ୍କୁ ସିଡବ୍ଲୁସିରେ ସାମିଲ କରାଯାଇନାହିଁ । ଦଳୀୟ ସୂତ୍ର ଅନୁଯାୟୀ, ପିସିସି ମୁଖ୍ୟ ହୋଇଥିବାରୁ ତାଙ୍କୁ ସିଡବ୍ଲୁସିରେ ରଖାଯାଇନାହିଁ । ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ସମେତ ରାଜ୍ୟର ୭ ଜଣ ନେତାଙ୍କୁ ସିଡବ୍ଲୁସିରେ ରଖାଯାଇଛି । ଛତିଶଗଡ଼ରୁ ଜଣେ ମାତ୍ର ତାମ୍ରଧ୍ୱଜ ସାହୁଙ୍କ ନାମ ତାଲିକାରେ ଅଛି । ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ନୂଆ କମିଟିରେ ସ୍ଥାନ ମିଳିନାହିଁ । ଯଦିଓ ସେ ରାହୁଳ ଓ ପ୍ରିୟଙ୍କା ଗାନ୍ଧିଙ୍କ ନିକଟତର ବୋଲି କହି ଆସୁଛନ୍ତି ।
ଗତବର୍ଷ ଅକ୍ଟୋବରରେ ନବ-ନିର୍ବାଚିତ ଅଧ୍ୟକ୍ଷ ଖଡ଼ଗେ ୨୩ ସଦସ୍ୟ ବିଶିଷ୍ଟ ସିଡବ୍ଲୁସିକୁୂ ଭାଙ୍ଗି ତା’ ସ୍ଥାନରେ ୪୭ ସଦସ୍ୟବିଶିଷ୍ଟ ସଂଚାଳନ କମିଟି ଗଢ଼ିଥିଲେ ।