୯ ଯବାନ ସହିଦ
ଲଦାଖରେ ଖାଇକୁ ଖସିପଡ଼ିଲା ସେନାଗାଡି
ଲଦାଖ, ୧୯ା୮: ଶନିବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଭାରତୀୟ ସେନାର ଅତିକମ୍ରେ ୯ ଜଣ ସୈନିକ ବୀରଗତି ପ୍ରାପ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଜୁନିଅର କମିସଣ୍ଡ୍ ଅଫିସର (ଜେସିଓ) ଓ ୮ ଜଣ ଯବାନ ଅନ୍ତର୍ଭୁକ୍ତ । ଜଣେ ଯବାନ ଗୁରୁତରଭାବେ ଆହତ ହୋଇଛନ୍ତି ।
ପୁଲିସ୍ ଓ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ଲଦାଖର କ୍ୟୋରି ସହରଠାରୁ ୭ କିଲୋମିଟର ଦୂରରେ ଘଟିଛି । କ୍ୟୋରି ସହର ଲେହଠାରୁ ୧୫୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ସ୍ଥାନ ଚୀନ୍ ସୀମାର ନିକଟବର୍ତ୍ତୀ । ଶତ୍ରୁ ପକ୍ଷ ସୈନିକମାନଙ୍କ ଗତିବିଧି ଆକଳନ କରିବା ପାଇଁ ଭାରତୀୟ ଯବାନମାନେ ‘ରେକି ପାର୍ଟି’ରେ ଯାଉଥିଲେ । ସେନାର ଜିପ୍ସି, ଟ୍ରକ୍ ଓ ଆମ୍ବୁଲାନ୍ସ ସମେତ ୫ଟି ଗାଡି ଯାଉଥିଲା । ସେଥିରେ ମୋଟ୍ ୩ ଜଣ ଅଫିସର, ୨ ଜେସିଓ ଓ ୩୪ ଯବାନ ଥିଲେ । ଟ୍ରକ୍ଟି ସିନ୍ଧୁ ନଦୀର ଖାଇକୁ ଖସିପଡିଥିଲା । ଲେହଠାରୁ କ୍ୟୋରି ପର୍ଯ୍ୟନ୍ତ ରାସ୍ତା ସିନ୍ଧୁ ନଦୀ କୂଳରେ । ଯବାନମାନେ କାରୁ ଗାରିସନ୍ରୁ ଲେହ ନିକଟବର୍ତ୍ତୀ କ୍ୟୋରି ଅଭିମୁଖେ ଯାଉଥିଲେ । ସନ୍ଧ୍ୟା ୫ଟା ୪୫ରୁ ୬ଟା ଭିତରେ ଦୁର୍ଘଟଣା ଘଟିଛି ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି । ଦୁର୍ଘଟଣାଗ୍ରସ୍ତ ଏଏଲ୍ଏସ୍ ଟ୍ରକ୍ରେ ୧୦ ଜଣ ଥିଲେ । ଗୁରୁତରଭାବେ ଆହତ ଯବାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି । ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚôଛନ୍ତି ।
ଲେହର ବରିଷ୍ଠ ପୁଲିସ୍ ଅଧିକ୍ଷକ ପିଡି ନିତ୍ୟା କହିଛନ୍ତି, ସେନା ଟ୍ରକ୍ର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଲା । ଖବର ମିଳିବା ମାତ୍ରେ ଏକ ପୁଲିସ୍ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚô ସମସ୍ତ ଆହତ ସୈନିକଙ୍କୁ ଉଦ୍ଧାର କରିବା ସହ ଆର୍ମି ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହସ୍ପିଟାଲରେ ୯ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଚିକିତ୍ସାଧୀନ ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।