ସମୁଦ୍ରରୁ ଅପହୃତ ୫ ମତ୍ସ୍ୟଜୀବୀ ଠାବ

ଛତ୍ରପୁର, ୧୯ା୮(ଆପ୍ର): ଆର୍ଜିପଲ୍ଲୀ ସମୁଦ୍ର ମଧ୍ୟରୁ ୫ ଅପହୃତ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶରୁ ଠାବହୋଇଛନ୍ତି । ଆର୍ଜିପଲ୍ଲୀ ମେରାଇନ ଥାନା ସମୁଦ୍ର ମଧ୍ୟରୁ ୫ ଜଣ ମତ୍ସ୍ୟଜୀବୀଙ୍କୁ ଶୁକ୍ରବାର ଅପହରଣ କରିନେଇଥିଲା ଆନ୍ଧ୍ର । ସେମାନେ ଏବେ ଆନ୍ଧ୍ରପ୍ରଦେଶର ବାରୁଆ ସାମୁଦ୍ରିକ ଥାନା ଅଧୀନରେ ଅଛନ୍ତି । ଛତ୍ରପୁର ଏସଡିପିଓଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ସେମାନଙ୍କୁ ଠାବ କରି ସୁରକ୍ଷିତ ଅବସ୍ଥାରେ ଫେରାଇ ଆଣିଥିବା ଜଣାପଡ଼ିଛି । ଅପହୃତ ମତ୍ସ୍ୟଜୀବୀମାନେ ହେଲେ କେ.ବାବାଜୀ, ଏନ୍ କାମେୟା, ବି.ମୋହନ, ଜି.ଏରେୟା ଓ ଜି ଜାଙ୍ଗାଲ । ସୂଚନାନୁଯାୟୀ, ଶୁକ୍ରବାର ସମୁଦ୍ର ମଧ୍ୟରେ ଆର୍ଜିପଲ୍ଲୀର ୧୦ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ଆନ୍ଧ୍ରପ୍ରଦେଶରୁ ଟ୍ରଲରରେ ଆସିଥିବା ମତ୍ସ୍ୟଜୀବୀ ସମୁଦ୍ର ସୀମା ଅତିକ୍ରମ କରି ଲାଇନିଙ୍ଗ ଜାଲ ପକାଇ ମାଛ ମାରୁଥିଲେ । ଆର୍ଜିପଲ୍ଲୀ ମତ୍ସ୍ୟଜୀବୀମାନେ ପ୍ରତିବାଦ କରିବାରୁ ସମୁଦ୍ର ମଧ୍ୟରେ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ ସହ ପାଟିତୁଣ୍ଡ ହେବା ସହ ଗଣ୍ଡଗୋଳ ହୋଇଥିଲା । ଆନ୍ଧ୍ରପ୍ରଦେଶ ମତ୍ସ୍ୟଜୀବୀମାନେ ଆର୍ଜିପଲ୍ଲୀ ମତ୍ସ୍ୟଜୀବୀଙ୍କୁ ଅପହରଣ କରି ନେଇଯାଇଥିଲେ । ଏନେଇ ପରିବାର ଲୋକ ଆର୍ଜିପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ଏତଲା ପରେ ଛତ୍ରପୁର ଏସଡିପିଓ ଗୌରହରି ସାହୁଙ୍କ ନେତୃତ୍ୱରେ ଛତ୍ରପୁର ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ଏବଂ ଅନ୍ୟ ପୁଲିସ କର୍ମଚାରୀ ଗୋପାଳପୁର ପୋର୍ଟ ସହାୟତାରେ ସମୁଦ୍ର ମଧ୍ୟରେ ଟ୍ରଲର ଦ୍ୱାରା ଖୋଜାଖାଜି କରିଥିଲେ । କିନ୍ତୁ ସମୁଦ୍ର ଅଶାନ୍ତ ଥିବାରୁ ଫେରି ଆସିଥିଲେ । ଗଞ୍ଜାମ ପୁଲିସ ଆନ୍ଧ୍ର ପୁଲିସର ସହାୟତା ନେବାରୁ ସେମାନଙ୍କୁ ଠାବ କରାଯାଇଥିବା ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *