ପୁଅ ମୁହଁରେ କାଳି ପଡିବା ସହି ପାରିବିନି
ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ଼
ପୁରୀ, ୧୯ା୮(ବୁ୍ୟରୋ): ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରକୁ ଶନିବାର ସତ୍ୟବାଦୀରେ କାଳିମାଡ଼ ହୋଇଛି । ୫-ଟି ସଚିବ ସତ୍ୟବାଦୀ ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ କଲେଜ ପରିସରରେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି । ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ । କାଳି ୫-ଟି ସଚିବ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁରେ ପଡ଼ିଥିଲା । କାଳିମାଡ଼ କରିଥିବା କଣାସ ଅଞ୍ଚଳର ଭାସ୍କର ସାହୁଙ୍କୁ ସତ୍ୟବାଦୀ ପୁଲିସ ଗିରଫ କରିଛି । ଭାସ୍କର କାହିଁକି କାଳିମାଡ଼ କଲେ ଜଣାପଡ଼ି ନାହିଁ । କାଳିମାଡ଼କୁ ଖାତିର ନ କରି କାଳିବୋଳା ମୁହଁରେ ୫-ଟି ସଚିବ ଲୋକଙ୍କ ନିକଟକୁ ହସ ହସ ମୁହଁରେ ଯାଇଥିଲେ, ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସେଠାରେ ଥିବା ମିଶନ ଶକ୍ତି ମା’ମାନେ କାଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି । ୫-ଟି ସଚିବଙ୍କ ମୁହଁରୁ ନିଜ ପଣତକାନିରେ କାଳି ପୋଛିଥିଲେ କନକଲତା ପଣ୍ଡା । ସେ କହିଛନ୍ତି, ମା’ମାନଙ୍କ ଅଗ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ବିକାଶ କରୁଛନ୍ତି ।
୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଏହି କାମକୁ ତ୍ୱରାନ୍ୱିତ କରୁଛନ୍ତି, ମା’ମାନଙ୍କୁ ଆଗକୁ ନେବା ପାଇଁ ବହୁ ସହଯୋଗ କରୁଛନ୍ତି । ପୁଅର ମୁହଁରେ କାଳି ପଡୁ, ମା ହୋଇ ମୁଁ ଏହା ସହିପାରିବିନି । ତାଙ୍କ ମୁହଁରେ କାଳି ଦେଖି ଆମେ କାନ୍ଦି ପକାଇଲୁ । ସମସ୍ତ ପ୍ରଶାସନ ଅଧିକାରୀଙ୍କୁ ଅନୁରୋଧ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ୫ଟି ସଚିବ ଆମ ମାଟିକୁ ଆସିଛନ୍ତି, ଘଟଣା ପାଇଁ କ୍ଷମା ମାଗିବୁ ବୋଲି କହିଛନ୍ତି କନକଲତା ।
ଆଜି ୫-ଟି ସଚିବଙ୍କର କାକଟପୁର, ନିମାପଡ଼ା, ପୁରୀ ଓ ସତ୍ୟବାଦୀରେ କାର୍ଯ୍ୟକ୍ରମ ଥିଲା । କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସେ ସତ୍ୟବାଦୀରେ ପହଞ୍ଚିଥିଲେ । ୟୁଜିଏସ୍ କଲେଜ ସଭାରେ ଯୋଗଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ । ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲେ ।
ବିଜେଡି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଏହା ସତ୍ୟବାଦୀ ବିଜେଡିରେ ରହିଥିବା ଅନ୍ତଦ୍ୱର୍ନ୍ଦ୍ୱର ପରିଣାମ ବା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିଲା ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ ବୋଲି ଭାସ୍କର ସାହୁ ମୋ ପଞ୍ଚାୟତର ପାଖ ପଞ୍ଚାୟତ ବଡାଲ ବାସିନ୍ଦା । ଗତ ପଞ୍ଚାୟତ ର୍ନିବାଚନରେ ଭାସ୍କର ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେ ।
ବିଧାୟକଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ବିଜେପି ନେତା ଓମ୍ ପ୍ରକାଶ ମିଶ୍ର କହିଛନ୍ତି, ୫ଟି ସଚିବଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣାକୁ ବିଜେପି ଦୃଢ ନିନ୍ଦା କରୁଛି । କାଳିମାଡ଼ କରିଥିବା ବ୍ୟକ୍ତି ବିଜେଡି ସମର୍ଥନରେ ଗତଥର ପଞ୍ଚାୟତ ର୍ନିବାଚନ ଲିବାକୁ ·ହୁଁଥିଲେ । ତାହା ସମ୍ଭବ ନହେବାରୁ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ ।
କାଳିମାଡ଼ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି ହୋଇଛି । ଏହା ସହିତ ଘଟଣା ପଛରେ ଆଉ କେଉଁମାନେ ଅଛନ୍ତି, ତାହାର ଉଚିତ ତଦନ୍ତ ହେଉ ବୋଲି ବିଭିନ୍ନ ମହଲରେ ଦାବି ଉଠିଛି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏହି ଘଟଣାକୁ କଡା ଭାଷାରେ ନିନ୍ଦା କରିବା ସହ କହିଛନ୍ତି, ଏହାଦ୍ୱାରା ରାଜ୍ୟର ମୂଲ୍ୟବୋଧ ଓ ସଂସ୍କୃତି ବିପନ୍ନ ହୋଇଛି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ଏହା ବିଜେପି କର୍ମୀଙ୍କ ଏକ ନିନ୍ଦନୀୟ କାଣ୍ଡ । ବିକାଶର ଗତିରୋଧ ପାଇଁ ଏଭଳି କରାଯାଇଛି । ଓଡିଶା ସଚିବାଳୟ ସେବା ସଂଘ କାଳିମାଡକୁ ନିନ୍ଦା କରିଛି । ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି, ସୁସ୍ଥ ମସ୍ତିଷ୍କ ଥିବା ଲୋକ ଏଭଳି ଘୃଣ୍ୟ କାମ କରିପାରିବ ନାହିଁ । ସାଧାରଣ ଲୋକ ଯାହା ଚାହୁଁଛନ୍ତି, ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ତାହା କରୁଛନ୍ତି । ପୁରୀ ଶ୍ରୀମନ୍ଦିରରେ ଯେଉଁ ବିକାଶ କାମ ହୋଇଛି, ତାହାର ନେତୃତ୍ୱ ନେଇଛନ୍ତି ପାଣ୍ଡିଆନ୍ । ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକଙ୍କ ସହ ମିଶୁଛନ୍ତି, ଲୋକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଓଡିଶାର ପ୍ରଗତିକୁ ଯେଉଁମାନେ ସହିପାରୁ ନାହାନ୍ତି, ସେହି ଲୋକମାନେହିଁ ଏହାକୁ ବିରୋଧ କରୁଛନ୍ତି । କାଳିମାଡ ଘଟଣାକୁ ଦୃଢ଼ ବିରୋଧ କରିଛି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ । ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଉଭୟ ଅଧିକାରୀ ଯାଇଥିବା ବେଳେ ତାଙ୍କ ଉପରକୁ କାଳିମାଡ଼ ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଉକ୍ତ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ମଞ୍ଚ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।