ହସ୍ପିଟାଲ୍ରେ ଅଗ୍ନିକାଣ୍ଡ
ବାରିପଦା, ୧୮ା୮(ଆପ୍ର): ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍ଏମ୍) ହସ୍ପିଟାଲ୍ରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ସାତ ମହଲା ବିଶିଷ୍ଟ ହସ୍ପିଟାଲ୍ କୋଠାର ତୃତୀୟ ମହଲାରେ ଥିବା ମାତୃ ଓ ଶିଶୁ ବିଭାଗ କୋଠାରେ ଅପରାହ୍ଣ ପ୍ରାୟ ୨ଟା ୨୦ମିନିଟ୍ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ତୃତୀୟ ମହଲାରୁ କଳା ଧୂଆଁ ବାହାରୁଥିବା ଦେଖି ଲୋକେ ଆତଙ୍କିତ ହୋଇଯାଇ ଥିଲେ । ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ବିଦୁ୍ୟତ ସରବରାହ ବନ୍ଦ କରିବା ସହ ନିଆଁ ଲିଭାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।
ତୃତୀୟ ମହଲାରେ ଥିବା ଅପରେସନ ଥିଏଟରରେ ଜଣଙ୍କ ଅସ୍ତ୍ରୋପଚାର ଚାଲୁଥିବା ବେଳେ ଏକ ଯନ୍ତ୍ରାଂଶରୁ ନିଆଁ ଲାଗି ବ୍ୟାପିଥିଲା । ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେବା ସହ ହସ୍ପିଟାଲ୍ରେ ଥିବା ଅଗ୍ନି ନିର୍ବାପକ ଉପକରଣରେ ନିଆଁ ଲିଭାଇବାକୁ କର୍ମଚାରୀମାନେ ଚେଷ୍ଟା କରିଥିଲେ ବୋଲି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜ୍ଞାନେନ୍ଦ୍ର ମହାନ୍ତି କହିଛନ୍ତି । ତେବେ ଅଗ୍ନିକାଣ୍ଡ ଘଟି ଧୂଆଁ ନିର୍ଗତ ହେବାବେଳକୁ ଆଇସିୟୁ ଓ ୱାର୍ଡରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସାରିଥିଲା । ଅଗ୍ନିକାଣ୍ଡ ଦେଖି ସମ୍ପର୍କୀୟମାନେ ନବଜାତକ ଶିଶୁମାନଙ୍କୁ ଧରି ତଳକୁ ଓହ୍ଲାଇ ଆସିଥିଲେ । ସମସ୍ତ ରୋଗୀ ଓ ଶିଶୁ ସୁରକ୍ଷିତ ଥିବାବେଳେ କୌଣସି ରୋଗୀଙ୍କ କ୍ଷତି ଘଟିନାହିଁ । ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର, ବାରିପଦା ଏସ୍ଡିପିଓ ସୁଜିତ ପ୍ରଧାନ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପହଞ୍ଚି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜ୍ଞାନେନ୍ଦ୍ର ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ । ପ୍ରାୟ ୩୦/୪୦ ମିନିଟ୍ର ଊର୍ଦ୍ଧ୍ୱ ସମୟର ପ୍ରଚେଷ୍ଟା ପରେ ଅଗ୍ନିଶିଖା ନିୟନ୍ତ୍ରଣ ପରିସ୍ଥିତି ଆସିବା ସହ ଅଗ୍ନିକାଣ୍ଡ ଆୟତ୍ତ ହୋଇଥିଲା ।
ଏହି ଅଗ୍ନିକାଣ୍ଡରେ ୱାର୍ଡର ଆସବାବପତ୍ର, ବିଦୁ୍ୟତ ତାର ଓ ଅନ୍ୟାନ୍ୟ ଉପକରଣ ପୋଡ଼ି ଯାଇଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ସରିଲେ ସଠିକ ତଥ୍ୟ ଦିଆଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ତେବେ ନିଆଁ ଲିଭାଇବା ପାଇଁ ସମସ୍ତ ବ୍ୟବସ୍ଥା ହସ୍ପିଟାଲରେ ଥିଲା କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଅଗ୍ନିକାଣ୍ଡକୁ ନେଇ ହସ୍ପିଟାଲ୍ ପରିସରରେ ଲୋକ ପ୍ରବଳ ଭିଡ଼ ଜମିଥିଲା ।