୨୫ରେ ଆଉ ଏକ ଘୂର୍ଣ୍ଣିବଳୟ
ଭୁବନେଶ୍ୱର, ୧୮ା୮ (ବୁ୍ୟରୋ): ରାଜ୍ୟରେ ସକ୍ରିୟ ଲଙ୍ଗୁଚାପ ଯୋଗୁଁ ଜାରି ରହିଛି ବର୍ଷା । ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଅଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ଲଘୁଚାପ ସକ୍ରିୟ ରହିଛି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର-ଓଡିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଆଗାମୀ ୨ ରୁ ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମୁହାଁ ହେବାର ସମ୍ଭାବନା ରହିଛି ।
ଲଘୁଚାପ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ କିଛି ଜିଲ୍ଲାକୁ ଅରେ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସମ୍ବଲପୁର, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ଗଞ୍ଜାମ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ବୌଦ୍ଧ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ବାଙ୍କୀରେ ସର୍ବାଧିକ ୩୭୨ ମିମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଟଣୀରେ ୮୮ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୮୭.୮ ମିମି, ନବରଙ୍ଗପୁରରେ ୮୧ ମିମି, କେନ୍ଦୁଝରରେ ୭୦.୬ ମିମି, ପୁରୀରେ ୬୯.୬ ମିମି, ଭୁବନେଶ୍ୱରରେ ୬୩.୮ ମିମି, ଟିଟିଲାଗଡରେ ୬୦.୮ ମିମି ବର୍ଷା ରେକର୍ଡ କରାଯାଇଛି ।