ବଢୁଛି ଚାଉଳ ଦର, ଲାଭ ପାଉନି ଚାଷୀ

ଭୁବନେଶ୍ୱର,୧୮ା୮(ତଥ୍ୟ): ରାଜ୍ୟରେ ଚାଉଳ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାବେଳେ ଏହାର ଲାଭ କିନ୍ତୁ ଓଡିଶାର ଚାଷୀମାନେ ପାଉନାହାନ୍ତି । ଓଡିଶାକୁ ସରୁ ଚାଉଳ ପଠାଉଥିବା ରାଜ୍ୟର ବାହାର ଚାଷୀମାନେ ଦରବୃଦ୍ଧିରୁ ବିପୁଳ ମୁନାଫା ଉଠାଉଥିବାବେଳେ ରାଜ୍ୟର ଚାଷୀଙ୍କ ନିକଟରେ ଯେତିକି ବି ଧାନ ରହିଛି ତାହାକୁ ବ୍ୟବସାୟୀମାନେ ଖରିଦ କରୁନାହାନ୍ତି ।
ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶାରେ ଏବେ ସରୁ କିସମର ଚାଉଳ କିଲୋ ପିଛା ଦର ୧୫ ରୁ ୨୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସରୁ ଉଷୁନା ଚାଉଳର ଦର ୩୫ରୁ ୪୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସରୁ ଅରୁଆ ଚାଉଳର ଦର କିଲୋପ୍ରତି ଦର ୬୦ ଟଙ୍କା ଛୁଇଁଲାଣି । ବାସନା ଅରୁଆ ଚାଉଳର କିଲୋପ୍ରତି ଦର ଶହେ ଟଙ୍କାରେ ପହଞ୍ଚିଛି । ତେବେ ଚାଉଳର ଏଭଳି ହୁ ହୁ ଦରବୃଦ୍ଧିରୁ କିନ୍ତୁ ଓଡିଶାର ଚାଷୀମାନେ ସେଭଳି ବିଶେଷ ଲାଭ ପାଉ ନାହାନ୍ତି ।
ଚାଉଳର ଏଭଳି ଦରବୃଦ୍ଧି ପୂର୍ବରୁ ରାଜ୍ୟର ଚାଷୀମାନଙ୍କ ନିକଟରେ ଯେତିକି ଧାନ ଥିଲା ସେମାନେ ତାହାକୁ ସରକାର ଏବଂ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛନ୍ତି । ସରକାରୀ ଦରରେ କୁଇଣ୍ଟାଲ ପିଛା ପ୍ରାୟ ୨ହଜାର ଟଙ୍କାରେ ବିକ୍ରି କରିଥିବାବେଳେ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୧୭୦୦ ରୁ ୧୮୦୦ ଟଙ୍କା ଦରରେ କିଣି ନେଇଛନ୍ତି । ବର୍ତ୍ତମାନ ଚାଷୀଙ୍କ ନିକଟରେ ଯେତିକି ବି ବଳକା ଧାନ ରହିଛି ତାହାକୁ ବିକିବାକୁ ଚାହିଁଲେ ବି ସରକାରୀ କିମ୍ବା ବେସରାରୀ ସ୍ତରରେ କେହି ନେବାକୁ ରାଜି ନୁହନ୍ତି ।
ଏହାର କାରଣ ହେଉଛି ସରକାରଙ୍କ ଧାନ କିଣା ସମୟ ପୂରି ଯାଇଥିବାବେଳେ ବ୍ୟବସାୟୀମାନେ ଚାଷୀଙ୍କଠାରୁ ମୋଟା କିସମର ଧାନ କିଣିବାକୁ ରାଜି ହେଉନାହାନ୍ତି । ବ୍ୟବସାୟୀଙ୍କ କହିବାକଥା ଯେ ଓଡିଶାର ଧାନ ଚାଷୀମାନେ ସରକାରଙ୍କୁ ଧାନ ବିକ୍ରି ପାଇଁ ମୋଟା କିସମର ପୁରୁଣା ଧାନ ଚାଷ କରୁଛନ୍ତି । ଏଥିରୁ ମୋଟା କିସମର ଉଷୁନା ଚାଉଳ ବାହାରୁଛି । ତେଣୁ ଏହାକୁ ରାଜ୍ୟ ବାହାର ତ ଦୂରରକଥା ରାଜ୍ୟ ଭିତରର ବ୍ୟବସାୟୀମାନେ କିଣିବାକୁ ସହଜରେ ରାଜି ହେଉନାହାନ୍ତି ।
ଅନ୍ୟ ପକ୍ଷରେ ରାଜ୍ୟରେୁ ସରୁ କିସମର ଉଷୁନା ଓ ଅରୁଆ ଚାଉଳର ଚାହିଦା ବୃଦ୍ଧି ପାଉଥିବାରୁ ପ୍ରତିଦିନ ଟ୍ରକ ଟ୍ରକ ଚାଉଳ ଅନ୍ୟ ରାଜ୍ୟରୁ ଆସିବାରେ ଲାଗିଛି । ରାଜ୍ୟର ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ବଡ ମଲ୍‌ ପର୍ଯ୍ୟନ୍ତ ସବୁଠି ସରୁ ଚାଉଳର ବେଶ୍‌ ଚାହିଦା ରହିଛି । ଅନ୍ୟ ପଟେ ରାଜ୍ୟର ଚାଷୀଙ୍କ ଠାରୁ ସଂଗ୍ରହ ହେଉଥିବା ମୋଟା ଚାଉଳକୁ ସରକାର ମାଗଣା ଚାଉଳ ଯୋଜନାରେ ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ରାଜ୍ୟର ୮୦ଲକ୍ଷରୁ ଅଧିକ ପରିବାର ଏହି ମାଗଣାରେ ଯୋଜନାରେ ମୁଣ୍ଡପିଛା ମାସକୁ ୫ କିଲୋକରି ଚାଉଳ ପାଉଛନ୍ତି ।
ରାଜ୍ୟରେ ବର୍ଷକୁ ବର୍ଷ ଧାନ ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଚାହିଦା ଅନୁଯାୟୀ ସରୁ ଚାଉଳ ଉତ୍ପାଦନ ହେଉନାହିଁ । ସୂଚନା ଅନୁଯାୟୀ ୨୦୧୫-୧୬ ମସିହାରେ ରାଜ୍ୟରେ ୮୯ ଲକ୍ଷ ମେଟି୍ରକ ଟନ୍‌ ଧାନ ଉତ୍ପାଦନ ହୋଇଥିବାବେଳେ ୨୦୨୦-୨୧ ରେ ତାହା ୧୬୬ ଲକ୍ଷ ମେଟି୍ରକ ଟନ୍‌କୁ ଟପିଯାଇଛି । ସେହିଭଳି ସରକାର ମଧ୍ୟ ବାର୍ଷିକ ୭୭ଲକ୍ଷ ମେଟି୍ରକ ଟନ୍‌ରୁ ଅଧିକ ଧାନ ସଂଗ୍ରହ କରୁଛନ୍ତି ଯାହାକି ଉତ୍ପାଦନର ପାଖାପାଖି ଅଧା । ତେବେ ରାଜ୍ୟରେ ଉନ୍ନତ କିସମର ସରୁ ଚାଉଳ ଉତ୍ପାଦନ ହେଉନଥିବାରୁ ଅନ୍ୟ ରାଜ୍ୟର ଧାନ ଚାଷୀମାନେ ଓଡିଶା ବଜାରକୁ କୋଟି କୋଟି ଟଙ୍କାର ମୁନାଫା ଉଠାଇ ନେଉଛନ୍ତି । ବର୍ତ୍ତମାନ ଚାଉଳ ଦର ବୃଦ୍ଧି ସମୟରେ ଏହି ମୁନାଫା ବହୁଗୁଣିତ ହୋଇଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *