ଭାରତର ସିଏ ହେବେ ଗ୍ଲୋବାଲ୍ ଲିଡର୍
୨୦ତମ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ଉଦ୍ଘାଟନ କଲେ ସୀତାରମଣ
ଭୁବନେଶ୍ୱର, ୧୭ା୮(ବୁ୍ୟରୋ): ଭାରତର ଚାର୍ଟର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଗ୍ଲୋବାଲ୍ ଲିଡର କରାଇବା ପାଇଁ ଭାରତ ସରକାର ସକ୍ରିୟତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଗୁରୁବାର ସ୍ଥାନୀୟ ସୋଆ ବିଶ୍ୱବିଦ୍ୟାଳୟରେ ଇନଷ୍ଟିଚୁ୍ୟଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଆୟୋଜିତ ୨୦ତମ ଜାତୀୟ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
‘ଡିଜିଟାଲ ଯୁଗରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ବୃତ୍ତି’ ଉପରେ ଆୟୋଜିତ ଏହି ସମ୍ମିଳନୀରେ ସୀତାରମଣ କହିଛନ୍ତି, ଭାରତର ଚାର୍ଟର୍ଡ ଆକାଉଣ୍ଟାଣ୍ଟମାନେ ଯେଭଳି ବିଶ୍ୱର ନେତୃତ୍ୱ ନେବା ଦିଗରେ କାମ କରିବେ, ସେଥିପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ ଯୋଗାଯୋଗ କରାଯାଉଛି । ମେ’ ମାସରେ ଆଇସିଏଆଇ ଇନଷ୍ଟିଚୁ୍ୟଟ୍ ଅଫ୍ ସିଏ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ (ଆଇସିଏଇଡବ୍ଲ୍ୟୁ) ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ, ଆୟର୍ଲାଣ୍ଡ, କାନାଡା, ମାଲେସିଆ, ୟୁଏଇ, ସାଉଦି ଆରବ, କତର, ବାହାରିନ, ଓମାନ ଏବଂ ଦକ୍ଷିଣ ଆଫ୍ରିକା ସହିତ ପାରସ୍ପରିକ ସ୍ୱୀକୃତି ଏବଂ ଏମ୍ଓୟୁକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ଭାରତର ଆର୍ଥିକ ଦୃଶ୍ୟପଟରେ ଡିଜିଟାଲାଇଜେସନ କ୍ଷେତ୍ର ମଜଭୁତ ହେଉଛି । ଚାର୍ଟର୍ଡ ଆକାଉଣ୍ଟାଣ୍ଟ ସମୂହଙ୍କ କୌଶଳ ଏବଂ ପ୍ରତିବଦ୍ଧତା ମଧ୍ୟ ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେମାନଙ୍କ ପାରଦର୍ଶିତା ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସାହାଯ୍ୟ କରିଛି ।
ପୂର୍ବରୁ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି । ଯଦି ଓଡ଼ିଶାର ମହିଳାଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଯୋଡାଯିବ ଓ ମୋଦିଜୀ ଓଡ଼ିଶାକୁ ପଠାଇଥିବା ଟଙ୍କାର ସଠିକ୍ କ୍ରିୟାନ୍ୱୟନ ହେବ ତେବେ ଓଡ଼ିଶାର ବିକାଶ ହୋଇପାରିବ ବୋଲି ସେ କହିଥିଲେ ।
ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ କନ୍ଧରା ଗ୍ରାମର ବୁଣାକାର ପରିବାରର ମହିଳାମାନେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢି ପ୍ରଦାନ କରିବା ସହ ଭାରତ ସରକାରଙ୍କ ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟି କରିବାର ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇଛନ୍ତି ।