୨୬ କିମି ରୁଟ୍ ୨ଠ ଷ୍ଟେସନ୍

ଆସିଲା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ନକ୍ସା
ଭୁବନେଶ୍ୱର, ୧୬ ।୮ (ବୁ୍ୟରୋ): ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନକ୍ସା ପ୍ରସ୍ତୁତ ହୋଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରୁ ଆରମ୍ଭ ହୋଇ ତ୍ରିଶୂଳିଆ ପର୍ଯ୍ୟନ୍ତ ମୋଟ ପ୍ରାୟ ୨୬ କିମି ରୁଟ୍ରେ ୨୦ ଷ୍ଟେସନ ରହିବ । ଭୁବନେଶ୍ୱରରେ ଟ୍ରାଫିକ୍ ସର୍ଭେ, ଜିଓ ଟେକ୍ନିକାଲ୍ ଇନ୍ଭେଷ୍ଟିଗେସନ୍, ଟପୋଗ୍ରାଫିକ୍ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆଦିର ଆକଳନ ପରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏନ୍ଆରସି) ବିସ୍ତୁତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରି ମେଟ୍ରୋ ରେଳ ନିଗମର ବୁଧବାର ବୈଠକରେ ତାହାକୁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ନିକଟରେ ଦାଖଲ କରିଛି ।
ପ୍ରକଳ୍ପ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ଟ୍ରେନ୍ ବିମାନବନ୍ଦରରୁ ବାହାରି କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ୍, ରାମମନ୍ଦିର ଛକ, ବାଣୀବିହାର ଛକ, ଆଚାର୍ଯ୍ୟବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର୍, ଡମଣା, ପଟିଆ, କିଟ୍, ନନ୍ଦନବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣି ଉଦ୍ୟାନ, ଫୁଲପୋଖରୀ ଓ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ ।
ଏପ୍ରିଲ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁର କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମେଟ୍ରୋ ପ୍ରକଳ୍ପକୁ ଖୋର୍ଦ୍ଧା, ପୁରୀ ଏବଂ ଭୁବନେଶ୍ୱର ଓ କଟକ ସହରର ଅନ୍ୟାନ୍ୟ ଅଞ୍ଚଳକୁ ସମ୍ପ୍ରସାରଣ କରାଯିବ । ଅଗଷ୍ଟ ୩ ତାରିଖ ଦିନ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଲିମିଟେଡ୍ (ବିଏମ୍ଆର୍ସିଏଲ୍)କୁ ଏ ସମ୍ବନ୍ଧରେ ସୂଚନା ଦିଆଯାଇଛି ଏବଂ ନିଗମ ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଓ ଜେନେରାଲ ମ୍ୟାନେଜର (ପ୍ରଶାସନ) ନିଯୁକ୍ତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *