୫% ସୁଧରେ ଲକ୍ଷେ ଟଙ୍କା ଋଣ
ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
ନୂଆଦିଲ୍ଲୀ, ୧୬ା୮: ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଯୋଜନା ଅଧୀନରେ ଦେଶରେ ୧୦ ହଜାର ବିଦୁ୍ୟତ୍ ଚାଳିତ ବସ୍ ଲଞ୍ଚ କରାଯିବ । ପ୍ରଥମେ ୩ ଲକ୍ଷ ଓ ଏହାଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୦୦ଟି ସହରକୁ ଅନ୍ତର୍ଭୁକ୍ତ କରାଯିବ । ଯୋଜନା ଅଧୀନରେ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲରେ ୧୦୦୦୦ ଇ-ବସ୍ ସହିତ ସିଟି ବସ୍ ଚଳାଚଳ କରିବ । ଏଥିପାଇଁ ସହରର ଭିତ୍ତିଭୂମିକୁ ଗ୍ରୀନ ଅର୍ବାନ ମୋବିଲିଟି କାର୍ଯ୍ୟକ୍ରମରେ ବିକଶିତ କରାଯିବ । ଯୋଜନା ପାଇଁ ମୋଟ ୫୭,୬୧୩ କୋଟିର ବ୍ୟୟବରାଦ କରାଯାଇଛି । କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ଦେବେ, ବାକି ଅର୍ଥ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ । ଯୋଜନା ଅଧୀନରେ ୧୦ ବର୍ଷ ପାଇଁ ବସ୍ ସେବା ସହାୟତା ମିଳିବ । ଏହି ଯୋଜନା ଯୋଗୁ ୪୫ରୁ ୫୫ ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।
ବସ୍ ସେବା ପାଇଁ ସାଂଗଠନିକ ଢାଞ୍ଚା ନ ଥିବା ସହରକୁ ଏହି ଯୋଜନା ଅଧୀନରେ ପ୍ରାଥମିକତା ଦିଆଯିବ । ପିପିପି ମଡେଲରେ ବସ୍ କିଣବା ପାଇଁ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଘରୋଇ କମ୍ପାନୀଗୁଡ଼ିକ ଏଥିରେ ସାମିଲ ହୋଇପାରିବେ । ଯୋଜନା ୨୦୩୭ ଯାଏ ଚାଲିବ ।
କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମ ଯୋଜନାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଯୋଜନା ଅଧୀନରେ ବଢ଼େଇ, ବୁଣାକାର, ଡଙ୍ଗା ତିଆରି କରୁଥିବା ଲୋକ ଲୁହା କାରିଗର, ସୁନା କାରିଗର, ତାଲା ତିଆରି କରୁଥିବା ଲୋକ, କୁମ୍ଭାର, ମୋଚି, ମୂର୍ତ୍ତିକାର, ରାଜମିସ୍ତ୍ରୀ ପ୍ରମୁଖ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ ।
ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ । ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସି ସେହି ଯୋଜନାକୁ ଅନୁମୋଦନ କରାଯାଇଛି । ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ ବିଶ୍ୱକର୍ମା ଯୋଜନା ଆରମ୍ଭ ହେବ । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଅର୍ଥିକ ସହାୟତା ପ୍ରଦାନ କରିବେ । ଏହି ଯୋଜନାରେ ୫ ବର୍ଷ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ୩୦ ଲକ୍ଷ କୌଳିକ ବୃତ୍ତିଧାରୀ ଓ ସେମାନଙ୍କ ପରିବାର ଉପକୃତ ହେବେ । ପ୍ରଥମ ଦଫାରେ ୧୮ଟି କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର, ପ୍ରଥମ ଦଫାରେ ୧ ଲକ୍ଷ ଟଙ୍କା ଓ ଦ୍ୱିତୀୟ ଦଫାରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ । ଏଥିପାଇଁ ମାତ୍ର ୫% ସୁଧ ଦେବାକୁ ହେବ । ଏହି ଯୋଜନାରେ ଦକ୍ଷତାର ବିକାଶ, ଟୁଲ୍କିଟ୍ ଇନ୍ସେଣ୍ଟିଭ୍, ଡିଜିଟାଲ୍ ନେଣଦେଣ ପାଇଁ ଇନ୍ସେଣ୍ଟିଭ୍ ଓ ମାର୍କେଟିଂ ସହାୟତା ମଧ୍ୟ ପ୍ରଦାନ କରାଯିବ
କ୍ୟାବିନେଟ୍ ବୈଠକରେ ଓଡ଼ିଶା, ବିହାର, ଅ ।ନ୍ଧ୍ର ପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ – ଏହି ୯ ରାଜ୍ୟର ୩୫ ଜିଲ୍ଲା ପାଇଁ ୭ଟି ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସାତଟି ନୂଆ ରେଳ ପ୍ରକଳ୍ପରେ ୩୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି କ୍ୟାବିନେଟ୍ ମଞ୍ଜୁରି ପାଇଥିବା ଏହି ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱର୍କରେ ୨,୩୩୯ କିଲୋମିଟର ନୂଆ ରେଳ ଲାଇନ ଯୋଗ କରିବ ।
୧୪ ହଜାର ୯୦୩ କୋଟି ଟଙ୍କା ବ୍ୟୟରେ ଡିଜିଟାଲ୍ ଇଣ୍ଡିଆ ପ୍ରକଳ୍ପର ସମ୍ପ୍ରସାରଣକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଯୋଜନାର ପୂର୍ବ ସଂସ୍କରଣରେ କରାଯାଇଥିବା କାର୍ଯ୍ୟରେ ସମ୍ପ୍ରସାରିତ ଡିଜିଟାଲ ଇଣ୍ଡିଆ ପ୍ରକଳ୍ପ ଯୋଗ ହେବ । କ୍ୟାବିନେଟ ବୈଠକରେ ୧୪ ହଜାର ୯୦୩ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ୫.୨୫ ଲକ୍ଷ ଆଇଟି ପ୍ରଫେସନାଲଙ୍କୁ ନିଯୁକ୍ତି ଦିଆଯିବ ଏବଂ ୨.୬୫ ଲକ୍ଷ ବ୍ୟକ୍ତିଙ୍କୁ ଆଇଟିରେ ତାଲିମ ଦିଆଯିବ ।