ହିମାଚଳରେ ଜଳପ୍ରଳୟ
୨୪ ଘଣ୍ଟାରେ ୫୨ ମୃତ, ୪ଠ ନିଖୋଜ
ଶିମଲା/ଡେରାଡୁନ୍, ୧୪ା୮: ହିମାଚଳ ପ୍ରଦେଶରେ ଦୁଇଦିନ ହେଲା ମୁଷଳଧାର ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ବାଦଲ ଫଟା ବର୍ଷା ଯୋଗୁଁ ୫୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ବର୍ଷା ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଶିମଲାର ସମର ହିଲ୍ ଇଲାକାରେ ଥିବା ଏକ ଶିବ ମନ୍ଦିର ଭୂସ୍ଖଳନ ଯୋଗୁଁ ପୋତି ହୋଇପଡିଛି । ମାଟିତଳେ ପ୍ରାୟ ୨୦ ଜଣ ଶ୍ରଦ୍ଧାଳୁ ରହିଥିବା ଅନୁମାନ କରାଯାଉଛି । ସୋମବାର ରାତି ୮ଟା ସୁଦ୍ଧା ୨ ଶିଶୁ ସମେତ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ସୋମବାର ସକାଳ ପ୍ରାୟ ସାଢେ ୭ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସେହିପରି ସୋଲନଠାରେ ବାଦଲ ଫଟା ବର୍ଷା ପ୍ରଭାବରେ ଭୂସ୍ଖଳନ ହୋଇ ଗୋଟିଏ ପରିବାରର ୭ ଜଣଙ୍କ ମୃତୁ୍ୟ ହୋଇଛି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଆଉ ୩ ଜଣ ଲୋକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ଏସ୍ଡିଆର୍ଏଫ୍, ପୁଲିସ୍ ନିୟୋଜିତ ହୋଇଛନ୍ତି । ଟିହରିର ଶିବପୁରୀଠାରେ ଏକ ଟନେଲ୍ ଭିତରକୁ ପାଣି ପଶିଯିବାରୁ ଇଞ୍ଜିନିୟର ଓ ଶ୍ରମିକଙ୍କ ସମେତ ୧୧୪ ଜଣ ବାହାରକୁ ଆସିପାରି ନ ଥିଲେ । ପୋକ୍ଲେନ୍ ମେସିନ୍ ଯୋଗେ ଟନେଲ୍ ମୁହଁରୁ ମାଟି ହଟାଇ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ ଯୋଗାଯୋଗ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ କେନ୍ଦ୍ରୀୟ ଫୋର୍ସ ପଠାଇବା ପ୍ରସ୍ତାବ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାଧୀନତା ଦିବସରେ କୌଣସି ସାଂସ୍କୃତିକ କାର୍ଯ୍ୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଉତ୍ତରାଖଣ୍ଡରେ ମଧ୍ୟ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଡେରାଡୁନ୍ର ମାଲଦେବତାସ୍ଥିତ ଡୁନ୍ ଡିଫେନ୍ସ କଲେଜ କୋଠା ସୋମବାର ସକାଳେ ଭୁଶୁଡି ପଡିଥିଲା । କୋଠାର ବୃହତ୍ତ ଅଂଶ ଭାସିଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ହେଲା ବର୍ଷା ହେବା ଯୋଗୁଁ ସବୁ ନଦୀରେ ବନ୍ୟା ଆସିଛି । ଅଳକନନ୍ଦା ଓ ତା’ର ଶାଖା ନଦୀ ମନ୍ଦାକିନୀ, ପିଣ୍ଡର ଓ ବିରହୀ ସମେତ ୧୨ଟିରେ ପ୍ରବଳ ବନ୍ୟା ଆସିଛି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସ୍ଥିତି ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଚାରି ଧାମ ଯାତ୍ରାକୁ ଦୁଇଦିନ ସ୍ଥଗିତ ରଖିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି ।