ଲଦାଖରେ ୬୮ ହଜାର ଯବାନ
ଆଜି କୋର୍ କମାଣ୍ଡରସ୍ତରୀୟ ଆଲୋଚନା
ନୂଆଦିଲ୍ଲୀ, ୧୩ା୮: ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ୬୮ ହଜାର ଯବାନଙ୍କୁ ମୁତୟନ କରିଛି ଭାରତ । ଗଲୱାନ ଭଳି ସଂଘର୍ଷରୁ ବର୍ତ୍ତିବା ପାଇଁ ଏଭଳି ଅଭୂତପୂର୍ବ ପ୍ରସ୍ତୁତି ହୋଇଛି । ବାୟୁସେନା ସହାୟତାରେ ପ୍ରାୟ ୯୦ ଟ୍ୟାଙ୍କ, ୩୩୦ରୁ ଅଧିକ ବିଏମ୍ପି, ବହୁସଂଖ୍ୟକ ଯୁଦ୍ଧ ବିମାନ, ରାଡାର ସିଷ୍ଟମ ଓ ଅନ୍ୟାନ୍ୟ ଯୁଦ୍ଧ ଉପକରଣ ଲଦାଖ ନିଆଯାଇଛି । ସେଠାରେ ସୁଖୋଇ ଏସ୍ୟୁ-୩୦ ଏମ୍କେଆଇ ଓ ଜାଗୁୱାର ଯୁଦ୍ଧ ବିମାନ ୨୪ ଘଣ୍ଟା ଚିନା ସୈନିକମାନଙ୍କ ଉପରେ ଦୃଷ୍ଟି ରଖିଛି । ଦୂରରୁ ସଞ୍ଚାଳିତ ବିମାନ (ଆର୍ପିଏ)କୁ ମଧ୍ୟ ସେଠାରେ ମୁତୟନ କରାଯାଇଛି । ବିମାନ ମାଧ୍ୟମରେ ଶତ୍ରୁସେନାର ଗତିବିଧି ଉପରେ ଲକ୍ଷ୍ୟ ରଖିବାର ସୀମାକୁ ୫୦ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଭାରତୀୟ ବାୟୁସେନା ଏକ ବିଶେଷ ଅଭିଯାନକ୍ରମେ ସି-୧୩୦ଜେ ସୁପର ହର୍କୁ୍ୟଲିସ୍ ଓ ସି-୧୭ ଗ୍ଲୋବ୍ମାଷ୍ଟର ପରିବହନ ବିମାନ ଯୋଗେ ଏଲ୍ଏସିର ବିଭିନ୍ନ ଦୁର୍ଗମ କ୍ଷେତ୍ରକୁ ଖୁବ୍ କମ୍ ସମୟରେ ଯବାନ, ଟ୍ୟାଙ୍କ, ଆର୍ଟିଲରିଗନ୍ ଇତ୍ୟାଦି ପଠାଯାଇଛି । ୨୦୨୦ ଜୁନ୍ ୧୫ ତାରିଖର ଗଲୱାନ ସଂଘର୍ଷ ପରଠାରୁ ପୂର୍ବ ଲଦାଖରେ ଅଧିକରୁ ଅଧିକ ଭାରତୀୟ ଯବାନ ମୁତୟନ ଆରମ୍ଭ ହୋଇଥିଲା । ଗଲୱାନ ଘଟଣା ପରେ ପରେ ବାୟୁସେନା ତା’ର ଷ୍ଟ୍ରାଟେଜିକ୍ ଏୟାରଲିଫ୍ଟ ସାମର୍ଥ୍ୟ ବଢ଼ାଇଥିଲା । ଏବେ ମଧ୍ୟ ସେଠାରେ ଉତ୍ତେଜନା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ଭାରତ ଓ ଚୀନ୍ ସେନା ମଧ୍ୟରେ କୋର୍କମାଣ୍ଡର ସ୍ତରୀୟ ୧୯ତମ ଆଲୋଚନା ହେବ । ଆଲୋଚନାରେ ମୁଖ୍ୟତଃ ଡେପସାଙ୍ଗ ଓ ଡେମଚାଙ୍କରୁ ସୈନିକଙ୍କୁ ପଛକୁ ହଟାଇବା ଲାଗି ସହମତି ସୃଷ୍ଟି ଉପରେ ଜୋର୍ ଦିଆଯିବ । ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ୍ ୧୫ ତାରିଖ ଦିନ ଚୀନ୍ ପୂର୍ବ ଲଦାଖ ସୀମାବର୍ତ୍ତୀ ଜାଗାରେ ଏକ୍ସରସାଇଜ୍ ବାହାନାରେ ସୈନିକମାନଙ୍କୁ ଜମା କରାଇବା ପରେ ଅନେକ ସ୍ଥାନରେ ଭାରତ ସୀମାକୁ ଅନୁପ୍ରବେଶ ଉଦ୍ୟମ ହୋଇଥିଲା । ପରିସ୍ଥିତି ଏତେ ଗୁରୁତର ହେଲା ଯେ, ସେଠାରେ ଗୁଳିଗୋଳା ଚାଲିଲା । ସଂଘର୍ଷରେ ୨୦ ଭାରତୀୟ ସୈନିକ ସହିଦ୍ ହୋଇଥିଲେ । ଅବଶ୍ୟ ପରେ ଭାରତ ସମୁଚିତ ଜବାବ୍ ଦେଲା ଯେଉଁଥିରେ ପ୍ରାୟ ୬୦ ଚୀନା ସୈନିକ ନିହତ ହୋଇଥିଲେ ।