ବିଜେପି-ବିଜେଡି ମେଣ୍ଟ ହେବନି
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ବିଜେପିର ସ୍ଥିତି ବହୁତ ଭଲ ଅଛି । ୨୦୨୪ ନିର୍ବାଚନରେ ଓଡ଼ିଶାରେ ଦଳ ଭଲ ପ୍ରଦର୍ଶନ କରିବ । ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହେଲା ଭଳି କୌଣସି କଥା ନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହାକୁ ଖଣ୍ଡନ କରି କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ । ଏବେ ନାହିଁ କି ଆଗକୁ ବି ହେବନି ବୋଲି ଲାଗୁଛି । ସବୁ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ପ୍ରୟାସ କରୁଛନ୍ତି । ସଂଗଠନ ନିଜ ଢଙ୍ଗରେ ନିର୍ବାଚନ ଲଢ଼େ ଓ ରଣନୀତି ପ୍ରସ୍ତୁତ କରେ । ସଂଗଠନ କେବେ ସରକାରଙ୍କ ଜରିଆରେ କୌଣସି ରଣନୀତି କରେନି ।
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ କହିଥିଲେ ଯେ ରାଜ୍ୟରେ ବିଜେଡି ସହିତ ମେଣ୍ଟ ହେବ ନାହିଁ । ଯାଦବ କହିଥିଲେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ କୌଣସି ମେଣ୍ଟ କରିବ ନାହିଁ । ଦଳ ଏକାକୀ ଲିଢ଼ିବ । ଆମେ ନିଜ ଦମ୍ରେ ରାଜ୍ୟରେ ସରକାର ଗଢ଼ିବାରେ ସକ୍ଷମ ହେବୁ । ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଓଡ଼ିଶାରେ କୌଣସି ମେଣ୍ଟ ହେବନି । ବିଜେପି ଏକାକୀ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଲଢ଼ିବ । ବିଜେପି ଏକ ଅନ୍ତରୀଣ ସର୍ଭେ କରିଥିଲା । ଏହି ଅନ୍ତରୀଣ ସର୍ଭେରେ ଜୁଲାଇରେ ବିଜେପି ରାଜ୍ୟରେ ଆଗରେ ଥିଲା । ଅଗଷ୍ଟରେ ବି ଆଗରେ ରହିବୁ । ରାଜ୍ୟବାସୀଙ୍କ ମତ ଆମ ସପକ୍ଷରେ ଅଛି ।