ନକ୍ସଲ ଆମ୍ବୁ୍ୟସ୍ରେ ଓଡ଼ିଆ ଯବାନ ସହିଦ
କେନ୍ଦୁଝର/ ଆନନ୍ଦପୁର, ୧୧ା୮ (ଆପ୍ର): ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିଠାରେ ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ସିଆର୍ପିଏଫ୍ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଛନ୍ତି । ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ସୁଶାନ୍ତ ୨୦୧୧ରେ ସିଆର୍ପିଏଫ୍ରେ ଯୋଗ ଦେଇଥିଲେ । ଶୁକ୍ରବାର ପୂର୍ବାହ୍ଣ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଘଟଣା ଘଟିଛି । ସିଆର୍ପିଏଫ୍ ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଅତର୍କିତ ଆକ୍ରମଣ (ଆମ୍ବୁସ) କରିଥିଲେ । ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିଲା । ଆଉ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ନାଁ ମୁନ୍ନା ଲାଲ ଯାଦବ । ତାଙ୍କ ଗୋଡ଼ରେ ଗୁଳି ବାଜିଛି । ତାଙ୍କ ଘର ଉତ୍ତର ପ୍ରଦେଶରେ । ତାଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆର୍ପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ । ମାଟି ମା’ର ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ । ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।
ସୁଶାନ୍ତଙ୍କ ଆନନ୍ଦପୁର ଘରେ ଏବେ କେହି ନାହାନ୍ତି । ଘରେ ପଡ଼ିଛି ତାଲା । ୨୦୨୦ ଫେବୃୟାରୀ ୭ରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆଙ୍କ ପରଲୋକ ହୋଇଥିଲା । ୨୦୨୨ରେ କ୍ୟାନସରରେ ପ୍ରାଣ ହରାଇଥିଲେ ସୁଶାନ୍ତଙ୍କ ମଝିଆଁ ଭାଇ । ଚଳିତ ବର୍ଷ ଜାନୁଆରୀରେ ପ୍ରାଣ ହରାଇଥିଲେ ତାଙ୍କ ବଡ଼ଭାଇ । ସେ ଜାମସେଦପୁରରେ ଚାକିରି କରୁଥିଲେ । ଏବେ ସୁଶାନ୍ତଙ୍କ ପରିବାର ଲୋକ କହିଲେ ତାଙ୍କ ମା’, ପତ୍ନୀ, ବଡ଼ ଭାଉଜ ଓ ବଡ଼ଭାଇଙ୍କ ପୁଆ ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ । ମା’ଙ୍କ ପାଖରେ ଅଛନ୍ତି ସୁଶାନ୍ତଙ୍କର ଜଣେ ଭଉଣୀ । ସହିଦ ସୁଶାନ୍ତ ଜୁନ୍ ୨ରେ ବିବାହ କରିଥିଲେ । ଏଏନ୍ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି ।