ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ପଞ୍ଚମ ଫାଇନାଲ୍ରେ ଭାରତ

ଚେନ୍ନାଇ, ୧୧ା୮ (ଏଜେନ୍ସି): ତିନି ଥର ଚାମ୍ପିଅନ୍ ଭାରତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ପଞ୍ଚମ ଥର ଫାଇନାଲ୍ରେ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ରେ ହରମନପ୍ରୀତ ସିଂହଙ୍କ ଟିମ୍ ଜାପାନକୁ ୫-୦ରେ ଏକତରଫା ଭାବେ ମାତ୍ ଦେଇଛି । ଭାରତର ମନପ୍ରୀତ ସିଂହ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ଶନିବାର ହେବାକୁ ଫାଇନାଲ୍ ମୁକାବିଲାରେ ଆୟୋଜକ ଟିମ୍ ପ୍ରଥମ ଥର ମୁକୁଟ ପର୍ଯ୍ୟାୟରେ ସ୍ଥାନ ପାଇଥିବା ମାଲେସିଆକୁ ଭେଟିବ ।
ଭାରତ ପକ୍ଷରୁ ଆକାଶଦୀପ ସିଂହ (୧୯ତମ ମିନିଟ୍), ଅଧିନାୟକ ହରମନପ୍ରୀତ (୨୩ତମ), ମନଦୀପ (୩୦ତମ), ସୁମିତ (୩୯ତମ) ଓ କାର୍ତ୍ତୀ ସେଲ୍ଭମ୍ (୫୧ତମ) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ହରମନପ୍ରୀତ ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର୍ ଭାବେ ଏ ଯାବତ୍ ଆଠ ଗୋଲ୍ ଦେଇଛନ୍ତି ।
ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଥିଲା । ଆୟୋଜକ ଟିମ୍ ନିଜ ପ୍ରଥମ ମ୍ୟାଚ୍ରେ ଚୀନ୍କୁ ୭-୨ରେ ହରାଇଥିବା ବେଳେ ଜାପାନ ବିପକ୍ଷ ଦ୍ୱିତୀୟ ମ୍ୟାଚ୍କୁ ୧-୧ରେ ଡ୍ର’ ରଖିଥିଲା । ଏହାପରେ ଭାରତୀୟ ଟିମ୍ ମାଲେସିଆ ବିପକ୍ଷ ତୃତୀୟ ମ୍ୟାଚ୍ରେ ୫-୦, କୋରିଆ ବିପକ୍ଷ ଚତୁର୍ଥ ମ୍ୟାଚ୍ରେ ୩-୨ ଓ ପାକିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚ୍ରେ ୪-୦ରେ ବିଜୟୀ ହୋଇଥିଲା ।
ଆନ୍ତର୍ଜାତିକ ହକିରେ ଜାପାନ ବିପକ୍ଷରେ ଭାରତର ଆଧିପତ୍ୟ ରହିଆସିଛି । ୧୯୩୨ ଅଲିମ୍ପିକ୍ କ୍ରୀଡ଼ାରୁ ଏ ଯାବତ ଉଭୟ ଟିମ୍ ପରସ୍ପର ସହ ୩୫ ମ୍ୟାଚ୍ ଖେଳିସାରିଲେଣି । ସେଥିମଧ୍ୟରୁ ଭାରତ ୨୮ ମ୍ୟାଚ୍ ଜିତିଥିବା ବେଳେ ଜାପାନ ମାତ୍ର ତିନି ମ୍ୟାଚ୍ରେ ବିଜୟ ହାସଲ କରିଛି । ଅନ୍ୟ ଚାରିଟି ମ୍ୟାଚ୍ ଡ୍ର’ ରହିଛି ।
ସେମିଫାଇନାଲ୍ରେ ଭାରତ ମ୍ୟାଚ୍ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା । ଟିମ୍ ପ୍ର୍ରଥମରୁ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲା । ଜାପାନୀ ରକ୍ଷଣଭାଗ ମଧ୍ୟ ଦୃଢ଼ତାର ସହ ଖେଳି ପ୍ରଥମ କ୍ୱାର୍ଟର୍ ସୁଦ୍ଧା ଭାରତକୁ ଗୋଲ୍ ଠାରୁ ଦୂରେଇ ରହିଥିଲା । ଇତ୍ୟବସରେ ହରମନପ୍ରୀତଙ୍କ ଏକ ପେନାଲ୍ଟି କର୍ଣ୍ଣର ଗୋଲ୍ର ନିକଟବର୍ତ୍ତୀ ହୋଇଥିଲେ ବି ଭାରତ ଅଗ୍ରଣୀରୁ ବଞ୍ଚିତ ହୋଇଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ଭାରତ ଗୋଲ୍ ପାଇଁ ଜୋର୍ଦାର ପ୍ରୟାସ କରିଥିଲା । ଟିମ୍ ପକ୍ଷରୁ ମନପ୍ରୀତ ସିଂହ ଦୁଇ ଥର ଜାପାନର ପେନାଲ୍ଟି ସର୍କଲ ଭିତରେ ପ୍ରବେଶ କରିଥିଲେ, ହେଲେ ଗୋଲ୍ ହୋଇପାରି ନ ଥିଲା । ଏହାପରେ ୧୯ତମ ମିନିଟ୍ରେ ହାର୍ଦ୍ଦିକ, ସୁମିତଙ୍କ ସହିତ ୱାନ୍-ଟୁ ୱାନ୍ ଗେମ୍ ଖେଳିଥିଲେ, ବଲ୍ ଜାପାନୀ ଗୋଲ୍କିପର୍ଙ୍କୁ ବାଜି ଆକାଶଦୀପ ଆଗକୁ ଆସିଥିଲା ଯିଏକି ଗୋଲ୍ କରିବାରେ କୌଣସି ତ୍ରୁଟି କରି ନ ଥିଲେ ।
ଏହାର ଚାରି ମିନିଟ୍ ପରେ ହରମନପ୍ରୀତ ଏକ ପେନାଲ୍ଟି କର୍ଣ୍ଣରରୁ ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ୍ କରିଥିଲେ । ଦ୍ୱିତୀୟ କ୍ୱାର୍ଟରର ଶେଷ ମିନିଟ୍ରେ ମିଡ୍ଫିଲ୍ଡର ଓସ୍ତାଦ ମନପ୍ରୀତଙ୍କ ସଟ୍ ମନଦୀପଙ୍କ ଷ୍ଟିକ୍ରେ ବାଜି ଗୋଲ୍ପୋଷ୍ଟରେ ପହଞ୍ଚିଥିଲା । ମଧ୍ୟାନ୍ତର ସିଦ୍ଧା ଭାରତ ୩-୦ରେ ଆଗରେ ଥିଲା ।
ତୃତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଟିମ୍ ଜାପାନକୁ କୌଣସି ସୁଯୋଗ ଦେଇ ନ ଥିଲା । ୩୯ତମ ମିନିଟ୍ରେ ସୁମିତ ସ୍କୁପ୍ କରି ଭାରତ ପକ୍ଷରୁ ଚତୁର୍ଥ ଗୋଲ୍ କରିଥିଲେ । ଚତୁର୍ଥ କ୍ୱାର୍ଟରରେ ବି ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ୫୨ତମ ମିନିଟ୍ରେ କାର୍ତ୍ତୀ ଟିମ୍ ପକ୍ଷରୁ ପଞ୍ଚମ ଗୋଲ୍ କରିଥିଲେ । ଶେଷ ଯାଏଁ ଜାପାନ ଗୋଟିଏ ବି ଗୋଲ୍ ପରିଶୋଧ କରିପାରି ନ ଥିଲା । ଇତ୍ୟବସରେ ଭାରତୀୟ ଟିମ୍ର ଗୋଲ୍କିପର୍ ପିଆର୍ ଶ୍ରୀଜେଶ ୩୦୦ତମ ମ୍ୟାଚ୍ ଖେଳିଥିବା ନବମ ଭାରତୀୟ ହୋଇପାରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *