ଧାନ ପାଇଁ ପୁରସ୍କୃତ ରାଜ୍ୟରେ ଚାଉଳ ମହଙ୍ଗା

ଭୁବନେଶ୍ୱର,୯ା୮ (ତଥ୍ୟ): ଅଧିକ ଧାନ ଉତ୍ପାଦନ ପାଇଁ ପାଞ୍ଚ ପାଞ୍ଚ ଥର କୃଷି କର୍ମ ପାଇଥିବା ଓଡିଶାରେ ଏବେ ଚାଉଳ ଦର ଉପରମୁହାଁ । ସରୁ ଚାଉଳ ତ ଦୂରରକଥା ମୋଟା ଚାଉଳ କିଲୋପ୍ରତି ଦର ୪୦ ଟଙ୍କାକୁ ଟପିଯାଇଛି । ରାଜ୍ୟ ବାହାରୁ ଆସୁଥିବା ସରୁ ଚାଉଳର ସବନିମ୍ନ ଦର ୫୦ ଟଙ୍କା ଟପିଲାଣି । ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ଧାନ ଉତ୍ପାଦନ ପାଇଁ ଓଡିଶାକୁ ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫ ଏବଂ ୨୦୧୬-୧୭ରେ କେନ୍ଦ୍ର ସରକାରଙ୍କ ଠାରୁ କୃଷି କର୍ମଣ ପୁରସ୍କାର ମିଳିଛି । ରାଜ୍ୟରେ ଧାନ ଉତ୍ପାଦନ ବୃଦ୍ଧି ସହିତ ଚାଷୀଙ୍କୁ ଲାଭ ଦେବାପାଇଁ ସରକାର ମଧ୍ୟ ବର୍ଷକୁ ବର୍ଷ ଅଧିକ ପରିମାଣରେ ଧାନ ସଂଗ୍ରହ କରୁଛନ୍ତି । ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଏବେ ଚାଉଳର ଦର ହୁ ହୁ ହୋଇ ବଢିବାରେ ଲାଗିଛି ।
ବଜାରରେ ଏବେ ମୋଟା ଉଷୁନା ଚାଉଳ କିଲୋ ୪୦ ଟଙ୍କା ଟପିଲାଣି । ସରୁ ଉଷୁନା ଚାଉଳ କିଲୋ ୪୫ ଟଙ୍କା ଟପିଲାଣି । ଆଉ ଅରୁଆ ଚାଉଳ ଦର କିଲୋ ପିଛା ୧୦ ରୁ ୧୫ ଟଙ୍କା ବଢି ଯାଇଛି । ବାସ୍ନାଯୁକ୍ତ ସରୁ ଅରୁଆ ଚାଉଳର ଦର ୧୦୦ ଟଙ୍କା ଛୁଇଁଛି । ମାସକ ତଳେ ଏହା କିଲୋପ୍ରତି ୮୦ ଟଙ୍କାରେ ବିକ୍ରି ହେଉଥିଲା । ଆମ ରାଜ୍ୟରେ ଅତି କମ୍‌ରେ ଦୁଇଟି କୃଷି ଋତୁରେ ୯୦ ଲକ୍ଷରୁ ଅଧିକ ଏକର ଜମିରେ ଧାନ ଚାଷ କରାଯାଉଛି । ଖରିଫ ଋତୁରେ କେବଳ ୯୧ଲକ୍ଷ ଏକରରୁ ଅଧିକ ଜମିରେ ଧାନ ଚାଷ ହେଉଥିବାବେଳେ ରବି ଋତୁରେ ୧୦ଲକ୍ଷ ଏକରରୁ କମ୍‌ ଜମିରେ ଚାଷୀମାନେ ଧାନ ଚାଷ କରୁଛନ୍ତି । ସୂଚନା ଅନୁଯାୟୀ ୨୦୧୫-୧୬ ବର୍ଷରେ ରାଜ୍ୟରେ ୯୦ଲକ୍ଷ ମେଟି୍ରକ ଟନ୍‌ରୁ କମ୍‌ ଧାନ ଉତ୍ପାଦନ ହୋଇଥିବାବେଳେ ୨୦୨୧-୨୨ରେ ତାହା ୧୪୦ଲକ୍ଷ ମେଟି୍ରକ ଟନ୍‌କୁ ଟପି ଯାଇଛି । ସେହିଭଳି ସରକାର ଚାଷୀଙ୍କ ଠାରୁ ୨୦୧୫-୧୬ ବର୍ଷରେ ପ୍ରାୟ ୫୧ଲକ୍ଷ ମେଟି୍ରକ ଟନ୍‌ ଧାନ ସଂଗ୍ରହ କରିଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୭୧ଲକ୍ଷ ମେଟି୍ରକ ଟନ୍‌କୁ ଟପିଯାଇଛି ।
ଗୋଟିଏ ପଟେ ରାଜ୍ୟରେ ଧାନ ଉତ୍ପାଦନ ବୃଦ୍ଧି ପାଇବା ଓ ଏଥିଯୋଗୁଁ ସରକାର ଜାତୀୟ ସ୍ତରରେ ପୁରସ୍କୃତ ହେଉଥିବାବେଳେ ରାଜ୍ୟରେ କିନ୍ତୁ ଚାଉଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ରାଜ୍ୟରେ ୮୦ଲକ୍ଷରୁ ଅଧିକ ପରିବାର ସଦସ୍ୟ ମାସକୁ ମୁଣ୍ଡପିଛା ୫ କିଲୋ ଚାଉଳ ମାଗଣାରେ ପାଉଥିବାବେଳେ ଆବଶ୍ୟକ ଅବଶିଷ୍ଟ ଚାଉଳ ସେମାନଙ୍କୁ ବଜାରରୁ ଖରିଦ କରିବାକୁ ପଡୁଛି । ଗାଁ ଗହଳରେ ଏବେ ଚାଷବାସ ଋତୁ ଚାଲିଥିବାରୁ ଶ୍ରମଜୀବୀ ଶ୍ରେଣୀର ଲୋକେ ଚଢା ଦରରେ ଚାଉଳ କିଣିବା ନେଇ ସମସ୍ୟାରେ ପଡୁଛନ୍ତି । ଅନ୍ୟପଟେ ବଜାରରେ ଚାଉଳ ଦର ବଢୁଥିବାରୁ ତାହା ସହ ତାଳ ଦେଇ ହଳଦୀ, ଲଙ୍କା ଭଳି ଅନ୍ୟ ଖାଉଟି ସାମଗ୍ରୀର ଦର ବି ବଢିବାରେ ଲାଗିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *