ଆମେ ବିଜେପି ବିରୋଧୀ,  କିନ୍ତୁ କେନ୍ଦ୍ର ପ୍ରତି କୃତଜ୍ଞ

କଂଗ୍ରେସ ଉପରେ ବର୍ଷିଲେ ପିନାକୀ
ନୂଆଦିଲ୍ଲୀ, ୮ା୮: ମଙ୍ଗଳବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଚାଲିଥିବା ଅବସରରେ ବିଜୁ ଜନତା ଦଳ ସାଂସଦ ପିନାକୀ ମିଶ୍ର ପ୍ରାୟ ୧୪ ମିନିଟ୍ ଭାଷଣ ଦେଇ ଦଳର ଆଭିମୁଖ୍ୟ ପ୍ରକାଶ କରିବା ସହ କଂଗ୍ରେସ ଉପରେ ଖୁବ୍ ବର୍ଷିଥିଲେ । ସେ କହିଥିଲେ, ଅନାସ୍ଥା ପ୍ରସ୍ତାବରୁ କଂଗ୍ରେସ କୌଣସି ପ୍ରକାର ଫାଇଦା ହାସଲ କରିପାରିବ ନାହିଁ । ବିଜେଡି ମୋଦି ସରକାରଙ୍କ ବିରୋଧରେ ଆସିଥିବା ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ।
ପିନାକୀ କହିଥିଲେ, ରାଜନୈତିକ ଦଳ ରୂପେ ଆମେ ବିଜେପିର ବିରୋଧୀ, କିନ୍ତୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିପାରିବୁ ନାହିଁ । ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟ କରାଯାଇଛି, ସେଥିଲାଗି ଆମେ କୃତଜ୍ଞ । ରାଜ୍ୟର ସବୁ ଦାବି ପୂରଣ କରିବା କେନ୍ଦ୍ର ପକ୍ଷେ ସମ୍ଭବ ନୁହେଁ । କେନ୍ଦ୍ର ସରକାର ଓଡିଶାକୁ ବିଭିନ୍ନ ସହଯୋଗ ଦେଇଛନ୍ତି । କୋଇଲା ଉତ୍ପାଦନ ବୃଦ୍ଧି, ଖଣିଜ ସାମଗ୍ରୀର ରୟାଲ୍ଟି ବୃଦ୍ଧି, ଲୁହାପଥର ଓ ମାଙ୍ଗାନିଜ୍ ଉପରୁ କେନ୍ଦ୍ର ରପ୍ତାନୀ କର କମାଇ ଥିବାରୁ ଓଡିଶା ଲାଭବାନ ହୋଇଛି । ତେଣୁ କୌଣସି ପରିସ୍ଥିତିରେ କଂଗ୍ରେସ ପାର୍ଟି ପକ୍ଷରୁ ଆଗତ ଅନାସ୍ଥାକୁ ସମର୍ଥନ ଦେଇ ପାରିବୁ ନାହିଁ ।
ପିନାକୀ କହିଥିଲେ, ମୋ ମତରେ ଜିତିଥିବା ବାଜି ହାରିବାରେ କଂଗ୍ରେସ ମାହିର୍ । କଂଗ୍ରେସ ବିରୋଧରେ ଲଢେଇରୁ ବିଜେଡିର ସୃଷ୍ଟି ହୋଇଛି । ନିଜ ମୁହଁକୁ ବିକୃତ କରିବା ପାଇଁ ନିଜ ନାକ କାଟିବାରେ ମଧ୍ୟ କଂଗ୍ରେସ ମାହିର୍ । କଂଗ୍ରେସକୁ ଜଣା ଅଛି ଯେବେ ବି ପ୍ରଧାନମନ୍ତ୍ରୀ ଗୃହରେ କହିବା ପାଇଁ ଛିଡ଼ା ହୁଅନ୍ତି, କଂଗ୍ରେସର ଅଡ଼ୁଆ ବଢ଼ିଯାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *