ପକ୍ଷ-ବିପକ୍ଷ ତୀବ୍ର ବିତର୍କ
ଲୋକସଭାରେ ଅନାସ୍ଥା ଉପରେ ଆଲୋଚନା ଆରମ୍ଭ
ନୂଆଦିଲ୍ଲୀ, ୮ା୮: ଏନ୍ଡିଏ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି । ଆଲୋଚନା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଆଉ ଦୁଇଦିନ ଆଲୋଚନା ଚାଲିବ । ସମୁଦାୟ ୧୮ ଘଣ୍ଟା ଆଲୋଚନା ହେବ । ବିଜେପିକୁ ୭ ଘଣ୍ଟାର ସମୟ ମିଳିଥିବାବେଳେ କଂଗ୍ରେସକୁ ୧ ଘଣ୍ଟା ୧୫ ମିନିଟ୍ ସମୟ ମିଳିଛି । ଏହାବାଦ୍ ୱାଇଏସଆର କଂଗ୍ରେସ, ଶିବସେନା, ଜେଡିୟୁ, ବିଜେଡି, ବିଏସ୍ପି, ବିଆର୍ଏସ୍ ଓ ଏଲଜେପିକୁ ୨ ଘଣ୍ଟାର ସମୟ ବଣ୍ଟାଯାଇଛି । ସ୍ୱାଧୀନ ଓ ଅନ୍ୟ ପାର୍ଟିର ସାଂସଦମାନେ ୧ ଘଣ୍ଟା ୧୦ ମିନିଟ କାଳ ନିଜର ପକ୍ଷ ରଖିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ତାରିଖ ଦିନ ଆଲୋଚନାର ଉତ୍ତର ଦେବା ସମ୍ଭାବନା ରହିଛି ।
କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏହି ପ୍ରସ୍ତାବ ଆଗତ କରିଥିଲେ । ସୋମବାର ଏହା ଉପରେ ସେ ଆଲୋଚନା ଆରମ୍ଭ କରି ୩୫ ମିନିଟ୍ ଭାଷଣ ଦେଇଥିଲେ । ଗୋଗୋଇ ମଣିପୁର ହିଂସାଠାରୁ ଆରମ୍ଭ କରି ବିଦେଶୀ ନୀତି ଉପରେ ଅନେକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।
ଗୋଗୋଇ କହିଥିଲେ ଅନାସ୍ଥା ପ୍ରସ୍ତାବର ଉଦେ୍ଦଶ୍ୟ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମୌନ ଭଙ୍ଗ କରିବା । ପ୍ରଧାନମନ୍ତ୍ରୀଙ୍କୁ ମାନିବାକୁ ହେବ ଯେ ତାଙ୍କର ଡବଲ ଇଞ୍ଜିନ୍ ସରକାର ମଣିପୁରରେ ବିଫଳ ହୋଇଛି । ଏଥିଲାଗି ମଣିପୁରରେ ୧୫୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶାନ୍ତିର ମାହୋଲ ସୃଷ୍ଟି କରିବା କଥା ସେ କିନ୍ତୁ ଗତ ଦୁଇ ତିନି ଦିନ ହେଲା ଯେଉଁ ପଦକ୍ଷେପ ନେଉଛନ୍ତି ତା’ ଦ୍ୱାରା ସମାଜରେ ଉତ୍ତେଜନା ସୃଷ୍ଟି ହେଉଛି ।
ଗୋଗୋଇ ସରକାରଙ୍କୁ ମୁଖ୍ୟତଃ ତିନିଟି ପ୍ରଶ୍ନ ପଚାରିଥିଲେ ।
ପ୍ରଧାନମନ୍ତ୍ରୀ ମଣିପୁର କାହିଁକି ଗଲେ ନାହିଁ, ମଣିପୁର ପ୍ରସଙ୍ଗରେ ସଂସଦରେ ନ କହି ବାହାରେ କାହିଁକି ମାତ୍ର ୩୦ ସେକେଣ୍ଡ ବୟାନ ଦେଲେ ଏବଂ ମଣିପୁର ସରକାରଙ୍କୁ କାହିଁକି ବରଖାସ୍ତ କରାଗଲା ନାହିଁ ।
ବିଜେପି ତରଫରୁ ନିଶିକାନ୍ତ ଦୁବେ କହିଥିଲେ, ଆମେ ଆଶା କରିଥିଲୁ ରାହୁଲ ଗାନ୍ଧି ଆଲୋଚନା ଆରମ୍ଭ କରିବେ । ସେପରି ହେଲା ନାହିଁ । ମନେ ହେଉଛି ରାହୁଲ ଜୀ ପ୍ରସ୍ତୁତ ନଥିଲେ । ଆଜି ବୋଧହୁଏ ଡେରିରେ ଉଠିଲେ । ଦୁବେ ମଧ୍ୟ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଥିଲେ ।
ବିରୋଧୀଙ୍କ ପକ୍ଷରୁ ସୁପ୍ରିୟା ସୁଲେ କହିଥିଲେ, ବିଜେପି ଗତ ୯ ବର୍ଷରେ ୯ ରାଜ୍ୟରେ ସରକାର ଭାଙ୍ଗିଛି । ଏହାର ଜବାବରେ ସରକାରଙ୍କ ପକ୍ଷରୁ ମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ଭାରତ ବିରୋଧୀ କାମ କରି ବିରୋଧୀ ଦଳମାନେ ନିଜ ମେଣ୍ଟ ନା ରଖିଛନ୍ତି ଇଣ୍ଡିଆ ।