ରାହୁଲ ରିଟର୍ଣ୍ଣସ୍
୧୩୭ ଦିନ ପରେ ସାଂସଦ ପଦ ଫେରିପାଇଲେ
ନୂଆଦିଲ୍ଲୀ, ୭ା୮: ଲୋକସଭାର ସଦସ୍ୟତା ଫେରିପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର ସଂସଦରେ ପହଞ୍ଚିଛନ୍ତି । ସେ ୧୩୭ ଦିନ ପରେ ସଂସଦକୁ ଫେରିଛନ୍ତି । ସାଂସଦ ପଦ ଫେରିପାଇବା ପରେ ରାହୁଲଙ୍କ ଟ୍ୱିଟର ବାୟୋ ଅପଡେଟ୍ ହୋଇଛି । ସଂସଦ ସଦନ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ରାହୁଲ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖକୁ ଯାଇ ପ୍ରଣାମ କରିଥିଲେ । ରାହୁଲଙ୍କ ସହ ମା ତଥା କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧି ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।
ରାହୁଲ ସଂସଦରେ ପହଞ୍ଚିବା ମାତ୍ରେ କଂଗ୍ରେସ ତଥା ସହଯୋଗୀ ବିରୋଧୀ ଦଳର ସାଂସଦମାନେ ତାଙ୍କୁ ସ୍ୱାଗତ କରି ‘ରାହୁଲ ଗାନ୍ଧି ଜିନ୍ଦାବାଦ… ଆପଣ ସଂଘର୍ଷ କରନ୍ତୁ, ଆମେ ଆପଣଙ୍କ ସହ ଅଛୁ’ ସ୍ଲୋଗାନ ଦେଇଥିଲେ ।
୨୦୧୯ ଲୋକସଭା ନିର୍ବାଚନ ସମୟରେ ରାହୁଲ କର୍ଣ୍ଣାଟକର କୋଲାରରେ ଏକ ସାଧାରଣ ସଭାରେ କହିଥିଲେ, ଅଧିକାଂଶ ବଡ଼ ଅପରାଧୀଙ୍କ ସରନେମ୍ ମୋଦି କାହିଁକି? ଏହାକୁ ନେଇ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ସୁରଟ ସିଜେଏମ୍ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଥିଲେ । କୋର୍ଟ ମାର୍ଚ୍ଚ ୨୩ ତାରିଖରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେବାର ପରଦିନ ସେ ସାଂସଦ ପଦ ହରାଇଥିଲେ ।
ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରୋକ ଲଗାଇବା ପରେ ରାହୁଲ ସଦସ୍ୟତା ଫେରିପାଇବା ନେଇ ଲୋକସଭା ସଚିବାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଥିଲା । ବିଜ୍ଞପ୍ତିକୁ କଂଗ୍ରେସ ଟ୍ୱିିଟ୍ କରି ଏହା ଘୃଣା ଉପରେ ପ୍ରେମର ବିଜୟ ବୋଲି ଲେଖିଛି । ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି, ଏହା ଉଭୟ ନ୍ୟାୟ ଓ ଗଣତନ୍ତ୍ରର ବିଜୟ । ରାହୁଲ ଗାନ୍ଧି ଏବେ ଲୋକସଭାକୁ ଆସି ତାଙ୍କ ନିର୍ବାଚନମଣ୍ଡଳୀ (କେରଳର ୱାୟନାଡ) ତଥା ଦେଶବାସୀଙ୍କ ସେବା କରିପାରିବେ ।
ରାହୁଲ ସଦସ୍ୟତା ଫେରିପାଇବା ଖବର ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର ହୋଇପଡ଼ିଥିଲା । ସୋନିଆ ଗାନ୍ଧିଙ୍କ ବାସଭବନ ସମ୍ମୁଖରେ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ଜମିଥିଲା । ରାଜରାସ୍ତାରେ କଂଗ୍ରେସ କର୍ମୀମାନେ ବାଜା ବଜାଇ ଶୋଭାଯାତ୍ରା କରିଥିଲେ । ଜଣେ ବିଧାୟକ ବା ସାଂସଦ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ତା’ଠୁ ଅଧିକ ବର୍ଷର ଜେଲ୍ ଦଣ୍ଡାଦେଶ ପାଇଲେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯିବାର ନିୟମ ରହିଛି । ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାହୁଲ ଗୁଜରାଟ ହାଇକୋର୍ଟ ଯାଇ ନିରାଶ ହୋଇଥିଲେ । ଗତ ମାସରେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ଏହା ପରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ରାହୁଲଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରୋକ ଲଗାଇ କହିଥିଲେ, ଏହି ମାମଲାରେ କାହିଁକି ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଗଲା ସେ ନେଇ ନିମ୍ନ ଅଦାଲତ ଯଥେଷ୍ଟ କାରଣ ଦର୍ଶାଇ ନାହାନ୍ତି । ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ କେବଳ ରାହୁଲଙ୍କୁ ନୁହେଁ, ଭୋଟରମାନଙ୍କୁ ମଧ୍ୟ ପ୍ରଭାବିତ କରିଛି । ରାହୁଲ ଯେଭଳି ସାଂସଦ ପଦ ଫେରିପାଇବେ ସେଥି ନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ଫଳରେ ରାହୁଲ ସାଂସଦ ପଦ ଫେରି ପାଇବା ବାଟ ଖୋଲିଥିଲା ।