ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାସ୍
ସପକ୍ଷରେ ୧୩୧,
ବିପକ୍ଷରେ ୧ଠ୨ ଭୋଟ୍
ଆପ୍ ଓ କଂଗ୍ରେସର ଜୋର୍ଦାର ବିରୋଧ
ନୂଆଦିଲ୍ଲୀ, ୭ା୮: ବିବାଦୀୟ ଦିଲ୍ଲୀ ସେବା ବିଲ୍ ସୋମବାର ରାଜ୍ୟସଭାରେ ପାସ୍ ହୋଇଛି । ପୂର୍ବରୁ ଏହା ଲୋକସଭାର ଅନୁମୋଦନ ଲାଭ କରିଥିଲା । ରାଜ୍ୟସଭାରେ ଦୀର୍ଘ ବିତର୍କ, ଆଲୋଚନା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତର ପରେ ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ରାତି ୧୦ଟା ବେଳେ ଭୋଟିଂ କରାଇଥିଲେ । ଅଟୋମେଟିକ୍ ମେସିନ୍ ଖରାପ ହୋଇଯିବାରୁ ପର୍ଚା ମାଧ୍ୟମରେ ଭୋଟିଂ ହୋଇଥିଲା । ବିଲ୍ ସପକ୍ଷରେ ୧୩୧ ଭୋଟ୍ ପଡିଥିବାସ୍ଥଳେ ବିପକ୍ଷରେ ୧୦୨ ଜଣ ସାଂସଦ ଭୋଟ୍ ଦେଇଥିଲେ । ବିଲ୍ ପାସ୍ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କହିଛନ୍ତି, ବିଜେପି ଦିଲ୍ଲୀରେ ଆପ୍ଠାରୁ ଭୋଟ୍ରେ ୪ ଥର ହାରିଛି । ଏବେ ପଛଦ୍ୱାର ଦେଇ ବିଜେପି ରାସ୍ତା ଖୋଲିଲା ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍ ଉପସ୍ଥାପନ କରିଥିଲେ । ଦେଶର ରାଜଧାନୀ ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଉପରେ ନିୟନ୍ତ୍ରଣ ରଖିବା ପାଇଁ ନାସ୍ନାଲ୍ କ୍ୟାପିଟାଲ୍ ଟେରିଟରି ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍-୨୦୨୩ ଆଗତ କରାଯାଇଥିଲା । ଦିନସାରା ବିତର୍କ ପରେ ଗୃହମନ୍ତ୍ରୀ ଉତ୍ତର ଦେବା ପାଇଁ ଆସି କହିଲେ, ପୂର୍ବଭଳି ପ୍ରଧାନମନ୍ତ୍ରୀମାନଙ୍କ ସଂସଦ ସଦସ୍ୟତା ରକ୍ଷା କରିବା ପାଇଁ ଏହି ବିଲ୍ ଅଣାଯାଇ ନାହିଁ । ଜରୁରୀ ପରିସ୍ଥିତି ଜାରି ପାଇଁ ମଧ୍ୟ ଏହି ବିଲ୍ ଆଗତ କରାଯାଇନାହିଁ । ଶ୍ରୀ ଶାହା ଏକଥା କହିବାରୁ କଂଗ୍ରେସ ସାଂସଦମାନେ କ୍ଷୁବ୍ଧ ହୋଇପଡିଥିଲେ । ଏହାପରେ ଗୃହମନ୍ତ୍ରୀ କହିଲେ, ଗଣତନ୍ତ୍ର ଉପରେ କହିବା ଅଧିକାର କଂଗ୍ରେସର ନାହିଁ । କାରଣ କଂଗ୍ରେସ ଦେଶକୁ ଜରୁରୀ ପରିସ୍ଥିତି ଦେଇଥିଲା ।
ଏହି ବିଲ୍ର ଉଦେ୍ଦଶ୍ୟ ଦିଲ୍ଲୀକୁ ଭ୍ରଷ୍ଟାଚାରମୁକ୍ତ ଶାସନ ଦେବା । ପୂର୍ବ ବ୍ୟବସ୍ଥାରେ ସାମାନ୍ୟତମ ପରିବର୍ତ୍ତନ ହୋଇନାହିଁ । ଯେଉଁମାନେ କହୁଛନ୍ତି, ଆଜି ଦିଲ୍ଲୀର କାଲି ଓଡିଶାର ପାଳି ପଡିବ, ପୁଣି ଅନ୍ୟ ରାଜ୍ୟ ପାଳି ଆସିବ, ସେମାନଙ୍କ କଥା ଭୁଲ୍ । ଏଭଳି ମାନସିକତା ବଦଳାଇବାକୁ ହେବ । ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ । ଏନେଇ କାହାରି ଆପତ୍ତି ନ ରହୁ ।
କଂଗ୍ରେସ ଓ ଆପ୍ ପକ୍ଷରୁ ଏହି ବିଲ୍କୁ ଜୋରଦାର ବିରୋଧ କରାଯାଇଥିଲା । କଂଗ୍ରେସ ସାଂସଦ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ, ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି । ବିଧାନସଭାଭିତ୍ତିକ ଗଣତନ୍ତ୍ରକୁ ମଧ୍ୟ ଏହି ବିଲ୍ ଦ୍ୱାରା ଚାପି ଦିଆଯାଉଛି । ମୂଳତଃ ଅଗଣତାନ୍ତ୍ରିକ ଏହି ବିଲ୍ ସଙ୍ଘୀୟ ବ୍ୟବସ୍ଥାର ସବୁ ନିୟମ ଉଲ୍ଲଙ୍ଘନ କରୁଛି, ସାଧାରଣ ପ୍ରଶାସନିକ ନିୟମର ସବୁ ଉତ୍ତରଦାୟିତ୍ୱକୁ ବେଖାତିର କରୁଛି । ଆପ୍ ସାଂସଦ ରାଘବ ଚଢା କହିଥିଲେ, ଏହି ବିଲ୍ ଏକ ରାଜନୈତିକ ଧୋକା ।
ବିଜେପି ୧୯୮୯, ୧୯୯୯ ଓ ୨୦୧୩ ଲୋକସଭା ନିର୍ବାଚନ ଇସ୍ତାହାରରେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ପ୍ରତିଶ୍ରୁତି ଦେଇଥିଲା ।
ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନମନ୍ତ୍ରୀ ରଞ୍ଜନ ଗୋଗୋଇ ସୋମବାର ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ରୂପେ କହିଥିଲେ, ଦିଲ୍ଲୀ ଅଧ୍ୟାଦେଶ ସମ୍ବନ୍ଧୀୟ ଦୁଇଟି ପ୍ରଶ୍ନ ସୁପ୍ରିମ୍କୋର୍ଟଙ୍କ ସମ୍ବିଧାନ ପୀଠକୁ ପଠାଯାଇଛି । ଗୃହରେ ଆଲୋଚନା ସହ ତା’ର କିଛି ସମ୍ବନ୍ଧ ନାହିଁ । ଶ୍ରୀ ଗୋଗୋଇ ବିଲ୍କୁ ସମର୍ଥନ କରିଥିଲେ । ପ୍ରଶାସନିକ ସେବା ଅଧିକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହା ପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକୁ ମାତ୍ ଦେଇଥିଲେ । ଏବେ ଉକ୍ତ ଅଧ୍ୟାଦେଶ ବଦଳରେ କେନ୍ଦ୍ର ସରକାର ବିଲ୍ ଆଣିଥିଲେ । ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ସଂଖ୍ୟାଗରିଷ୍ଠତା ଥିବାରୁ ବିଲ୍ ସହଜରେ ପାସ୍ ହୋଇଥିଲା । ରାଜ୍ୟସଭାରେ ବିଲ୍ ପାସ୍ ପାଇଁ ୧୨୦ ସାଂସଦଙ୍କ ସମ୍ମତି ଆବଶ୍ୟକ ଥିଲା । ମନୋନୀତ ଓ ସ୍ୱାଧୀନ ସଦସ୍ୟଙ୍କୁ ମିଶାଇ ଏନ୍ଡିଏ ସାଂସଦ ସଂଖ୍ୟା ୧୧୦, ଇଣ୍ଡିଆର ୯୯ । ବିଜେଡି ଓ ୱାଇଏସ୍ଆର୍ କଂଗ୍ରେସ ଭଳି ଅଣ-ଏନଡିଏ ଦଳ ବିଲ୍କୁ ସମର୍ଥନ କରିବାରୁ ରାଜ୍ୟସଭାରେ ମଧ୍ୟ ଏହି ବିଲ୍ ଅକ୍ଳେଶରେ ପାସ୍ ହୋଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏହା ଆଇନରେ ପରିଣତ ହେଲେ ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଉପରାଜ୍ୟପାଳଙ୍କ ହାତକୁ ଯିବ । ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କ ହାତରେ ଏହି କ୍ଷମତା ରହିବ ବୋଲି ରାୟ ଦେଇଥିଲେ ।