ଏଏସ୍ଆଇର ସତ୍ୟପାଠ ରତ୍ନଭଣ୍ଡାର ସଂରକ୍ଷଣ ଜରୁରି
ହାଇକୋର୍ଟ ଅନୁମତି ଦେଲେ ପଦକ୍ଷେପ ନିଆଯିବ
କଟକ, ୭ା୮ (ବୁ୍ୟରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଇଛି ଏଏସ୍ଆଇ । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ମରାମତି ପାଇଁ କୋର୍ଟ ଅନୁମତି ଦେଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏଏସ୍ଆଇ ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି । ସତ୍ୟପାଠରେ ଉଲ୍ଲେଖ କରାଯାଇଛି, ୨୦୧୮ରେ ଶେଷଥର ପାଇଁ ବାହାର ଭଣ୍ଡାରର ଅନୁଧ୍ୟାନ କରାଯାଇଥିଲା । ଭିତର ଭଣ୍ଡାର କେବେ ବି ଅନୁଧ୍ୟାନ ହୋଇନାହିଁ । ପୂର୍ବରୁ ରତ୍ନଭଣ୍ଡାରରୁ ପାଣି ଝରୁଥିଲା । ରତ୍ନଭଣ୍ଡାରର ଚଟାଣରେ କିଛି ପଥର ପଡିଥିଲା । କାନ୍ଥ ମଝିରେ ଫାଟ ଥିବାର ଶବ୍ଦ ଆସିଥିଲା । ବର୍ତ୍ତମାନ ରତ୍ନଭଣ୍ଡାର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି । କୋର୍ଟ ଯେତେ ଶୀଘ୍ର ନିଦେ୍ର୍ଦଶ ଦେବେ ସେତେ ଶୀଘ୍ର ମରାମତି ଆରମ୍ଭ କରାଯିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସୁପାରିସ କରିଛି । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏହାର ଅନୁଧ୍ୟାନ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ିବାକୁ ଗତ ୪ ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଥିଲା । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବି·ରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ କରାଯିବ । ଟିମ୍ରେ ଏଏସ୍ଆଇ, ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟର ରହିବେ । ଲେଜର ସ୍କାନିଂ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଯାଞ୍ଚ କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି ।