ମଧୁବାବୁ ପେନସନ୍ ଯୋଜନା ଆଉ ୪.୧୩ ଲକ୍ଷ ହିତାଧିକାରୀ
ଭୁବନେଶ୍ୱର, ୭ା୮ (ବୁ୍ୟରୋ): ସାମାଜିକ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ମଧୁବାବୁ ପେନ୍ସନ୍ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ମୋ ସରକାରରୁ ମିଳିଥିବା ମତାମତ ବିଚାରକୁ ନେଇ ଏହି ଯୋଜନାରେ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଆସୁଥିଲେ । ଏବେ ହିତାଧିକାରୀ ସଂଖ୍ୟା ୩୨ ଲକ୍ଷ ୭୫ ହଜାରକୁ ବୃଦ୍ଧି ପାଇଛି ।
ଆସନ୍ତା ୧୫ ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନ୍ସନ୍ ପାଇବେ । ଗ୍ରାମପଞ୍ଚାୟତ ମୁଖ୍ୟାଳୟ ଓ ୱାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ । କ୍ୟାମ୍ପ କରି ହିତାଧିକାରୀମାନଙ୍କୁ ପେନ୍ସନ୍ ଯୋଗାଇବା ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ବୟସ୍କ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, କୁଷ୍ଠରୋଗୀ, ଓଏସ୍ଏସିଏସ୍ ଦ୍ୱାରା ଚିହ୍ନଟ ଏଡସ୍ ରୋଗୀ, ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ବିଧବା, କୋଭିଡ୍ ପ୍ରଭାବିତ ପରିବାରର ଅନାଥ ପିଲା ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ବ୍ୟକ୍ତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଯୋଜନାରେ ୭୯ ବର୍ଷ କିମ୍ବା ତା ଠାରୁ କମ୍ ବୟସର ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କୁ ୮୦୦ ଟଙ୍କା, ୪୦-୫୯% ଦିବ୍ୟାଙ୍ଗଙ୍କୁ ୫୦୦ ଟଙ୍କା, ୬୦% ଏବଂ ତଦୂଦ୍ଧ୍ୱର୍ ଦିବ୍ୟାଙ୍ଗଙ୍କୁ ୭୦୦ ଟଙ୍କା, ୬୦%ରୁ ଅଧିକ ଅକ୍ଷମ ଥିବା ଏବଂ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀମାନଙ୍କୁ ମାସିକ ୯୦୦ ଟଙ୍କା ଦିଆଯାଉଛି ।