୩ ମହିଳା ଜଜ୍ଙ୍କୁ ନେଇ କମିଟି
ମଣିପୁର ମାମଲାରେ ସୁପ୍ରିମ୍ ଆକ୍ସନ
ନୂଆଦିଲ୍ଲୀ, ୭ା୮: ହିଂସାଜର୍ଜର ମଣିପୁର ରାଜ୍ୟରେ ଚାଲିଥିବା ରିଲିଫ ଏବଂ ଥଇଥାନ କାର୍ଯ୍ୟର ତଦାରଖ ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ସୋମବାର ଏକ କମିଟି ଗଠନ କରିଛନ୍ତି । ହାଇକୋର୍ଟର ୩ଜଣ ପୂର୍ବତନ ମହିଳା ଜଜ୍ ଗୀତା ମିତ୍ତଲ, ଶାଲିନୀ ପି ଯୋଶୀ ଏବଂ ଆଶା ମେନନ୍ଙ୍କୁ ନେଇ ଗଠିତ ଏହି କମିଟି ରିଲିଫ୍ ଏବଂ ଥଇଥାନ ଉପରେ ପରାମର୍ଶ ଦେବେ । ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଗୀତା ମିତ୍ତଲ କମିଟିର ନେତୃତ୍ୱ ନେବେ ।
ଏହାଛଡ଼ା ସିବିଆଇ ତଦନ୍ତ ତଦାରଖ ପାଇଁ ଜଣେ ପୂର୍ବତନ ଆଇପିଏସ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ମଣିପୁର ହିଂସା ସମ୍ବନ୍ଧୀୟ ମାମଲାଗୁଡିକର ତଦନ୍ତ ପାଇଁ ୪୨ଟି ସ୍ୱତନ୍ତ୍ର ଯାଞ୍ଚ ଟିମ୍ (ଏସ୍ଆଇଟି) ଗଢାଯିବ । ଏପର୍ଯ୍ୟନ୍ତ ଯେଉଁ ମାମଲାଗୁଡିକୁ ସିବିଆଇକୁ ଦିଆଯାଇ ନାହିଁ, ସେଗୁଡିକର ତଦନ୍ତ କରିବେ ଏହି ୪୨ ଟିମ୍ । ଏସ୍ଆଇଟିର କାର୍ଯ୍ୟ ତଦାରଖ କରିବେ ମଣିପୁର ବାହାରର ଡିଆଇଜି ର୍ୟାଙ୍କ ଅଫିସର ।
ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଦତ୍ତାତ୍ରେୟ ପାଟସଲଗିକରଙ୍କ ତଦାରଖରେ ମଣିପୁର ହିଂସାର ସିବିଆଇ ତଦନ୍ତ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ନିଦେ୍ର୍ଦଶ ଦେଇଛନ୍ତି ।
ସୋମବାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ପୂର୍ବ ନିଦେ୍ର୍ଦଶ କ୍ରମେ ମଣିପୁର ପୁଲିସ ଡିଜି ରାଜୀବ ସିଂହ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସମ୍ମୁଖରେ ହାଜର ହୋଇଥିଲେ । ସେ ମଣିପୁର ହିଂସା ସମ୍ପର୍କରେ କୋର୍ଟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ପୂର୍ବରୁ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଥିଲେ, ଶ୍ରେଣୀଭୁକ୍ତ ୬୫୦୦ ଏଫ୍ଆଇଆର୍କୁ କୋର୍ଟଙ୍କ ଅନୁଧ୍ୟାନ ଲାଗି ଉପଲବ୍ଧ କରାଯାଇଛି ।