ମଣିପୁରରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱସ୍ତ

ନୂଆଦିଲ୍ଲୀ, ୧ା୮: ମଣିପୁରରେ କେନ୍ଦ୍ର ଓ ରାଜ୍ୟ ସରକାର ଶାନ୍ତି ଫେରାଇ ଆଣିବାରେ ଏଯାଏ ସଫଳ ହୋଇ ନଥିବାରୁ ମଙ୍ଗଳବାର ସୁପ୍ରିମ୍କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରି ମଣିପୁରରେ ୨ ମାସ ହେଲାଣି ସାମ୍ବିଧାନିକ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱସ୍ତ ହୋଇପଡ଼ିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦୁଇ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଚଲାଇବା ଘଟଣାର ତଦନ୍ତରେ ମନ୍ଥରତା ଏବଂ ଏଫ୍ଆଇଆର୍ ଓ ବୟାନ ରେକର୍ଡରେ ଅହେତୁକ ବିଳମ୍ବ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଗଭୀର କ୍ଷୋଭ ପ୍ରକାଶ କରିବା ସହ ମଣିପୁର ପୁଲିସ୍ ଡିଜିଙ୍କୁ ଶୁକ୍ରବାର ଅପରାହ୍ଣ ୨ଟା ବେଳେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଡିଜିପିଙ୍କୁ ସେଦିନ ଅଦାଲତରେ ସିଧା ପ୍ରଶ୍ନ ପଚରାଯିବ । ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଏବଂ ସବୁ ମାମଲାଗୁଡିକର ବର୍ଗୀକୃତ ଚାର୍ଟ ଅଦାଲତରେ ଦାଖଲ କରିବେ ।  ସରକାରଙ୍କ ତରଫରୁ ମଙ୍ଗଳବାର ପକ୍ଷ ରଖିଥିବା ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଜଣାଇବା ଲାଗି ଶୁକ୍ରବାର ପର୍ଯ୍ୟନ୍ତ ସମୟ ମାଗିଥିଲେ । ଏବେ ମଧ୍ୟ ମଣିପୁର ସ୍ଥିତି ଗମ୍ଭୀର ବୋଲି କହିଥିଲେ ଆଟର୍ଣ୍ଣି ଜେନେରାଲ୍ ଭେଙ୍କଟରମଣୀ । ସିଜେଆଇଙ୍କ ଏକ ପ୍ରଶ୍ନର ଉତ୍ତରରେ ମେହେଟା କହିଥିଲେ, ହିଂସାକୁ ନେଇ ମୋଟ ୬,୫୨୩ ଏତଲା ରୁଜୁ ହୋଇଛି । ମହିଳା ଓ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ସମ୍ବନ୍ଧୀୟ ୧୧ଟି ମାମଲାର ଦାୟିତ୍ୱ ସିବିଆଇକୁ ଦିଆଯାଇଛି । ଅବଶିଷ୍ଟ ମାମଲାଗୁଡିକର ବର୍ଗୀକରଣ ସମ୍ପର୍କିତ ସୂଚନା ରାଜ୍ୟ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଜଣାପଡିବ । ଏଯାଏ ମୋଟ ୨୫୨ ଜଣଙ୍କୁ ଗିରଫ କରାଯାଇଛି । ଭାଇରାଲ ଭିଡିଓ ଘଟଣାରେ ଜଣେ ନାବାଳକ ସହ ୭ ଜଣକୁ ଗିରଫ କରାଯାଇଛି । ଗୋଟିଏ ଜିରୋ ଏଫଆଇଆର ମେ’ ୧୫ରେ ହୋଇଥିଲା । ଏହାକୁ ଜୁନ୍ ୧୬ରେ ନିୟମିତ ଏତଲାରେ ପରିବର୍ତ୍ତନ କରାଯାଇଥିଲା । ଏହି ତଥ୍ୟ ଷ୍ଟାଟସ ରିପୋର୍ଟର ଅଂଶବିଶେଷ । ଏହାକୁ କୋର୍ଟରେ ମଧ୍ୟ ଉପସ୍ଥାପନ କରାଯାଇଥିବା ସେ ଜଣାଇଥିଲେ ।
ଶୁଣାଣି ବେଳେ ପ୍ରଧାନ ବିଚାରପତି ପ·ରିଥିଲେ- ପୁଲିସ୍ ଅଭିଯୁକ୍ତମାନଙ୍କ ହାତରେ ପୀଡ଼ିତାଙ୍କୁ ଟେକି ଦେଇଥିବା ଅଭିଯୋଗର ତଦନ୍ତ ହୋଇଛି କି? ଏହାର ଜବାବରେ ମେହେଟା କହିଥିଲେ, ରାତାରାତି ଏହାର ତଥ୍ୟ ଆଣିବା ସମ୍ଭବ ନୁହେଁ । ଏହା ପରେ ସିଜେଆଇ ଆଉ ଦୁଇ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାର ବିସ୍ତୃତ ତଥ୍ୟ ମାଗିଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ, ରାଜ୍ୟ ପୁଲିସ୍ ତଦନ୍ତ ପାଇଁ ଅଯୋଗ୍ୟ ଓ ଅକ୍ଷମ । ସେମାନେ ନିୟନ୍ତ୍ରଣ ହରାଇଛନ୍ତି । ସେଠାରେ କୌଣସି ପ୍ରକାର ଆଇନଶୃଙ୍ଖଳା ବ୍ୟବସ୍ଥା ନାହିଁ ।
ମଣିପୁରରେ ଗତ ୨ ମାସ ହେଲା ସାମ୍ବିଧାନିବ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି ।
ସିଜେଆଇ କହିଥିଲେ, ପ୍ରାୟ ୬୫୦୦ ମାମଲା ରହିଛି । ଆମେ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲାଗୁଡିକୁ ଦେଖିବୁ । ଆପଣ ସବୁ ମାମଲା ସିବିଆଇକୁ ପଠାଇ ପାରିବେ ନାହିଁ । ଆମକୁ ଗୋଟିଏ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପଡ଼ିବ ।
ସିଜେଆଇ ଶୁଣାଣି ବେଳେ ଗୋଟିଏ ତାଲିକା ପ୍ରସ୍ତୁତ କରିଥିଲେ: ୧- ଘଟଣାର ତାରିଖ, ୨- ଜିରୋ ଏଫ୍ଆଇଆର୍ ରୁଜୁ କରାଯାଇଥିବା ତାରିଖ, ୩- ନିୟମିତ ଏଫଆଇଆର ରୁଜୁ ହୋଇଥିବା ତାରିଖ, ୪- ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଥିବା ତାରିଖ, ୫- ଧାରା ୧୬୪ ଆଧାରାରେ କେବେ କୋର୍ଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଥିଲା ଓ ୬- କେତେ ଜଣଙ୍କୁ ଓ କେବେ ଗିରଫ କରାଯାଇଥିଲା । ପରବର୍ତ୍ତୀ ଶୁଣାଣି ବେଳକୁ ଏହାର ଉତ୍ତର ଧରି ଆସିବାକୁ ମେହେଟାଙ୍କୁ କହିଥିଲେ ସିଜେଆଇ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *