ବିଜେଡି ଦେଲା ସମର୍ଥନ

ଦିଲ୍ଲୀ ସେବା ବିଲ୍ ପାସ୍ ହେବା ପକ୍କା
ନୂଆଦିଲ୍ଲୀ, ୧ା୮: ମଙ୍ଗଳବାର ଲୋକସଭାରେ ବହୁଚର୍ଚ୍ଚିତ ଦିଲ୍ଲୀ ସେବା ବିଲ୍ (ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ କ୍ଷେତ୍ର ସରକାର ସଂଶୋଧନ ବିଧେୟକ-୨୦୨୩) ଉପସ୍ଥାପିତ ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲ୍ ଉପସ୍ଥାପନ କରିବା ମାତ୍ରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହି ବିଲ୍କୁ ବିଜୁ ଜନତା ଦଳ (ବିଜେଡି) ଉଭୟ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କରିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି । ତା ସହିତ ଏନ୍ଡିଏ ସରକାର ବିରୁଦ୍ଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମଧ୍ୟ ବିଜେଡି ବିରୋଧ କରିବ । ଦିଲ୍ଲୀ ସେବା ବିଲ୍ ଓ ଅନାସ୍ଥା ପ୍ରସ୍ତାବ ଆଲୋଚନାବେଳେ ସଂସଦରେ ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ବିଜେଡି ପକ୍ଷରୁ ୩ ଧାଡ଼ିଆ ହୁଇପ୍ ଜାରି ହୋଇଛି ।
ବିଜେଡି ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ମଙ୍ଗଳବାର ଆଗତ ଦିଲ୍ଲୀ ସର୍ଭିସ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହା ସହିତ ଏନ୍ଡିଏ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ । ୱାଇଏସ୍ଆର୍ କଂଗ୍ରେସ ପରେ ବିଜେଡିର ସମର୍ଥନ ମିଳିଥିବାରୁ ଦିଲ୍ଲୀ ବିଲ୍ ପାସ୍ ହେବା ସୁନିଶ୍ଚିତ । ଏନ୍ଡିଏ ପାଇଁ ଲୋକସଭାରେ ସମସ୍ୟା ନାହିଁ, ସମସ୍ୟା ରହିଛି ରାଜ୍ୟସଭାରେ । କାରଣ ବିରୋଧୀ ସାଂସଦମାନଙ୍କ ସମେତ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍)ର ସମସ୍ତ ୭ ସଦସ୍ୟଙ୍କୁ ମିଶାଇଲେ ମୋଟ ୧୦୮ଜଣ ସାଂସଦ ରାଜ୍ୟସଭାରେ ଦିଲ୍ଲୀ ବିଲ୍ ବିରୁଦ୍ଧରେ ଭୋଟ୍ ଦେବେ । ରାଜ୍ୟସଭାରେ ମ୍ୟାଜିକ୍ ନମ୍ବର ପାଇଁ ଏନ୍ଡିଏ ପାଖରେ ଆବଶ୍ୟକ ସଂଖ୍ୟକ ସମର୍ଥନ ନାହିଁ । ବିଜେଡିର ସମର୍ଥନ ପରେ ଏନ୍ଡିଏ ଏବେ ସୁଦୃଢ଼ ସ୍ଥିତିକୁ ଆସିଛି । ଜଗନମୋହନ ରେ‡ୀଙ୍କ ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ୯ଜଣ, ଜେଡିୟୁ, ବହୁଜନ ସମାଜ ପାର୍ଟି ଓ ତେଲ୍ଗୁ ଦେଶମ ପାର୍ଟିର ଜଣେ ଲେଖାଏଁ ସାଂସଦଙ୍କୁ ମିଶାଇଲେ ମୋଟ ୧୨ଜଣ ସାଂସଦ ଏବଂ ୫ ଜଣ ମନୋନୀତ ଓ ୩ ଜଣ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଶିଲେ ମୋଟ ୨୦ଜଣ ସମର୍ଥନ ମିଳିବ । ମନୋନୀତ ସଦସ୍ୟମାନେ ସର୍ବଦା କ୍ଷମତାସୀନ ଦଳ ସପକ୍ଷରେ ମତଦାନ କରିଥାନ୍ତି । ତଥାପି ମ୍ୟାଜିକ୍ ନମ୍ବର ପାଇଁ ଆହୁରି ୧୧ଜଣ ସଦସ୍ୟଙ୍କ ସମର୍ଥନ ଜରୁରୀ ଥିବାରୁ ବିଜେଡିର ସମର୍ଥନ ଘୋଷଣା ଏନ୍ଡିଏକୁ ଆଶ୍ୱସ୍ତ କରିଛି । ରାଜ୍ୟସଭାରେ ବିଜେଡିର ୯ ସାଂସଦ ଥିବାରୁ ଏନଡିଏ ସରକାର ପାଇଁ ବିଜେଡିର ସମର୍ଥନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।
ସେହିପରି ଅଗଷ୍ଟ ୮ରୁ ୧୦ ତାରିଖ ତିନିଦିନ ଧରି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଲୋକସଭା ବାଚସ୍ପତି ଓମ୍ ବିରଳା ତାରିଖ ଧାର୍ଯ୍ୟ କରିଛନ୍ତି । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ଦେବେ । ଲୋକସଭା ଆସନ ସଂଖ୍ୟା ୫୪୩ । ୫ ଆସନ ଖାଲିପଡିଛି । ଅନାସ୍ଥାରେ ଜିତିବା ପାଇଁ ସରକାରଙ୍କ ପାଇଁ ମ୍ୟାଜିକ୍ ନମ୍ବର ୨୬୯ । ବିଜେପିର ୩୦୧ ସମେତ ଏନ୍ଡିଏ ପାଖରେ ୩୨୯ ଆସନ । ବିରୋଧୀ ମେଣ୍ଟ ପାଖରେ ରହିଛି ମାତ୍ର ୧୪୨ ଆସନ । ତେଣୁ ଲୋକସଭାରେ ଦିଲ୍ଲୀ ବିଲ୍ ପାସ୍ ହେବା ଏବଂ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବାରେ ସନେ୍ଦହ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *