ମଣିପୁର ଘଟଣା ନିର୍ଭୟା କାଣ୍ଡ ଠାରୁ ଭୟାନକ
ଏସ୍ଆଇଟି ଗଠନ ସୂଚନା ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୩୧ା୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲ୍ଲଗ୍ନ କରି ବୁଲାଇବା ଭିଡିଓ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମ୍କୋର୍ଟରେ ସୋମବାର ଆରମ୍ଭ ହୋଇଛି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ମଣିପୁର ଭିଡିଓ ନିର୍ଭୟା କାଣ୍ଡଠାରୁ ଆହୁରି ଭୟାବହ । ଏହାର ତଦନ୍ତ ରାଜ୍ୟ ପୁଲିସ୍ ଦ୍ୱାରା କରାଯାଇ ପାରିବ ନାହିଁ । କାରଣ ପୁଲିସ୍ହିଁ ଦୁଇ ମହିଳାଙ୍କୁ ଉପଦ୍ରବକାରୀମାନଙ୍କ ହାତରେ ଛାଡି ଦେଇଥିଲା । ଏକ ସ୍ୱତନ୍ତ୍ର ତଦନ୍ତ କମିଟି (ଏସ୍ଆଇଟି) କିମ୍ବା ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇପାରେ । ମଣିପୁର ହିଂସାକାଣ୍ଡ ସମ୍ବନ୍ଧୀୟ ବିଭିନ୍ନ ପିଟିସନ୍ର ଶୁଣାଣି ମଙ୍ଗଳବାର ହେବ ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେବି ପାରଦୀୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ପୀଠ ଏହାର ଶୁଣାଣି କରୁଛନ୍ତି । ମହିଳାଙ୍କ ନଗ୍ନ ପରେଡ୍ ସମ୍ବନ୍ଧୀୟ ଅଭିଯୋଗ ମିଳିବାର ୧୪ ଦିନ ପରେ କାହିଁକି ଏତଲା ପଞ୍ଜିକୃତ କରାଗଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ । ନ୍ୟାୟପୀଠ ପଚାରିଥିଲେ ପୁଲିସ୍ କ’ଣ କରୁଥିଲା? ଏତଲା ରୁଜୁର ମାସେ ୩ ଦିନ ପରେ ଜୁନ୍ ୨୪ ତାରିଖ ଦିନ ତାହାକୁ ମାଜିଷ୍ଟ୍ରେଟ୍ ଅଦାଲତକୁ କାହିଁକି ପଠାଗଲା । ରାଜ୍ୟ ପୁଲିସ୍ ଏହାର ତଦନ୍ତ କରିବା ଆମେ ଚାହୁଁନାହୁଁ । ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣୀ ଉତ୍ତର ଦେବା ପାଇଁ ସମୟ ମାଗିବାରୁ ନ୍ୟାୟପୀଠ କହିଥିଲେ, ଆମ ପାଖରେ ସମୟ ନାହିଁ । ଏହାସହିତ ମଣିପୁର ସରକାରଙ୍କୁ ରୁଜୁ ହୋଇଥିବା ‘ଜିରୋ ଏଫ୍ଆଇଆର୍’ ସଂଖ୍ୟା ଓ ଏପର୍ଯ୍ୟନ୍ତ କେତେ ଲୋକ ଗିରଫ ହେଲେଣି ତା’ର ବିବରଣୀ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ନ୍ୟାୟପୀଠ କହିଥିଲେ, ଦଙ୍ଗା ପ୍ରଭାବିତ ଲୋକଙ୍କ ପୁନର୍ବାସ ପାଇଁ କି ବ୍ୟବସ୍ଥା ହୋଇଛି, ତାହା ମଧ୍ୟ ଆମେ ଜାଣିବାକୁ ଚାହୁଁ ।