କନ୍ଷ୍ଟେବଲ ଗୁଳିରେ ସିନିୟର, ୩ ଯାତ୍ରୀ ମୃତ

ଚଳନ୍ତା ଟ୍ରେନ୍ରେ ଫାୟରିଂ
ପାଲଘର, ୩୧ା୭: ଜୟପୁରରୁ ମୁମ୍ବାଇ ଆସୁଥିବା ଜୟପୁର ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରେ ସୋମବାର ସକାଳେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ରେଲୱେ ପୁଲିସ୍ ଫୋର୍ସ (ଆର୍ପିଏଫ୍)ର ଏଏସ୍ଆଇ ଟିକାରାମ ମୀଣା ଓ ୩ ଜଣ ଯାତ୍ରୀଙ୍କ ମୃତୁ୍ୟ ଘଟିଛି । ଚଳନ୍ତା ଟ୍ରେନ୍ରେ ଏଭଳି କାଣ୍ଡ କରିଥିବା ଆର୍ପିଏଫ୍ କନ୍ଷ୍ଟେବଲ ଚେତନ କୁମାରକୁ ଗିରଫ କରାଯାଇଛି । ସୋମବାର ସକାଳ ପ୍ରାୟ ସାଢେ ୫ଟା ବେଳେ
ଟ୍ରେନ୍ ପାଲଘର ଷ୍ଟେସନ୍ ଅତିକ୍ରମ କରିବା ପରେ ଅଭିଯୁକ୍ତ କନ୍ଷ୍ଟେବଲ ଅଚାନକ ନିଜ ସର୍ଭିସ୍ ରିଭଲଭର୍ରୁ ଗୁଳି ଫୁଟାଇଥିଲା । ପ୍ରଥମେ ସେ ଏଏସ୍ଆଇ ମୀଣାଙ୍କୁ ମାରି ଅନ୍ୟ ଏକ ବଗିକୁ ଯାଇ ଯାହାକୁ ଦେଖିଲା ତାଙ୍କୁ ଗୁଳି କଲା । ଏଥିରେ ୩ ଜଣ ଯାତ୍ରୀ ଚଳନ୍ତା ଟ୍ରେନ୍ ଭିତରେ ଟଳିପଡିଥିଲେ । ୩ ଯାତ୍ରୀ ହେଲେ- ଅବଦୁଲ କାଦିର ଭାନପୁରୱାଲା, ମହମଦ ହୁସେନ୍ ଓ ଅସଗର କାଇ । ଗୁଳିକାଣ୍ଡ ପରେ ଅଭିଯୁକ୍ତ ଚେତନ କୁମାର ଦହିସର ଷ୍ଟେସନ୍ ପାଖରେ ଚେନ୍ ଟାଣି ଟ୍ରେନ୍ରୁ ଡେଇଁ ପଡିଥିଲା । ଆର୍ପିଏଫ୍ ଯବାନମାନେ ତାକୁ ଗୋଡାଇ ଗୋଡାଇ କାବୁ କରିନେଇଥିଲେ ।
ଗୁଳିକାଣ୍ଡର ଅଧଘଣ୍ଟା ପରେ ରେଳବାଇ କର୍ତ୍ତୃପକ୍ଷ ସୂଚନା ପାଇଥିଲେ । ଏସ୍କର୍ଟିଂ ଡୁ୍ୟଟିରେ ଥିଲା କନ୍ଷ୍ଟେବଲ ଚେତନ କୁମାର । ତାକୁ କିଛିଦିନ ପୂର୍ବେ ଗୁଜରାଟରୁ ମୁମ୍ବାଇ ବଦଳି କରାଯାଇଥିଲା । ବଦଳି ଯୋଗୁଁ ତା’ର ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ନାରକୀୟ କାଣ୍ଡ କରିଥିବା କୁହାଯାଉଛି ।
ପଶ୍ଚିମ ରେଳପଥ ପକ୍ଷରୁ ନିହତ ଏଏସ୍ଆଇଙ୍କ ପରିଜନଙ୍କ ଲାଗି ଅନୁକମ୍ପା ରାଶି ଘୋଷଣା କରାଯାଇଛି । ରେଲୱେ ସୁରକ୍ଷା କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା, ଅନ୍ତିମ ସଂସ୍କାର ପାଇଁ ୨୦ ହଜାର ଟଙ୍କା, ଗ୍ରାଚୁ୍ୟଟି ବାବଦରେ ୧୫ ଲକ୍ଷ ଟଙ୍କା ଓ ସାଧାରଣ ବୀମା ଯୋଜନାରେ ୬୫ ହଜାର ଟଙ୍କା ଦିଆଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *