ମଣିପୁର ସ୍ଥିତିି ଗୁରୁତର
ନୂଆଦିଲ୍ଲୀ, ୩୦ ।୭: ନବଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୧ ଜଣିଆ ସାଂସଦ ପ୍ରତିନିଧି ଦଳ ଦୁଇଦିନ ମଣିପୁର ଗସ୍ତ ସାରି ନୂଆଦିଲ୍ଲୀ ଫେରିଆସିଛନ୍ତି । ଦଙ୍ଗା ପୀଡ଼ିତଙ୍କୁ ଭେଟିବା ପରେ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରି କହିଛନ୍ତି, ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି । ଏହା ଏବେ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ପରିଣତ ହୋଇଛି । ଚୀନା ସୈନିକମାନେ ସୀମାନ୍ତ ରାଜ୍ୟରେ ଅଶାନ୍ତିରୁ ଫାଇଦା ଉଠାଇପାରନ୍ତି । ମଣିପୁର ବସ୍ତୁତଃ ଦୁଇଭାଗରେ ବିଭକ୍ତ ହୋଇଯାଇଛି । ସରକାର ଏପରି ସ୍ଥିତି ହୃଦୟଙ୍ଗମ କରୁନାହାନ୍ତି । ମ୍ୟାଁମାର ସଂଲଗ୍ନ ସୀମାରେ ମାତ୍ର ୭୫ କିମି ତାରବାଡ଼ ଲଗାଯାଇଛି । ଚୀନା ସେନାବାହିନୀ ଅଳ୍ପକିଛି ଦୂରରେ ଅଛନ୍ତି । ତା’ସତ୍ତ୍ୱେ ରାଜ୍ୟ ଓ କେନ୍ଦ୍ର ସରକାର ସମୁଚିତ ପଦକ୍ଷେପ ନେଇନାହାନ୍ତି ।
ଦିଲ୍ଲୀ ଫେରିବା ପୂର୍ବରୁ ସାଂସଦମାନେ ମଣିପୁର ରାଜ୍ୟପାଳ ଅନସୁଇୟା ଉଇକେଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ । ତା’ପୂର୍ବରୁ ସେମାନେ ମିଡିଆ ପ୍ରତିନିଧିଙ୍କୁ ଭେଟି କହିଥିଲେ, ଆମେ ଯାହା ଭାବିଆସିଥିଲୁ, ପରିସ୍ଥିତି ତା’ଠାରୁ ବହୁ ଅଧିକ ଗୁଣେ ଭୟାନକ । ରିଲିଫ୍ ଶିବିରରେ ଆଶ୍ରୟ ନେଇଥିବା ଲୋକମାନଙ୍କ ପାଇଁ ସରକାର ଆନୁସଙ୍ଗିକ ବ୍ୟବସ୍ଥା କରିନାହାନ୍ତି । ଗୋଟିଏ ଗୋଟିଏ ହଲ୍ରେ ୪ ଶହରୁ ୫ ଶହ ପର୍ଯ୍ୟନ୍ତ ଲୋକ ରହୁଛନ୍ତି । ସରକାର ସେମାନଙ୍କୁ କେବଳ ଡାଲି, ଚାଉଳ ଯୋଗାଉଛନ୍ତି । ପିଲାମାନଙ୍କୁ ଦିନସାରା ଆଉ କିଛି ଖାଇବାକୁ ମିଳୁନାହିଁ । ଶୌଚାଳୟ ବ୍ୟବସ୍ଥା ନାହିଁ । ଶିବିରରେ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ହୃଦୟବିଦାରକ । ଆଶ୍ରିତଙ୍କ ପାଇଁ ଔଷଧପତ୍ର ବ୍ୟବସ୍ଥା ମଧ୍ୟ ହୋଇନାହିଁ ।
ଦିଲ୍ଲୀ ଫେରିଆସିବା ପରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ଆର୍ଜେଡି ସାଂସଦ ମନୋଜ ଝା ଓ ଟିଏମ୍ସି ସାଂସଦ ସୁସ୍ମିତା ଦେବ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ଘଟଣା ନେଇ ଆଖି ବୁଜିଦେଇଛନ୍ତି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ଏନ୍ଡିଏ ମେଣ୍ଟର ପ୍ରତିିନିଧି ମଣ୍ଡଳୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଣିପୁର ଗସ୍ତ କରିବା ଜରୁରୀ ।