ମୋଦି କରିବେ ହାଟ୍ରିକ୍!

ଇଣ୍ଡିଆ ଟିଭି-ସିଏନ୍ଏକ୍ସ ପୋଲ୍ ସର୍ଭେ
ନୂଆଦିଲ୍ଲୀ, ୩୦ ।୭: ୨୦୨୪ରେ ଏନ୍ଡିଏ ସରକାର ହାଟ୍ରିକ୍ କରିପାରେ । ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦି । ଆଗାମୀ ସାଧାରଣ ନିର୍ବାଚନ ସମ୍ପର୍କରେ ଏପରି ଆକଳନ କରିଛି ଇଣ୍ଡିଆ ଟିଭି-ସିଏନଏକ୍ସ ପୋଲ୍ ସର୍ଭେ । ଆଜିର ଦିନରେ ନିର୍ବାଚନ ହେଲେ ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ୩୧୮ ଆସନ ପାଇପାରେ । ତେବେ ବିଜେପିର ଆସନ ସଂଖ୍ୟା ୩୦୩ରୁ ୨୯୦କୁ କମିପାରେ ।
ଅପରପକ୍ଷେ, ବିରୋଧୀ ମେଣ୍ଟ ଇଣ୍ଡିଆକୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ରିପୋର୍ଟ ଅନୁଯାୟୀ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ସଂଖ୍ୟା କିଛି ବଢ଼ି ୬୬ ହୋଇପାରେ । ଗତ ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ୫୨ ଆସନ । ଅନ୍ୟାନ୍ୟ ଆଞ୍ଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକସଭା ନିର୍ବାଚନରେ ୫୦ଟି ଆସନ ମିଳିପାରେ । ତୃଣମୂଳ କଂଗ୍ରେସ ତୃତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇପାରେ ବୋଲି ସର୍ଭେରୁ ଜଣାଯାଇଛି । ଟିଏମ୍ସିର ଆସନ ସଂଖ୍ୟା ୨୨ରୁ ବଢ଼ି ୨୯ ଏବଂ ଆପ୍ର ଆସନ ସଂଖ୍ୟା ୧ରୁ ବଢ଼ି ୧୦ ହେବ ବୋଲି ସର୍ଭେରେ ଆକଳନ କରାଯାଇଛି । ବିଜୁ ଜନତା ଦଳ ୧୩ଟି ଲୋକସଭା ଆସନରେ ଜିତିପାରେ ବୋଲି ଏହି ସର୍ଭେରୁ ଜଣାଯାଇଛି । ଗତ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ଟି ଆସନ ମିଳିଥିଲା । ସର୍ଭେ ଅନୁଯାୟୀ, ଇଣ୍ଡିଆ ଓ ଏନ୍ଡିଏ ମେଣ୍ଟରେ ନ ଥିବା ବିଜେଡି, ୱାଏସ୍ଆର୍ କଂଗ୍ରେସ ଓ ପିଆର୍ଏସ୍ର ଭୋଟ ପ୍ରତିଶତ ୩୨.୬ ହୋଇପାରେ । ୪ ରାଜ୍ୟ ଯଥା ମଣିପୁର, କେରଳ, ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ଏନ୍ଡିଏକୁ ଗୋଟିଏ ହେଲେ ଆସନ ମିଳିବ ନାହିଁ । ମଣିପୁରର ଦୁଇଟିଯାକ ଆସନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବିଜୟୀ ହୋଇପାରେ ।
କେରଳର ୨୦ ଲୋକସଭା ଆସନରେ ହୋଇଥିଲା ସର୍ଭେ । ଏହି ରାଜ୍ୟରେ ଗୋଟିଏ ହେଲେ ଆସନରେ ଏନ୍ଡିଏ ଜିତିବା ଆଶା ନାହିଁ । ଅପରପକ୍ଷେ ବିରୋଧୀ ମେଣ୍ଟ ସମସ୍ତ ୨୦ ଆସନ ଦଖଲ କରିପାରେ । ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଆସନ ମଧ୍ୟରୁ କୌଣସି ଗୋଟିଏରେ ନା ଏନ୍ଡିଏ ନା ଇଣ୍ଡିଆ ଜିତିବ । ସେହିପରି ପଞ୍ଜାବର ସମସ୍ତ ଆସନ ଇଣ୍ଡିଆ ଖାତାକୁ ଯିବ । ସର୍ଭେ ରିପୋର୍ଟ ଅନୁଯାୟୀ, ଏବେ ନିର୍ବାଚନ ହେଲେ ବିଜେପିର ଭୋଟ୍ ସେୟାର ୨୦୧୯ ତୁଳନାରେ ୪.୫ ପ୍ରତିଶତ ବଢ଼ିବ । ଗତ ନିର୍ବାଚନରେ ବିଜେପି ପ୍ରାୟ ୩୭.୫ ପ୍ରତିଶତ ଭୋଟ୍ ପାଇଥିଲା । ଇଣ୍ଡିଆ ମେଣ୍ଟକୁ ମୋଟ ୨୪.୯ ପ୍ରତିଶତ ଭୋଟ୍ ମିଳିବା ସମ୍ଭାବନା ଅଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *