ନାବାଳକକୁ ବଳି ଅଭିଯୋଗ ମହିଳା ସମେତ ୬ ଗିରଫ
ଆଠମଲ୍ଲିକ,୩୦ ।୭ (ଆପ୍ର): ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଟୁସର ନିକଟ ଜଙ୍ଗଲରୁ ନାବାଳକର ମୁଣ୍ଡବିହୀନ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ଘଟଣାରେ ପୁଲିସ ୬ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗଳକୋଠିର ପୂଜାରିଣୀ ଗୀତାଞ୍ଜଳି ବାଘ ଓ ତାର ୩ ପୁଅ ସୌମ୍ୟରଞ୍ଜନ, ଦିବ୍ୟରଞ୍ଜନ ଓ ଜ୍ୟୋତିରଞ୍ଜନ । ପୁଲିସ ସେମାନଙ୍କ ନାଁରେ ୩୦୨, ୩୬୩, ୪୨୦, ୧୨୦ବି, ୨୦୧ ଦଫାରେ କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ପୁଲିସର ତଦନ୍ତ ପ୍ରକ୍ରିୟା ସମାପ୍ତ ପରେ ସରକାରୀ ଜାଗାରେ ଥିବା ମଙ୍ଗଳାକୋଠିକୁ ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ପାଇଁ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ମଙ୍ଗଳାକୋଠିକୁ ତହସିଲ ପକ୍ଷରୁ ସିଲ କରାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି ।
ପ୍ରକାଶ, ଗତ ୨୩ ତାରିଖରୁ ନିଖୋଜ ଥିବା ନାବାଳକ ସଂଜୀବର ମୁଣ୍ଡବିହୀନ ଝୁଲନ୍ତା ମରଶରୀର ବାରେଣୀ ଜଙ୍ଗଲରୁ ଠାବ ହୋଇଥିଲା । ଏହି ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକମାନେ ୮ ଘଣ୍ଟା ରାସ୍ତାରୋକ କରିଥିଲେ । ଏହାସହ ପୁଲିସ ଗାଡିକୁ ମଧ୍ୟ ନିଆଁ ଲଗାଇ ଦେଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟାଇଥିଲା । ଶନିବାର ଆଠମଲ୍ଲିକ ଠାରେ ମୃତଦେହର ବ୍ୟବଛେଦ କରିବା ପରେ ଅଧିକ ତଦନ୍ତ ଓ ପରୀକ୍ଷଣ ପାଇଁ ମୃତଦେହକୁ କଟକ ଏଫଏମଟି (ଫରେନସିକ ଲାବୋଟୋରୀ)କୁ ପଠାଯାଇଥିଲେ । ଏହାସହ ମୃତ ସଂଜୀବର ମାଙ୍କ ଏତଲା ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।