ଆଜି ଆସିବ ଦିଲ୍ଲୀ ସେବା ବିଲ୍

ଲୋକସଭାରେ ପ୍ରବଳ ହଙ୍ଗାମା ଆଶଙ୍କା
ନୂଆଦିଲ୍ଲୀ, ୩୦ ।୭: ବେଶ୍ କିଛିଦିନ ଧରି ବିବାଦ ଘେରରେ ଥିବା ଦିଲ୍ଲୀ ଅଧ୍ୟାଦେଶ ସମ୍ବନ୍ଧୀୟ ଏନ୍ସିଟି ଦିଲ୍ଲୀ ସଂଶୋଧନ ବିଲ୍-୨୦୨୩ ସୋମବାର ଲୋକସଭାରେ ଉପସ୍ଥାପନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ବିଲ୍କୁ ମଞ୍ଜୁରି ଦିଆଯାଇଥିଲା । କେନ୍ଦ୍ର ସରକାର ମେ’ ୧୯ ତାରିଖ ଦିନ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ସରକାର ସଂଶୋଧନ ଅଧ୍ୟାଦେଶ ଜାରି କରିଥିଲେ । ସେହି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ଲାଗି ଉକ୍ତ ବିଲ୍ ପେଶ୍ କରାଯିବ । ବିଲ୍ ପାସ୍ ହେଲେ ଦିଲ୍ଲୀ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଧିକାରୀମାନଙ୍କ ବଦଳି-ନିଯୁକ୍ତି ସମ୍ବନ୍ଧୀୟ ସବୁ ନିଷ୍ପତ୍ତି ଉପରାଜ୍ୟପାଳ ନେବେ । ଅଧ୍ୟାଦେଶ ବିରୋଧରେ କେଜ୍ରିୱାଲ୍ ସରକାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତା’ଛଡ଼ା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସଂସଦରେ ଏହି ବିଲ୍ ବିରୋଧରେ ସବୁ ବିରୋଧୀ ଦଳ ଭୋଟ୍ ଦେବା ସର୍ତ୍ତ ରଖି ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଛନ୍ତି । ଏହି ଦୃଷ୍ଟିରୁ ସୋମବାର ବିଲ୍କୁ ବିରୋଧୀ ସାଂସଦମାନେ ତୀବ୍ର ବିରୋଧ କରିବା ଆଶଙ୍କା ରହିଛି । ମଣିପୁର ପ୍ରସଙ୍ଗରେ ସଂସଦର ମୌସୁମୀ ଅଧିବେଶନରେ ବିଶେଷ କାର୍ଯ୍ୟ ସଂପାଦିତ ହୋଇପାରିନାହିଁ । ଏବେ ଦିଲ୍ଲୀ ସେବା ବିଲ୍କୁ ବିରୋଧୀ ଦଳମାନେ ପୂର୍ଣ୍ଣପ୍ରାଣରେ ବିରୋଧ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *